ଅନୁଗୁଳ: ଏଷ୍ଟିମେଟ୍‌ କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ଅନୁଗୁଳ ଉଠା ଜଳସେଚନ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ଶରତ କୁମାର ପ୍ରଧାନ। ଭିଜିଲାନ୍ସ ତାଙ୍କ ପାଖରୁ ଟଙ୍କା ଜବତ କରିବା ସହ ପଚରାଉଚରା କରିଛି। ପରେ ତାଙ୍କ କାର୍ଯ୍ୟାଳୟ ସମେତ ଏକାଧିକ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

Advertisment

ସୂଚନା ଅନୁସାରେ, ଅନୁଗୁଳ ଉଠାଜଳସେଚନ ବିଭାଗରେ ଠିକା କାମ କରୁଥିବା ଖଲାରୀ ଗାଁର ଶ୍ରୀକାନ୍ତ ଦେହୁରୀଙ୍କ ପାଖରୁ ଇଲେକ୍ଟ୍ରିକାଲ ଏଷ୍ଟିମେଟ୍‌ ପାଇଁ ଲାଞ୍ଚ ମାଗିଥିଲେ ଯନ୍ତ୍ରୀ ଶ୍ରୀ ପ୍ରଧାନ। ଦୁଇଟି ପ୍ରକଳ୍ପର ଏଷ୍ଟିମେଟ୍ ପ୍ରଦାନ କରିବା ସହ ସିଭିଲ କାମର ବକେୟା ପଡ଼ିଥିବା ଟଙ୍କା ମଂଜୁର କରିବା ପାଇଁ ୫୦ ହଜାର ଟଙ୍କା ଦେବ‌ାକୁ କହିଥିଲେ। ଏନେଇ ଶ୍ରୀକାନ୍ତ ଭିଜିଲାନ୍ସକୁ ଖବର ଦେଇଥିଲେ। ପୂର୍ବ ଯୋଜନା ଅନୁସାରେ, ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଆଜି ସନ୍ଧ୍ୟାରେ ତାଙ୍କ କାର୍ଯ୍ୟାଳୟରେ ୫୦ ହଜାର ଟଙ୍କା ଦେଇଥିଲେ ଶ୍ରୀକାନ୍ତ। ଏହି ସମୟରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀମାନେ ମାଡ଼ି ବସିଥିଲେ। ତାଙ୍କ ପାଖରୁ ରାସାୟନିକ ପଦାର୍ଥ ବୋଳା ଟଙ୍କା ମଧ୍ୟ ଜବତ କରାଯାଇଛି। ପରେ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା ଚାଲିଛି। ଏ ନେଇ କଟକ ଭିଜିଲାନ୍ସ ଥାନାରେ ୨୭/୨୩ରେ ଏକ ମାମଲା ରୁଜୁ କରି ଅଧିକ ଖୋଳତାଡ଼ କରାଯାଉଛି। କାର୍ଯ୍ୟାଳୟ ସମେତ ଦୁଇଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଛାନ୍‌ଭିନ୍‌ କରୁଥିଲା ବେଳେ ଚଢ଼ଉ ପରେ ଅଧିକ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।