ମ୍ୟାଲେରିଆ ନିରାକରଣ ପାଇଁ ଗଠନ ହେଲା ସବ୍‌କମିଟି : ୨୦୨୭ ସୁଦ୍ଧା ମ୍ୟାଲେରିଆମୁକ୍ତି ଲକ୍ଷ୍ୟ

ଭୁବନେଶ୍ବର : ରାଜ୍ୟରୁ ମ୍ୟାଲେରିଆକୁ ସଂପୂର୍ଣ୍ଣ ବିଲୋପ କରିବା ପାଇଁ ଦୁଇଟି ସବ୍‌କମିଟି ଗଠନ ହେବ। ଏହି କମିଟି ମ୍ୟାଲେରିଆ ବିଲୋପ ପାଇଁ ଖସଡ଼ା ପ୍ରସ୍ତୁତ କରିବା ସହିତ ମାନବ ସମ୍ବଳର ବିନିଯୋଗ ଉପରେ ଗୁରୁତ୍ବ ଦେବ। ଏହାସହ ୨୦୦୨ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧କୋଟି ୧୩ଲକ୍ଷ ଔଷଧୀୟ ମଶାରି ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ। ମ୍ୟାଲେରିଆ ନିରାକରଣ ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକରେ ଏହା ସ୍ଥିର ହୋଇଛି। ଏହାସହ ଟାସ୍କଫୋର୍ସ ବୈଠକ ପ୍ରତିମାସରେ ନିୟମିତ ବସିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଡା.ମେହେର୍ଦା କହିଥିଲେ, ମ୍ୟାଲେରିଆ ନିରାକରଣ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଜାରି ରହିବା ଆବଶ୍ୟକ। ଏଥିରେ ଅବହେଳା ହେଲା ମ୍ୟାଲେରିଆ ପୁଣିଥରେ ଲେଉଟିବାର ଆଶଙ୍କା ରହିଛି।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ ମ୍ୟାଲେରିଆ ହ୍ରାସ ପାଇଥିବାର ଧାରାକୁ ବଜାୟ ରଖିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ। ଏଥିରେ ଟାଟା ଟ୍ରଷ୍ଟ, ମ୍ୟାଲେରିଆ ନୋ ମୋର ଭଳି ସଂସ୍ଥାମାନେ ବୈଷୟିକ ସହାୟତା ଯୋଗାଇ ଦେବେ। ଯେଉଁଠାରେ ମ୍ୟାଲେରିଆ ସର୍ବାଧିକ ହ୍ରାସ ପାଇଛି ସେଠାରେ ତାହାକୁ ଶୂନକୁ ହ୍ରାସ କରିବା ଓ ଅନ୍ୟ ସ୍ଥାନଗୁଡ଼ିକରେ ଏହା ଯେପରି ଅଧିକ ପରିମାଣରେ ହ୍ରାସ ପାଇବ ତାହା ଉପରେ ଧ୍ୟାନ ଦିଆଯିବ। ୨୦୧୭ ସୁଦ୍ଧା ରାଜ୍ୟରୁ ମ୍ୟାଲେରିଆ ବିଲୋପ ଲକ୍ଷ୍ୟ ନେଇ କାମ କରିବାକୁ ଡା.ମେହେର୍ଦା ପରାମର୍ଶ ଦେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୨୦୩୦ ମସିହାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ୨୦୧୭ ମସିହାରୁ ୩ବର୍ଷ ପାଇଁ ସ୍ଥିତି ଅନୁଧ୍ୟାନ କରି ସାର୍ଟିଫିକେଟ୍ ପ୍ରଦାନ କରାଯିବ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧କୋଟି ୧୩ଲକ୍ଷ ଔଷଧୀୟ ମଶାରି ବାଣ୍ଟିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୧୬ ମସିହାରେ ରାଜ୍ୟରେ ଅନୁରୂପ ପରିମାଣର ଔଷଧୀୟ ମଶାରି ବଣ୍ଟନ କରିବା ରାଜ୍ୟରେ ମ୍ୟାଲେରିଆ ରେକର୍ଡ ପରିମାଣରେ ହ୍ରାସ ପାଇଛି। ଏହି ମଶାରିର ସମୟ ଅବଧି ୩ବର୍ଷ ରହିଛି। କେନ୍ଦ୍ରରୁ ମଶାରି ପାଇବାରେ ବିଳମ୍ବ ହେଲେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ମଶାରି କିଣି ତାହାକୁ ଔଷଧୀୟ ପାଣିରେ ବୁଡ଼ାଇ ଲୋକଙ୍କୁ ଦିଆଯିବ। ଏପରିକି ଯେଉଁମାନଙ୍କ ନିକଟରେ ମଶାରି ରହିଛି ପ୍ରତି ୬ମାସରେ ଥରେ ସେଥିରେ ଔଷଧ ବୋଳିବା ପାଇଁ ସ୍ଥିର ହୋଇଛି। ମ୍ୟାଲେରିଆ ନିରାକରଣ ପାଇଁ ଅଧିକ ମାନବ ସମ୍ବଳର ଆବଶ୍ୟକତା ପଡ଼ୁଥିବାରୁ ବିଭାଗରେ ଥିବା ନିୟମିତ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯିବ। ଏଥିପାଇଁ ଗୋଟିଏ ସବ୍‌କମିଟି ଗଠନ ହେବ।

ଆଜିର ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ସ୍ବତନ୍ତ୍ର ସଚିବ ଡା.ବି.କେ ବ୍ରହ୍ମା, ଅତିରିକ୍ତ ସଚିବ, ଡିଏମ୍‌ଇଟି, ମ୍ୟାଲେରିଆ ନୋ ମୋର, ଟାଟା ଟ୍ରଷ୍ଟ, ଏନ୍‌ଆଇଏମ୍‌ଆର ଓ ଆରଏମ୍‌ଆରସିର ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖ ଯେ, ରାଜ୍ୟରେ ମ୍ୟାଲେରିଆ ଉଲ୍ଲେଖନୀୟ ହ୍ରାସ ପାଇବା ଯୋଗୁଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଥିପାଇଁ ପ୍ରଶଂସା କରାଯାଇଥିଲା। ଏପରିକି ବିଶ୍ବ ମ୍ୟାଲେରିଆ ରିପୋର୍ଟ-୨୦୧୮ରେ ଓଡ଼ିଶାର ରିପୋର୍ଟ ସ୍ଥାନ ପାଇଛି। ଓଡ଼ିଶାର ମଡେଲକୁ ଆପଣାଇବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଫ୍ରିକୀୟ ଦେଶମାନଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର