ରେଢ଼ାଖୋଲ : ଅଭାବ ଅନଟନ ସତ୍ତ୍ବେ ହାର ମାନିନାହାନ୍ତି ସୁଭଦ୍ରା।ନିଜ ଗୋଡ଼ରେ ନିଜେ ଠିଆ ହେବାର ଉଦ୍ୟମ କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଭରତାପୁର ପଞ୍ଚାୟତର ଚୂଡାପୁଡୁଗ ଗ୍ରାମର ସୁଭଦ୍ରା କ୍ଷେତି।

Advertisment

ସୁଭଦ୍ରାଙ୍କ ପରିବାରରେ ଅଭାବ ଅନଟନ ଲାଗି ରହିଥିଲା। ପରିବାର ସଦସ୍ୟମାନେ ପାଖରେ ଥିବା କ୍ରସରରେ କାମ କରୁଥିଲେ। ନିଜେ ଦୁଇ ପୁଅଝିଅଙ୍କ ଲାଳନପାଳନରେ ସମୟ ବିତାଉ ଥିଲେ। ସ୍ବାମୀ ଜଣେ ନାମମାତ୍ର ଚାଷୀ ଥିଲେ। କ୍ରସର ଓ ଚାଷରୁ ଯାହା ରୋଜଗାର ହେଉଥିଲା ସବୁକିଛି  ଖର୍ଚ୍ଚ ହୋଉଯାଇଥିଲା। ନଡ଼ାଛପର ଘରେ ସାରା ପରିବାର ରହୁଥିଲେ। ସୁଭଦ୍ରାଙ୍କ କହିବା ଅନୁଯାୟୀ, ଅଭାବ ଅନଟନ ସତ୍ତ୍ବେ ସେ କିଛି କରବାକୁ ଚିନ୍ତା କଲେ। ନିଜେ ପ୍ରଥମେ କିଛି କିଛି ଟଙ୍କା ସଂଚୟ କରି ୫ ବର୍ଷ ତଳେ ଏକ ଛେଳି କିଣିଥିଲେ। ତା’ପରେ ଆଉ ପଛକୁ ଫେରି ନାହାନ୍ତି।

publive-image

ପରବର୍ତ୍ତୀ ସମୟରେ ନିଜ ଉଦ୍ୟମରେ ସେ ଗାଁରେ ଅନ୍ନପୂର୍ଣ୍ଣା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କଲେ। ସେ ସେହି ଗୋଷ୍ଠୀରୁ ୫୦ ହଜାର ଟଙ୍କା ଋଣ ଆଣି ଛେଳିଚାଷରେ ବିନିଯୋଗ କଲେ। ବର୍ତ୍ତମାନ ତାଙ୍କର ପ୍ରାୟ ୪୦ ରୁ ୫୦ଟି ଛୋଟବଡ଼ କରି ଛେଳି ଥିବା ଜଣାପଡ଼ିଛି। ଏବେ ମାସିକ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ଛେଳି ଚାଷରୁ ଲାଭ ହେଉଥିବା କହନ୍ତି ସୁଭଦ୍ରା। ତାଙ୍କର ଝିଅ ଏବେ ପାଠ ପଢୁଥିବା ବେଳେ ପୁଅ ପଢ଼ା ସାରି ଏକ ଘରୋଇ କଂପାନିରେ ଚାକିରି କରୁଛନ୍ତି। ତାଙ୍କ ସ୍ବାମୀ ମଧ୍ୟ ଛେଳିମାନଙ୍କ କଥା ବୁଝୁଛନ୍ତି। ତାଙ୍କ ମହିଳା ଗୋଷ୍ଠୀର ସଦସ୍ୟମାନେ ମଧ୍ୟ କିଛି କିଛି ପାରିଶ୍ରମିକ ନେଇ ଛେଳିମାନଙ୍କ ଦେଖାଶୁଣାରେ ସହେଯୋଗ କରିଥାନ୍ତି। ସେ ଯାହା ବି ହେଉ ବର୍ତ୍ତମାନ ସୁଭଦ୍ରାଙ୍କ ନିଜ ଉଦ୍ୟମରେ ଚାଳଘର ଏବେ ପକ୍କାଘରକୁ ରୂପାନ୍ତରିତ ହୋଇଛି।

ସୁଭଦ୍ରା କହନ୍ତି କିଛି ଅଧିକ ଆର୍ଥିକ ସହାୟତା ମିଳିଲେ ଆଉ ଅଧିକ ଛେଳି ରଖିପାରନ୍ତେ। ସେହିପରି ଛେଳିମାନଙ୍କ ପାଇଁ ଏକ ପକ୍କାଘର ନିର୍ମାଣ କରନ୍ତେ। ଏହି ଆଶା ପୂରଣ ହେଲେ ସେ ଅଧିକ ମହିଳାଙ୍କୁ କର୍ମନିଯୁକ୍ତି ଦେବାରେ ସହାୟକ ହୋଇପାରନ୍ତେ। ଅତ୍ୟାଧୁନିକ ଛେଳି ଚାଷ ବାବଦରେ ତାଲିମ ମିଳିଲେ ସେ ଆଗକୁ ବଢ଼ି ପାରନ୍ତେ ବୋଲି କହିଛନ୍ତି। ‌ସେହିପରି ସୁଭଦ୍ରା ‌ଜଣେ ‌ସ୍ବେଚ୍ଛାସେବୀ ଭାବେ ବି ଅଞ୍ଚଳରେ ବେଶ୍‌ ଜଣାଶୁଣା।