ମୃତ୍ୟୁ ବିଜୟିନୀ ସୁବାସିନୀ : ଅଜଣା ରୋଗରେ ପୀଡ଼ିତ ଥିଲେ, ସହାୟତା କଲା ନବୋଦୟ ପୁରାତନ ଛାତ୍ର ସଂଘ , ବର୍ଷ ପରେ ସ୍କୁଲକୁ ଫେରିଲେ
ପାତ୍ରପୁର : ଶେଷରେ ମୃତ୍ୟୁ ଉପରେ ବିଜୟୀ ହୋଇଛନ୍ତି ଗ˚ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁମ୍ବା ପଞ୍ଚାୟତ ଅଧୀନ ଶରଧାପୁର ଗ୍ରାମର ଜଟିଆ ଦଳେଇ ଓ କୁମାରୀଙ୍କ ଝିଅ ସୁବାସିନୀ। ବାପାମା’ଙ୍କ ସ୍ବପ୍ନ ସାକାର କରିବାକୁ ସେ ପୁଣି ବିଦ୍ୟାଳୟକୁ ଯିବାକୁ ଘରୁ ଗୋଡ଼ କାଢିଛନ୍ତି। ଅଜଣା ରୋଗରେ ପଡ଼ି ଦୁଇ ବର୍ଷ ହେଲା ସୁବାସିନୀଙ୍କ ପାଠ ପଢାରେ ଡୋରି ବାନ୍ଧି ଦିଆ ଯାଇଥିଲା। ସେତେବେଳେ ସେ ନବୋଦୟ ବିଦ୍ୟାଳୟର ଛାତ୍ରୀ ଥିଲେ। ଅର୍ଥାଭାବରୁ ତାଙ୍କର ଚିକିତ୍ସା ହୋଇପାରୁ ନଥିଲା। ଏ ନେଇ ଗତବର୍ଷ ୨୩ ତାରିଖରେ ‘ସମ୍ବାଦ’ରେ ସୁବାସିନୀଙ୍କ ସଂଘର୍ଷମୟ ଜୀବନ, ପରିବାରର ଦାରିଦ୍ର୍ୟ ଉପରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ସହାୟତାର ହାତ ବଢାଇଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ଏକ ମାସ କାଳ ସୁବାସିନୀଙ୍କ ସମସ୍ତ ପ୍ରକାର ଚିକିତ୍ସା ଦାୟିତ୍ବ ବହନ କରିବା ସହ ପୁରାତନ ଛାତ୍ର ସଂଘ ଏଥିପାଇଁ ୮୦ ହଜାର ଟଙ୍କା ସହାୟତା କରିଥିଲେ। ଏହାପରେ ଘରକୁ ଆସି ସେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ଔଷଧ ଓ ଇଞ୍ଜେକସନ୍ ନେବା ପରେ ସୁସ୍ଥ ହୋଇ ଉଠିଛନ୍ତି। ଆଉ ଗାଁ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢିବାକୁ ସୁବାସିନୀଙ୍କ ନାମ ଲେଖା ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜଟିଆ ଦଳେଇ ଓ କୁମାରୀଙ୍କ ପୂର୍ବରୁ ଦୁଇ ଝିଅ ଓ ଗୋଟିଏ ପୁଅର ମୃତ୍ୟୁ ହୋଇ ଯାଇଥିଲା। ସୁବାସିନୀ ଥିଲା ସେମାନଙ୍କ ଏକମାତ୍ର ସାହା ଭରସା। ସେ ଜଣେ ମେଧାବୀ ଛାତ୍ରୀ ହୋଇଥିବା ସହ ବାପାମା’ଙ୍କ ସ୍ବପ୍ନକୁ ସାକାର କରିବାକୁ ମନସ୍ଥ କରିଥିଲେ। ହେଲେ ଦଇବ ଦାଉ ସାଧିଲା। ସୁରଙ୍ଗି ନବୋଦୟ ବିଦ୍ୟାଳୟରେ ସୁବାସିନୀ ନବମରେ ପଢୁଥିବା ବେଳେ ୩ ବର୍ଷ ତଳେ ହଠାତ୍ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଲେ। ବହୁ ଚେଷ୍ଟା ସତ୍ତ୍ବେ ସେ ସୁସ୍ଥ ହୋଇ ପାରି ନଥିଲେ। ସେପଟେ ଡାକ୍ତର ଅଧିକ ଟଙ୍କା ଦରକାର ବୋଲି କହିବାରୁ ଦିନ ମଜୁରିଆ ଭାବେ କାମ କରି ଗୁଜୁରାଣ ମେଣ୍ଟାଉଥିବା ବାପା ଜଟିଆ ଓ ମା’ କୁମାରୀଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ସେମାନେ ନିରୁପାୟ ହୋଇ ସୁବାସିନୀଙ୍କୁ ଘରକୁ ଆଣି ଗୁଣିଗାରେଡ଼ି ଓ ଝଡ଼ାଫୁଙ୍କା ଚିକିତ୍ସା କରି କର୍ମକୁ ଆଦରି ରହିଥିଲେ।
ଗତବର୍ଷ ଜୁନ ୨୪ ତାରିଖରେ ‘ସମ୍ବାଦ’ରେ ସୁବାସିନୀ ଓ ତାଙ୍କ ପରିବାରର ଦୁରବସ୍ଥା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ପ୍ରଶାସନ କି ସ୍ବାସ୍ଥ୍ୟ ବିଭାଗ କେହି ତାଙ୍କୁ ସହାୟତାର ହାତ ବଢାଇ ନଥିଲେ। ନବୋଦୟର ପୁରାତନ ଛାତ୍ର ସଂଘ ସୁବାସିନୀଙ୍କୁ ବଞ୍ଚାଇବାକୁ ଶେଷରେ ଅଣ୍ଟା ଭିଡ଼ିଥିଲେ। କିଛି ଗଣମାଧ୍ୟମ ପ୍ରତିନିଧି ଓ ଜନପ୍ରତିନିଧିଙ୍କ ସହାୟତାରେ ସୁବାସିନୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଅଣାଯାଇ ପୁରାତନ ଛାତ୍ର ସଂଘର ସହାୟତାରେ ସମସ୍ତ ଚିକିତ୍ସା କରା ଯାଇଥିଲା। ମାସେ କାଳ ରହି ସୁବାସିନୀ ଘରକୁ ଫେରିଥିଲେ। ଏପରିକି ଚଟାଣରେ ଶୋଇବାକୁ ଡାକ୍ତର ମନା କରିବା ପରେ ପୁରାତନ ଛାତ୍ର ସଂଘ ପକ୍ଷରୁ ସୁବାସିନୀଙ୍କ ପାଇଁ ଏକ ସ୍ବତନ୍ତ୍ର ଖଟ ବ୍ୟବସ୍ଥା କରାଗଲା। ବର୍ଷେ ପରେ ସୁବାସିନୀ ସୁସ୍ଥ ହୋଇ ଯାଇଥିବାରୁ ବାପାମା’ଙ୍କ ଆନନ୍ଦ କହିଲେ ନ ସରେ। ନବୋଦୟ ବିଦ୍ୟାଳୟ ଛାଡ଼ିଥିଲେ ମଧୢ ନିଜ ଗାଁ ହାଇସ୍କୁଲରେ ସୁବାସିନୀ ବର୍ତ୍ତମାନ ନବମ ଶ୍ରେଣୀରେ ନାମ ଲେଖାଇଛନ୍ତି। ପୁରାତନ ଛାତ୍ର ସଂଘ ସଭାପତି ମାନସ ରଞ୍ଜନ ପଟ୍ଟନାୟକ ସୁବାସିନୀଙ୍କ ପାଠପଢ଼ା ବାବଦ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ସୁବାସିନୀଙ୍କ ବାପା ମା’ ସମ୍ବାଦ ଓ ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ପ୍ରୟାସକୁ ପ୍ରଶଂସା କରିବା ସହ ଆମେ ଏଥି ପାଇଁ ଚିର କୃତଜ୍ଞ ବୋଲି କହିଛନ୍ତି।