ବାଲିଆପାଳ: ସୁଭଦ୍ରା ଯୋଜନାର କାମ କରିବାକୁ ବାରଣ କରାଯାଇଥିଲା। ମାତ୍ର ଏହାକୁ ନ ମାନିବାରୁ କଙ୍ଗାରୁ କୋର୍ଟ ବସାଇ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି କେତେକ ଗ୍ରାମବାସୀ। ଏପରି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା କୁଣ୍ଡୁଳୀ ପଞ୍ଚାୟତ ମହାପଦା ଗ୍ରାମରେ। ସଂପୃକ୍ତ କର୍ମୀ ଜଣକ ଏବେ ଗୁରୁତର ହୋଇ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅଭିଯୋଗ ଅନୁସାରେ, ଏବେ ସୁଭଦ୍ରା ଯୋଜନାରେ ନାଁ ପଞ୍ଜୀକରଣ ଚାଲିଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଫର୍ମ ବଣ୍ଟନ କାର୍ଯ୍ୟ କରୁଥିଲେ। ଏହି ସମୟରେ ଗ୍ରାମର କେତେକ ଲୋକ ଆସି ତାଙ୍କୁ ଉକ୍ତ କାର୍ଯ୍ୟ ନ କରିବାକୁ କହିଥିଲେ। କିନ୍ତୁ ସଂପୃକ୍ତ କର୍ମୀ ସେମାନଙ୍କ କଥା ନମାନି ଫର୍ମ ବଣ୍ଟନ କରିବା ସହିତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସୁଭଦ୍ରା ଯୋଜନା ପାଇଁ  ଗ୍ରାମରେ ରାଲି କରିଥିଲେ। ଏହାକୁ ନେଇ କେତେକ ଗ୍ରାମବାସୀ ତାଙ୍କ ଉପରେ ଆକ୍ରୋଶ ରଖିଥିଲେ। ତେବେ ସେପ୍ଟେମ୍ବର ୧୯ ତାରିଖ ଦିନ ୧୧ଟା ବେଳେ କର୍ମୀ ଜଣକ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ହଠାତ୍‌ ଗ୍ରାମର ଅଞ୍ଜଳି ସାନ୍ତରା, ପୂର୍ଣ୍ଣିମା ମିଶ୍ର, ରଞ୍ଜୁଲତା ମଲ୍ଲିକ, ଆରତୀ ମଲ୍ଲିକ, ରେଖା ବେହେରା, ସାଗରବାଳା ବେହେରା, ପଦ୍ମିନୀ ମଲ୍ଲିକ ସମେତ ଶିବପୁରା ଗ୍ରାମର ନବକୁମାର ମଲ୍ଲିକ, ବିକାଶ କୁମାର ବେହେରା ପହଞ୍ଚି ମିଳିତ ଭାବେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିସହିତ ତାଙ୍କୁ କେନ୍ଦ୍ରରୁ ବାହାରକୁ ଘୋଷାରି ଆଣି ଗୋଟିଏ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। 

Advertisment

ଖବର ପାଇ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ, ବାଲିଆପାଳ ବ୍ଲକ୍‌ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ସମ୍ପାଦିକା ପୂର୍ଣ୍ଣିମା ଦେ,  ବଢ଼ାଣ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି କର୍ମୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ତାଙ୍କୁ ଛାଡ଼ି ନଥିଲେ। ଫଳରେ ନିରାଶ ହୋଇ ପୁଲିସ ଫେରି ଯାଇଥିଲା। ଦିନତମାମ ତାଙ୍କୁ ମନଇଚ୍ଛା ମାଡ଼ ମାରିଥିଲେ। ଅପରାହ୍ନ ୫ଟାରେ ପୁଣି ବସିଥିଲା କଙ୍ଗାରୁ କୋର୍ଟ। ଏନେଇ ଥାନାରେ ଅଭିଯୋଗ ନ କରିବାକୁ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଲିଖିତପତ୍ର ରଖି ତାଙ୍କୁ ଛାଡ଼ି ଦେଇଥିଲେ ଗ୍ରାମବାସୀ।  ପରେ କର୍ମୀଙ୍କ ଅଭିଯୋଗକ୍ରମେ ସିଂଲା ଥାନାରେ କେସ୍‌ ନମ୍ବର ୧୬୩/୨୪ରେ ମାମଲା ରୁଜୁ ହୋଇଥିଲା। ତେବେ ଏଯାଏ ପୁଲିସ କାହାରିକୁ ଗିରଫ କରିନି। ଅନ୍ୟପଟେ କର୍ମୀଙ୍କ ନାଁରେ ପାଲଟା ଏତଲା ଦେଇଛନ୍ତି ଗ୍ରାମବାସୀ।

ଏନେଇ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲା ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ପ୍ରଦାନ କରାଯାଇଥିଲା। ଆଜି ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଫୋନ୍‌ କରି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଏଥି ସହିତ ତାଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।