ବାରିପଦା: ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ସବୁଠୁ ଚର୍ଚ୍ଚାରେ ଥିବା ଯୋଜନା ହେଉଛି ‘ସୁଭଦ୍ରା’। ମହିଳା ସଶକ୍ତୀକରଣ ପାଇଁ ଏହାକୁ ମାଷ୍ଟରଷ୍ଟ୍ରୋକ୍ ବୋଲି କହୁଛନ୍ତି ବିଜେପି ନେତା। ଏହି ଯୋଜନାରେ ଏଯାଏଁ ରାଜ୍ୟରେ ୧ କୋଟି ମହିଳାଙ୍କୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏବେ ବି ଆବେଦନ ପ୍ରକ୍ରିୟା ଜାରି ରହିଛି, ଯାହା ଚଳିତ ମାସ ୩୧ ତାରିଖ ଯାଏଁ ଚାଲିବ। ତେବେ ସବୁଠୁ ବଡ଼ କଥା ହେଲା, ଏହି ଯୋଜନାରେ ରାଜ୍ୟର ୫୧ ହଜାର ୩୪୯ ଗାଁ ମଧ୍ୟରୁ ୩୦୮୧ ଗାଁରୁ ଏପର୍ଯ୍ୟନ୍ତ ଗୋଟିଏ ବି ଆବେଦନ ଆସିନି। ସେହିପରି ମୟୂରଭଞ୍ଜ ଜିଲ୍ଲାର ୧୮୨ଟି ଗାଁରୁ ଗୋଟିଏ ହେଲେ ଆବେଦନ ହୋଇ ନଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ,୨ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ର ସମସ୍ତ ମନ୍ତ୍ରୀ ଓ ବିଜେପିର ସମସ୍ତ ବିଧାୟକ; ସାରା ରାଜ୍ୟରେ ବୁଲି ବୁଲି ଏହି ଯୋଜନାର ପ୍ରଚାର କରୁଛନ୍ତି। ଜିଲ୍ଲାପାଳଙ୍କଠାରୁ ପଞ୍ଚାୟତର ଅଧିକାରୀଙ୍କ ଯାଏଁ ସମସ୍ତେ ‘ସୁଭଦ୍ରା’ ଯୋଜନାକୁ ସଫଳ କରିବାରେ ଲାଗିଛନ୍ତି। ଏହା ସତ୍ତ୍ବେ ରାଜ୍ୟରୁ ଏତେ ସଂଖ୍ୟାରେ ଗାଁରୁ କିପରି ଗୋଟିଏ ବି ଆବେଦନ ଫର୍ମ ଆସିଲାନି, ସେ ନେଇ ମାନସମନ୍ଥନ ଆରମ୍ଭ ହୋଇଛି। ରାଜ୍ୟ ସମନ୍ବୟ ଶାଖା ପକ୍ଷରୁ ଏ ନେଇ ପ୍ରତି ଜିଲ୍ଲାକୁ ଚିଠି କରାଯାଇଛି। କାହିଁକି ଏହି ଗାଁଗୁଡ଼ିକ ଯୋଜନାରୁ ଏଯାଏଁ ବାଦ୍ ପଡ଼ିଛନ୍ତି, ତାହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟ ସମନ୍ବୟ ଶାଖାର ନିର୍ଦ୍ଦେଶ ପରେ ମୟୂରଭଞ୍ଜ ଜିଲ୍ଲାପାଳ ଜିଲ୍ଲାର ୧୮୨ ଗ୍ରାମରେ ରହିଥିବା ତୃଣମୂଳ ସରକାରୀ କର୍ମଚାରୀ ଓ ବିଡିଓଙ୍କୁ ଚିଠି କରିଛନ୍ତି। ତାଙ୍କ ଚିଠି ପରେ ଘଟଣାର ତନାଘନା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ; ଅନୁଗୁଳ ଜିଲ୍ଲାର ୨୦୧ଟି, ବଲାଙ୍ଗୀରର ୨୩, ବାଲେଶ୍ୱରର ୨୨୯, ବରଗଡ଼ର ୧୮, ଭଦ୍ରକର ୫୩, ବୌଦ୍ଧର ୫୮, କଟକର ୭୫, ଦେବଗଡ଼ର ୭୫, ଢେଙ୍କାନାଳର ୧୨୮, ଗଜପତିର ୭୨, ଗଞ୍ଜାମର ୩୦୪, ଜଗତସିଂହପୁରର ୫୧, ଯାଜପୁରର ୧୬୭, ଝାରସୁଗୁଡ଼ାର ୬, କଳାହାଣ୍ଡିର ୧୪୯, କନ୍ଧମାଳର ୨୦୬, କଳାହାଣ୍ଡିର ୧୦, କେନ୍ଦ୍ରପଡ଼ାର ୧୦୮, କେନ୍ଦୁଝରର ୫୪, ଖୋର୍ଦ୍ଧାର ୧୫୩, କୋରାପୁଟର ୮୬, ମାଲକାନଗିରିର ୨୫, ମୟୂରଭଞ୍ଜର ୧୮୨, ନବରଙ୍ଗପୁରର ୪, ନୟାଗଡ଼ର ୧୪୦, ନୂଆପଡ଼ାର ୬, ପୁରୀର ୮୯, ରାୟଗଡ଼ାର ୧୯୩, ସମ୍ବଲପୁରର ୫୯, ସୁବର୍ଣ୍ଣପୁରର ୧୨୬ ଓ ସୁନ୍ଦରଗଡ଼ ଜିଲ୍ଲାର ୪୦ଟି ଗ୍ରାମରୁ ଏପର୍ଯ୍ୟନ୍ତ କୌଣସି ଆବେଦନ ପ୍ରାପ୍ତ ହୋଇନାହିଁ। ଏହି କ୍ଷେତ୍ରରେ ଗଞ୍ଜାମଜିଲ୍ଲା ପ୍ରଥମ ସ୍ଥାନରେ ରହିଛି, ଯେଉଁଠି ସର୍ବାଧିକ ୩୦୪ଟି ଗ୍ରାମରୁ କୌଣସି ଆବେଦନ ଆସିନାହିଁ। ସେହିପରି ମୟୂରଭଞ୍ଜ ଜିଲ୍ଲାର ରିପୋର୍ଟ ଦେଖିଲେ; ରାସଗୋବିନ୍ଦପୁର ବ୍ଲକ୍ର ୨୧, ଶାମାଖୁଣ୍ଟାର ୨୦, ବହଳଦାର ୩, ବାଙ୍ଗିରିପୋଷିର ୧୨, ବାରିପଦାର ୨, ବଡ଼ସାହିର ୯, ବେତନଟୀର ୬, ବିଜାତଳାର ୧୩, ରାଇରଙ୍ଗପୁରର ୭, ବିଶୋଇର ୬, ଗୋପବନ୍ଧୁନଗରର ୨, ଯଶିପୁରର ୧୫, ଖୁଣ୍ଟାର ୩, କୁଳିଅଣାର ୨୩, କୁସୁମୀର ୧, ମୋରଡ଼ାର ୪, ରରୁଆଁର ୫, ସାରସକଣାର ୧୯, ଶୁକୃଳିର ୨, ଶୁଳିଆପଦାର ୫, ଠାକୁରମୁଣ୍ଡା ଓ ତିରିଂରୁ ଗୋଟିଏ ଲେଖାଁଏ ଓ ଉଦଳା ବ୍ଳକ୍ର ୩ଟି ଗାଁରୁ ଗୋଟିଏ ମଧ୍ୟ ଆବେଦନପତ୍ର ଆସିନି।
ଏ ସଂପର୍କରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ ଜିଲ୍ଲାରେ ୧୮୨ଟି ଗାଁରୁ ଗୋଟିଏ ମଧ୍ୟ ଆବେଦନପତ୍ର ଆସିନି। ତେବେ ଏହା ପଛରେ କଣ କାରଣ ରହିଛି, ସେ ନେଇ ଆମେ ତନାଘନା ଆରମ୍ଭ କରିଛୁ। ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ନିର୍ବାଚିତ ଲୋକପ୍ରତିନିଧି, ବିଡିଓ, ଜିଲ୍ଲା ପରିଷଦ କର୍ମଚାରୀଙ୍କୁ ଚିଠି କରାଯାଇଛି। ରାଜ୍ୟ ସମନ୍ବୟ ଶାଖାରୁ ପ୍ରତି ଜିଲ୍ଲାକୁ ଏ ସଂକ୍ରାନ୍ତରେ ଚିଠି କରାଯାଇଥିବା ବେଳେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ଉଦ୍ୟମ ଚାଲିଛି।