କୋରାପୁଟ : କୋରାପୁଟ ପୁଲିସ ମୁଖ୍ୟାଳୟରେ ସୁବେଦାର ନରେନ୍ଦ୍ର ବିଶ୍ବାସ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନକ୍ସଲ ଦମନ ଅପରେସନରେ ବ୍ୟବହାର ହେଉଥିବା ଏକେ-୪୭ରୁ ନିଜ ଉପରକୁ ଆଜି ସକାଳେ ଗୁଳି ଚଳାଇଛନ୍ତି। ବାମ ପଟ ଗାଲରେ ଗୁଳି ପଶି ମୁଣ୍ଡ ପଟୁ ବାହାରିଥିବା ସୂଚନା ମିଳିଛି। କୋରାପୁଟ ବଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। କେଉଁ କାରଣରୁ ନରେନ୍ଦ୍ର ଏଭଳି ଚରମ ପଦକ୍ଷେପ ନେବେ ସ୍ପଷ୍ଟ ହୋଇପାରିନି। ଏହି ଘଟଣା ପରେ ପୁଲିସ କର୍ମଚାରୀଙ୍କ ମଧ୍ୟରେ କଂପନ ସୃଷ୍ଟି ହୋଇଛି।
ସକାଳ ପ୍ରାୟ ସାଢ଼େ ୧୧ଟାରେ ପୁଲିସ ମୁଖ୍ୟାଳୟରେ ଅନ୍ୟ ଦିନ ଭଳି ଗହଳି ରହିଥିଲା। ହଠାତ୍ ଆଣ୍ଟି ନକ୍ସଲ ସେଲ୍ରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଆଣ୍ଟି ନକ୍ସଲ ସେଲ୍କୁ ଦୌଡ଼ି ଯାଇ ଦେଖିବା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ନରେନ୍ଦ୍ର ତଳେ ପଡ଼ିଥିଲେ। ଅଳ୍ପ ଦୂରରେ ଗୋଟିଏ ଏକେ-୪୭ ବନ୍ଧୁକ ପଡ଼ିଥିଲା। ଆତ୍ମହତ୍ୟା କରିବାକୁ ନରେନ୍ଦ୍ର ବନ୍ଧୁକ ମୁନ ଗାଲରେ ଲଗାଇ ଟ୍ରିଗର ଚାପିଥିବା ଜଣାପଡ଼ିଛି। ତୁରନ୍ତ ଉଦ୍ଧାର କରି ବଡ଼ ମେଡିକାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ପୁଲିସ ମୁଖ୍ୟାଳୟ ଭଳି ସମ୍ବେଦନଶୀଳ ସ୍ଥାରେ ଏହି ଘଟଣା ଘଟିଥିବାରୁ ନିଜେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇ ରାଜେଶ ପଣ୍ଡିତ ଡାକ୍ତରଖାନାରେ ପହଞ୍ଚିଥିଲେ। ସେହିପରି ଏସ୍ପି ଅଭିନବ ସୋନକର, ଦୁଇ ଜଣ ଅତିରିକ୍ତ ଏସ୍ପି, ୩ଜଣ ଡିଏସ୍ପି ଓ ବରିଷ୍ଠ ଅଧିକାରୀ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ପରିବର୍ତ୍ତନ ନଆସିବାରୁ ନରେନ୍ଦ୍ରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଘଟଣା ସଂପର୍କରେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି।