ସମ୍ବଲପୁର, : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଞ୍ଚାୟତର ଫୁଲମୁଠି ଗାଁରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ହୋଇଥିବା ଅନିୟମିତତାକୁ ଶେଷରେ ସ୍ବୀକାର କରିଛି ପ୍ରଶାସନ। ଏହି ଘଟଣାରେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଅର୍ଥ ଆଦାୟ ସହ ଦୁର୍ନୀତି କରିଥିବା ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ ପାଇଁ ଆଦେଶ ଦିଆଯାଇଛି। ଏ ସଂପର୍କରେ ସୁବର୍ଣ୍ଣପୁର ଜିଲ୍ଲାପାଳ ପତ୍ର ସଂଖ୍ୟା ୭୩୧୨, ତା. ୧୭.୧୧.୨୦୨୨ଜରିଆରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ଜଣାଇଛନ୍ତି। ନିରପେକ୍ଷ ତଦନ୍ତ ପରେ ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ପାଇଥିବା ଉକ୍ତ ଗାଁ’ର ନରସିଂହ ମିଶ୍ର ଏବଂ ହାଡ଼ୁଚରଣ ମିଶ୍ର ଏଥି ପାଇଁ ଯୋଗ୍ୟ ନଥିଲେ ବୋଲି ପ୍ରମାଣିତ ହୋଇଛି। ତେଣୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ବୋଲି ଭୁଲ ରିପୋର୍ଟ ଦେଇଥିବା ବିନିକା ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ, ବିନିକା ପିଏ ଦ୍ବିତୀକୃଷ୍ଣ ପଣ୍ଡା ଏବଂ ଚରଦା ପଞ୍ଚାୟତର ତତ୍କାଳୀନ ନିର୍ବାହୀ ଅଧିକାରୀ ମୀତାଞ୍ଜଳି ରଥଙ୍କୁ ଏଥି ପାଇଁ ଉତ୍ତରଦାୟୀ କରାଯିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ଉଭୟ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ନିୟମ ଅନୁଯାୟୀ ଦିଆ ଯାଇଥିବା ଅର୍ଥ ଫେରସ୍ତ ଆଣିବାକୁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ଜିଲ୍ଲାପାଳ ଆର୍ଡିସିଙ୍କୁ ସୂଚୀତ କରିଛନ୍ତି।
ତେବେ ଏହି ଦୁର୍ନୀତି ଲୋକଲୋଚନକୁ ଆଣିବା ପାଇଁ ୨ ବର୍ଷ ହେଲା ସଂଘର୍ଷ କରିଥିବା ଅଭିଯୋଗକାରୀ ବୃନ୍ଦାବନ ମିଶ୍ରଙ୍କୁ କିନ୍ତୁ ଏହା ସଂପୂର୍ଣ୍ଣ ସନ୍ତୁଷ୍ଟ କରିପାରି ନାହିଁ। ଏହି ପ୍ରସଂଗ ଉତ୍ତରାଞ୍ଚଳ ଆର୍ଡିସି ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ସେମାନେ ଯେଭଳି ତତ୍ପରତା ଦେଖାଇଛନ୍ତି, ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ସେଭଳି କରିଥିଲେ ହୁଏତ ବହୁ ସତ୍ୟ ସାମ୍ନାକୁ ଆସି ସାରିଥାନ୍ତା ଓ ଜିଲ୍ଲାକୁ ଏହି ଦୁର୍ନୀତି ପାଇଁ ବଦନାମ ହେବାକୁ ପଡ଼ି ନଥାନ୍ତା ବୋଲି ଶ୍ରୀ ମିଶ୍ର କହିଛନ୍ତି। ଜିଲ୍ଲା ପରିଷଦ ଏପିଡି, ସୋନପୁର ବିଡିଓ ଏବଂ ବିନିକା ତହସିଲଦାର ନିରପେକ୍ଷ ତଦନ୍ତ କରି ଅନିୟମିତତା ହୋଇଥିବା ସଂପର୍କରେ ରିପୋର୍ଟ ଦେବା ପୂର୍ବରୁ ବି ଏହି ଘଟଣାର ଏକାଧିକ ବାର ତଦନ୍ତ ହୋଇଥିଲା। ତେବେ ସବୁଥର ସଂପୃକ୍ତ ଅଧିକାରୀମାନେ ଉକ୍ତ ହିତାଧିକାରୀମାନଙ୍କୁ ଯୋଗ୍ୟ ଓ ଆବାସ ପ୍ରଦାନରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ଦର୍ଶାଇଥିଲେ।
