ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ବର : ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହଙ୍କୁ ପୁଣି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଗତ ସରକାର ସମୟରେ ଶ୍ରୀ ସିଂହ ଏହି ପଦବିରେ ଥିଲା ବେଳେ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଉଥିଲେ। ନୂଆ ସରକାର ଆସିଲା ପରେ ତାଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲେ ବି ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇ ନ ଥିଲା। ଗତ ୧୫ ତାରିଖରେ ଶ୍ରମ ବିଭାଗ ପକ୍ଷରୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବୋର୍ଡର କାର୍ଯ୍ୟକ୍ରମ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ସିଂହ କହିଛନ୍ତି, ନିର୍ମାଣ ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା କଲ୍ୟାଣ‌କାରୀ ଯୋଜନାରେ ଓଡ଼ିଶା ସମଗ୍ର ଦେଶରେ ଏକ ଆଗୁଆ ରାଜ୍ୟରେ ପରିଣତ ହୋଇଛି। ଆଜି ସୁଦ୍ଧା ପ୍ରାୟ ଏକ କୋଟି ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହୋଇପାରିଛନ୍ତି। ଆନ୍ତର୍ଜାତିକ ଶ୍ରମିକ ସଂଗଠନ ସହାୟତାରେ ମୁଖ୍ୟମନ୍ତ୍ରୀ ସବୁ ସ୍ତରରେ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହ ଶ୍ରମ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ପ୍ରତି ୩ ମାସରେ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଉଛି। ପ୍ରତି ବର୍ଷ ଦୁଇ ଥର ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ପ୍ରମୁଖ ଏଜେଣ୍ଡା ରଖାଯାଇ ଯୋଜନାକୁ ସଫଳ କରିବା ପାଇଁ ପ୍ରୟାସ ଜାରି ରହିଛି। ୩୦ଟି ଜିଲ୍ଲାରେ ଅନ୍‌ଲାଇନ୍ ମାଧ୍ୟମରେ ପଞ୍ଜୀକୃତ ଓ ସହାୟତା ପ୍ରଦାନ କରାଯାଉଛି। ‘୫ ଟି’ ଜରିଆରେ ସ୍ବଚ୍ଛତା, ସମୟାନୁବର୍ତ୍ତିତା ଓ ଅଧିକ କ୍ରିୟାଶୀଳ କରିବାରେ ଶ୍ରମ ବିଭାଗ ପୂରା ଦମ୍‌ରେ କାମ କରୁଛି ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର