ବରୀ: ସୁବାସିନୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ସୁକେଶ୍ବର ଜିବିନଗର ବ୍ଲକ୍‌ ଅଧ୍ୟକ୍ଷ, ଶାଗରାମ ଜାମଦା ବ୍ଳକ୍‌ ଉପାଧ୍ୟକ୍ଷ

ବରୀ : ଯାଜପୁରର ବରୀ ପଞ୍ଚାୟତ ସମିତି ପୁଣିଥରେ ବିଜେପି ଦଖଲକୁ ଆସିଛି। ଅଲିପୁର ପଞ୍ଚାୟତର ସମିତି ସଭ୍ୟା ସୁବାସିନୀ ଶର୍ମା ଅଧ୍ୟକ୍ଷା ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ସମୟରେ କୌଣସି ବିଜେଡି ସମର୍ଥିତ ସମିତି ସଭ୍ୟ ଉପସ୍ଥିତ ନଥିଲେ। ୨୦୧୭ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଶ୍ବରଞ୍ଜନ ମଲ୍ଲିକଙ୍କ ନେତୃତ୍ବାଧୀନ ଏକ ସ୍ବାଧୀନ ଗୋଷ୍ଠୀ ବରୀ ବ୍ଲକ୍‌କୁ ଅକ୍ତିଆର କରିଥିଲେ। ସମୁଦାୟ ୨୯ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୨୧ ଜଣଙ୍କ ସମର୍ଥନ ହାସଲ କରି ସୁନନ୍ଦା ଦାସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଶ୍ବରଞ୍ଜନ ବିଜେପିରେ ଯୋଗଦେଇଥିଲେ। ଅପରପ‌େକ୍ଷ, ଠିକ୍‌ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇ ସୁନନ୍ଦା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।

ଆଜି ଅନୁଷ୍ଠିତ ନିର୍ବାଚନରେ ବିଜେପି ସମର୍ଥନରେ ସୁବାସିନୀ ଶର୍ମା ଏକମାତ୍ର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତାଙ୍କ ସପକ୍ଷରେ ୧୯ ଜଣ ସମିତି ସଭ୍ୟଙ୍କ ସମର୍ଥନ ରହିଥିଲା। ମଧ୍ୟାହ୍ନ ୧୨ ଟା ସୁଦ୍ଧା ତାଙ୍କ ବିପକ୍ଷରେ କେହି ପ୍ରତିଦ୍ବନ୍ଦ୍ବିତା ନକରିବାରୁ ସୁବାସିନୀଙ୍କୁ ନିର୍ବାଚନ ଅଧିକାରୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ। ନିର୍ବାଚନରେ ବିଜେଡି ନିଜକୁ ଦୂରେଇ ରଖିଥିଲା ଏବଂ ଏହି ଦଳ ସମର୍ଥିତ କୌଣସି ସମିତି ସଭ୍ୟ ଉପସ୍ଥିତ ନଥିଲେ।

ସୁକେଶ୍ବର ଜିବିନଗର ବ୍ଲକ୍‌ ଅଧ୍ୟକ୍ଷ, ଶାଗରାମ ଜାମଦା ବ୍ଳକ୍‌ ଉପାଧ୍ୟକ୍ଷ

ବାରିପଦା/ରାଇରଙ୍ଗପୁର/ଗୋପବନ୍ଧୁନଗର/କୁଆମରା/ଜାମଦା(୨) : ମୟୂରଭଞ୍ଜ ଜିଲ୍ଲାରେ ଆଜି ଅନୁଷ୍ଠିତ ହୋଇଥିବା ଗୋପବନ୍ଧୁନଗର ବ୍ଲକ୍‌ ଅଧ୍ୟକ୍ଷ ଓ ଜାମଦା ବ୍ଲକ୍‌ ଉପାଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ଉଭୟ ପଦକୁ ବିଜେଡି ପୁଣିଥରେ କବ୍‌ଜା କରିଛି।

ସୂଚନା ଅନୁସାରେ, ଗୋପବନ୍ଧୁନଗର ବ୍ଲକ୍‌ରେ ବିଜେଡି ପ୍ରାର୍ଥୀ ସୁକେଶ୍ବର ମଢ଼େଇ ନିର୍ଦ୍ବନ୍ଦ୍ବରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ନବନିର୍ବାଚିତ ସୁକେଶ୍ବର ରାଣୀବନ୍ଧ ପଞ୍ଚାୟତରୁ ପ୍ରତିନିଧିତ୍ବ କରୁଛନ୍ତି। ଏଠାରେ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇନଥିଲା। ବରଡିହି ପଞ୍ଚାୟତ ସମିତି ସଦସ୍ୟା ତଥା ପୂର୍ବତନ ଅଧ୍ୟକ୍ଷା ଅଞ୍ଜୁ ଖଟେଇଙ୍କର ପରଲୋକ ହୋଇଥିବାରୁ ଏଠାରେ ନିର୍ବାଚନ ଅନୁଷ୍ଠିତ ହେଉଥିଲା।

ସେହିପରି ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜାମ୍‌ଦା ବ୍ଲକ୍‌ ଉପାଧ୍ୟକ୍ଷ ପଦକୁ ମଧ୍ୟ ବିଜେଡି ପୁର୍ନବାର ନିଜ କବ୍‌ଜାକୁ ନେଇଛି। ବିଜେପି ପ୍ରାର୍ଥୀ ଦୁଃଖିଶ୍ୟାମ ହେମ୍ବ୍ରମ୍‌ଙ୍କୁ ୬-୩ ବ୍ୟବଧାନରେ ପରାସ୍ତ କରି ବିଜେଡି ସମର୍ଥିତ ପ୍ରାର୍ଥୀ ସାଗରାମ୍‌ ମୁର୍ମୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଏଠାରେ ବ୍ଲକ୍‌ ଅଧ୍ୟକ୍ଷ ପଦ ବିଜେପି ଦଖଲରେ ଥିବାରୁ ସ୍ଥାନୀୟ ବିଧାୟକ ଉପାଧ୍ୟକ୍ଷ ଆସନକୁ ନିଜ କବ୍‌ଜାକୁ ନେବାକୁ ପ୍ରୟାସ କରିଥିଲେ। ଫଳରେ ବିଜେପି ଏଠାରେ ପ୍ରାର୍ଥୀ ଦେଇଥିଲା। ମାତ୍ର ବିଜେଡି ସପକ୍ଷରେ ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ଯିବାରୁ ଉପାଧ୍ୟକ୍ଷ ପଦବୀ ବିଜେଡି ହାତକୁ ଯାଇଥିଲା। ପ୍ରକାଶଥାଉକି, ମହମ୍ମଦ ଜିଲାନୀଙ୍କର ଅକାଳ ବ‌ିୟୋଗ ପରେ ଉପାଧ୍ୟକ୍ଷ ପଦବି ଖାଲି ପଡ଼ିଥିଲା।

ସମ୍ବନ୍ଧିତ ଖବର