ପୁରୀ : ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟ‌ାଳୟର ବରିଷ୍ଠ ରାଜସ୍ବ ସହାୟକ (କିରାଣି) ଜିତୁରଞ୍ଜନ ଛାଟୋଇ ଜମିର କିସମ ପରିବର୍ତ୍ତନ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

Advertisment

ହସ୍ତଗତ ସୂଚନା ଅନୁସାରେ, ଭାରତୀପୁର ମୌଜାରେ ରମେଶ ଚନ୍ଦ୍ର ମହାପାତ୍ରଙ୍କର ଭାରତୀପୁର ମୌଜାରେ ଏକ ଶାରଦ ଜମି ଥିଲା। ଏହି ଜମିକୁ ଘରବାରି କରିବା ପାଇଁ ରମେଶ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତେବେ, ବରିଷ୍ଠ କିରାଣି ଜିତୁରଞ୍ଜନ ଏହି ଶାରଦ ଜମିକୁ ଘରବାରିରେ ପରିଣତ କରାଇଦେବେ ବୋଲି କହି ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରମେଶ ଭିଜିଲାନ୍ସ ବିଭାଗର ସହାୟତା ଲୋଡ଼ିଥିଲେ। ଭୁବନେଶ୍ବର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ। ଏହିସମୟରେ ରମେଶଙ୍କଠାରୁ ୫୦,୦୦୦ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମ‌ାନେ ଜିତୁରଞ୍ଜନଙ୍କୁ କାବୁ କରିନେଇଥିଲେ। ଗତକାଲି ଏନେଇ ଭୁବନେଶ୍ବର ଭିଜିଲାନ୍ସ ଥାନାରେ ଅଭିଯୋଗ ହୋଇଥିବା ବେଳେ ସେଠାରେ ୪୧/୨୨ ନମ୍ବରରେ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ଜିତୁରଞ୍ଜନଙ୍କୁ ଗିରଫ ସହିତ ଆଜି କୋର୍ଟଚାଲାଣ କରାଯାଇଛି। ତାଙ୍କ ମାଟିଆପଡ଼ାସ୍ଥିତ ଘର ଓ ପିପିଲି ଥାନା ଅନ୍ତର୍ଗତ କାଇରୀ ଗାଁର ପୈତୃକ ଘରେ ବି ଚଢ଼ଉ କରାଯାଇଥିବା ଜଣାପଡ଼ିଛି।