ମାର୍ଚ୍ଚ ଅଧାରୁ ଶୁଖିଗଲାଣି ଚିରସ୍ରୋତା ସୁବର୍ଣ୍ଣରେଖା, ବାଲେଶ୍ବରର ୪ ବ୍ଳକ୍‌ରେ ଘନଉଛି ଜଳ ସମସ୍ୟା

ଜଳେଶ୍ୱର : ମାର୍ଚ୍ଚ ଅଧାରୁ ଶୁଖିଗଲାଣି ଚିରସ୍ରୋତା ସୁବର୍ଣ୍ଣରେଖା। ଯେଉଁ ନଦୀ ବର୍ଷ ବର୍ଷ ଧରି ଲୋକମାନଙ୍କର ଜୀବନଜୀବିକାର ମୁଖ୍ୟ ମାଧ୍ୟମ ହୋଇଆସିଛି, ଆଜି ତା’ର ଅବସ୍ଥା ଦେଖି ପରିବେଶବିତ୍‌ମାନେ ମଧ୍ୟ ଚିନ୍ତା ପ୍ରକଟ କଲେଣି।

ଝାଡ଼ଖଣ୍ଡ ଛୋଟନାଗପୁର ମାଳଭୂମିରୁ ବାହାରିଛି ସୁବର୍ଣ୍ଣରେଖା। ଯାହା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ କୀର୍ତ୍ତନିଆ ମୁହାଣ ନିକଟରେ ସମୁଦ୍ର ସହ ମିଶିଛି। ଝାଡ଼ଖଣ୍ଡର ରାଞ୍ଚି ଓ ସିଂହଭୂମି ଜିଲ୍ଲା ଦେଇ ୨୧୦ କିମି, ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲା ଦେଇ ୬୫ କିମି, ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ଦେଇ ମୋଟ୍‌ ୬୦ କିମି ଅଞ୍ଚଳରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ଚିରସ୍ରୋତା ଏହି ନଦୀ ବାଲେଶ୍ବର ଜିଲ୍ଲାର ୪ଟି ବ୍ଲକ୍‌ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ପାଇଁ ଜୀବନରେଖା ସଦୃଶ। ଜଳେଶ୍ୱର ବ୍ଲକ୍‌ର ଶିଖରପୁର ଓ ଗୁରୁଦାସପୁର, ବସ୍ତା ବ୍ଲକ୍‌ର ବେଣାପୁରା ଓ ଧିତପୁରା, ବାଲିଆପାଳ ବ୍ଲକ୍‌ର ଅସ୍ତି ଓ ବଢ଼ାପାଳ, ଭୋଗରାଇ ବ୍ଲକ୍‌ର ଆରୁହାବୃତ୍ତି ଆଦି ଶତାଧିକ ଗାଁର ଲୋକ ଏବେ ଦୈନନ୍ଦିନ କାମ ପାଇଁ ନଦୀପାଣି ପାଉନାହାନ୍ତି। ବର୍ତ୍ତମାନ ଗ୍ରୀଷ୍ମଋତୁ ଆରମ୍ଭରୁ ନଦୀର ଏମିତି ଦୟନୀୟ ଚିତ୍ର ଦେଖିବାକୁ ମିଳିଥିବା ବେଳେ ଆଗକୁ ସ୍ଥିତି କଣ ହେବ, ସେ ସଂକ୍ରାନ୍ତରେ ଅଞ୍ଚଳବାସୀ ଓ ପରିବେଶ୍‌ବିତ୍‌ ଚିନ୍ତାବ୍ୟକ୍ତ କରିଛନ୍ତି।

ଚିରସ୍ରୋ‌ତା ସୁବର୍ଣ୍ଣରେଖା ଶୁଖିଯିବାର କାରଣ ମଧ୍ୟ ଅନେକ। ଯାହାର ପ୍ରତିକାର ବ୍ୟବସ୍ଥା ବେଳ ଥାଉଥାଉ ନ କଲେ ଆଗକୁ ସୁବର୍ଣ୍ଣରେଖା ଯେ ଦିନେ ଇତିହାସ ପାଲଟିଯିବ, ଏ କଥାକୁ ଅସ୍ବୀକାର କରାଯାଇପାରିବନି।

ସମ୍ବନ୍ଧିତ ଖବର