କାରଣ ପୂର୍ବରୁ ହୋଇଥିବା ତଦନ୍ତ ସେହି ଅଧିକାରୀମାନେ କରିଥିଲେ ଯେଉଁମାନେ ଏବେ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବିଡିଓ ଶ୍ରୀମତୀ ପାଣିଗ୍ରାହୀ, ପିଏ ଶ୍ରୀ ପଣ୍ଡା ଏବଂ ନିର୍ବାହୀ ଅଧିକାରୀ ଶ୍ରୀମତୀ ରଥଙ୍କ ରିପୋର୍ଟ ଆଧାରରେ ଉପରୋକ୍ତ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଥିଲାବେଳେ ପରବର୍ତ୍ତୀ ସମୟରେ ପ୍ରଶାସନ ସେହିମାନଙ୍କ ହାତରେ ହିଁ ତଦନ୍ତ କରାଇଥିଲା। ଫଳରେ ସେମାନେ ନିଜେ ସୁପାରିସ କରିଥିବା ହିତାଧିକାରୀଙ୍କୁ ଅଯୋଗ୍ୟ ନଦର୍ଶାଇବା ସ୍ବାଭାବିକ।
ଶ୍ରୀ ମିଶ୍ରଙ୍କ ଅଭିଯୋଗ ଆଧାରରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀ ବହୁବାର ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କୁ ଚିଠି ଲେଖି ଏହା ଉପରେ ବ୍ୟକ୍ତିଗତଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡିଓ ଶ୍ରୀ ବେହେରା କୌଣସିଥର ନିଜେ ତଦନ୍ତ ପାଇଁ ନଯାଇ ଅନିୟମିତତା କରିଥିବା କର୍ମଚାରୀଙ୍କ ଦ୍ବାରା ହିଁ ତଦନ୍ତ କରାଇଥିଲେ ଓ ସେହି ରିପୋର୍ଟକୁ ସମସ୍ତଙ୍କ ପାଖକୁ ପଠାଇ ଚାଲିଥିଲେ। ଅଭିଯୋଗକାରୀ ଶ୍ରୀ ମିଶ୍ର ଏକାଧିକବାର ବର୍ତ୍ତମାନ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସୁବର୍ଣ୍ଣପୁରର ତତ୍କାଳୀନ ଡିଆର୍ଡିଏ ପିଡି ଡୋଳାମଣି ପଟେଲଙ୍କ ଦ୍ବାରସ୍ଥ ହୋଇ ଏ ସଂପର୍କରେ ଜଣାଇଥିଲେ ଓ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ପିଡି ଚାହିଁଥିଲେ ନିଜେ ଏହାର ତଦନ୍ତ କରି ପାରିଥାଆନ୍ତେ। ହେଲେ ସେ ଏହାକୁ ଅଣଦେଖା କରି ଆସିଥିଲେ। ଫଳରେ ଅଭିଯୋଗକାରୀ ବାଧ୍ୟ ହୋଇ ଆର୍ଡିସିଙ୍କ ଦ୍ବାରସ୍ଥ ହୋଇଥିଲେ। ଆର୍ଡିସି ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିଲେ। ସେ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଜିଲ୍ଲାପାଳ ସ୍ବାଧୀନ ତଦନ୍ତ ପାଇଁ ଆଦେଶ ଦେଇଥିଲେ ଓ ଶ୍ରୀ ମିଶ୍ରଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିଲା। ତେଣୁ କେବଳ ତଳସ୍ତରର କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ, ନିଜ କାର୍ଯ୍ୟରେ ଅବହେଳାକରୀ ଦୁର୍ନୀତିକୁ ପ୍ରଶ୍ରୟ ଦେଇଥିବା ଉପରିସ୍ଥ ଅଧିକାରୀମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଶ୍ରୀ ମିଶ୍ର କହିଛନ୍ତି।
୨୦୨୦ରେ ସେହି ବିନିକା ବ୍ଲକ୍ରେ ହୋଇଥିବା ଆବାସ ଆବଣ୍ଟନର ଅନ୍ୟ ଏକ ଦୁର୍ନୀତି ଧରା ପଡ଼ିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଡିଓ ସଂପୃକ୍ତ ସମସ୍ତ ଅଧିକାରୀ ଓ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ହେଲେ ଏଥର ବିଡିଓ ଥାନାରେ କୌଣସି ଏତଲା ନଦେଇ ଚୁପ୍ ବସିଛନ୍ତି। ସେହିପରି ଏହି ସମସ୍ତ ଘଟଣାରେ ସୁବର୍ଣ୍ଣପୁର ପୁଲିସ୍ ପ୍ରଶାସନ ପକ୍ଷଭୁକ୍ତ ଥିଲେ ବି ନିଜ ଦାୟିତ୍ବ ନିର୍ବାହରେ ଚରମ ଅବହେଳା ପ୍ରଦର୍ଶନ କରିଛି। ତେଣୁ ଦୁର୍ନୀତିକୁ ପ୍ରଶ୍ରୟ ଦେଇଥିବା ଅଧିକାରୀମାନଙ୍କ ବିରୋଧରେ ସେ ଆଇନ୍ର ଆଶ୍ରୟ ନେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏ ସଂପର୍କରେ ପ୍ରତିକ୍ରିୟା ପାଇଁ ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କୁ ଯୋଗାଯୋଗ ପ୍ରୟାସ ହୋଇଥିଲେ ବି ସେ ଫୋନ୍ ଉଠାଇ ନଥିଲେ।