ଭୁବନେଶ୍ବର: ବର୍ତ୍ତମାନ ସୁଭଦ୍ରା ଯୋଜନାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ ୮୦,୨୯.୭୪୨୧ ଜଣଙ୍କ ଆବେଦନକୁ(ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ) ମଞ୍ଜୁର କରାଯାଇ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ନଥିବା ଅବଶିଷ୍ଟ ଆବେଦନଗୁଡ଼ିକ ବିଚାରାଧୀନ ଅଛି। ବର୍ତ୍ତମାନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆବେଦନ କରିବାର କୌଣସି ଶେଷ ତାରିଖ ରଖାଯାଇ ନଥିଲା। ଆଜି ରାଜ୍ୟ କ୍ୟାବିନେଟ୍ରେ ଏହି ପଞ୍ଜୀକରଣର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୦୨୪-୨୫ ଆର୍ଥିକ ବର୍ଷର ସୁଭଦ୍ରା ପଞ୍ଜୀକରଣ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମିଶାଇ ମୋଟ୍ ୯ଟି ପ୍ରସ୍ତାବ ପାରିତ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଛାତ ଉପର ସୌରଶକ୍ତି ପ୍ରକଳ୍ପ ପାଇଁ ଭାରତ ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର: ମୁକ୍ତ ବିଜୁଳି ଯୋଜନା’ ପ୍ରଣୟନ କରାଯାଇଛି। ଏହାକୁ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ଅଧିକ ସବ୍ସିଡି ଦେବେ। ଏ ସଂକ୍ରାନ୍ତ ପ୍ରସ୍ତାବ ଆଜି କ୍ୟାବିନେଟ୍ରେ ପାରିତ ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ଘର ପିଛା ସର୍ବାଧିକ ୩ କିଲୋୱାଟ୍ କ୍ଷମତା ସମ୍ପନ୍ନ ଛାତ ଉପର ସୌର ପ୍ରକଳ୍ପ ସ୍ଥାପନ କରିବାକୁ ଦୁଇ କିଲୋୱାଟ୍ ପର୍ଯ୍ୟନ୍ତ କିଲୋୱାଟ୍ ପିଛା ୨୫ ହଜାର ଟଙ୍କା ଦେବେ। ତୃତୀୟ କିଲୋୱାଟ୍ ପାଇଁ ଅତିରିକ୍ତ ୧୦ ହଜାର ଟଙ୍କାର ସବ୍ସିଡି ପ୍ରଦାନ କରାଯିବ। ଏହି ଯୋଜନାକୁ ଫଳପ୍ରଦ କରିବା ପାଇଁ ୨୦୨୪-୨୫ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ରାଜ୍ୟର ପ୍ରାୟ ୩ ଲକ୍ଷ ଘରୋଇ ବିଜୁଳି ଉପଭୋକ୍ତା ଲାଭାନ୍ବିତ ହେବେ ବୋଲି ସରକାର ଆଶା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୨୦୨୧-୨୨ରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ୮୭୪.୧୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା କୃଷି ଉଦ୍ୟୋଗୀମାନଙ୍କୁ ସବ୍ସିଡି ପ୍ରଦାନରେ ସହାୟକ ହେବ। ଓଡ଼ିଶା ରାଜ୍ୟ ଯୋଗାଣ ନିଗମକୁ ବ୍ୟାଙ୍କ ଋଣ ପାଇଁ ସରକାରୀ ଗ୍ୟାରେଣ୍ଟି ଲାଗୁ ପ୍ରସ୍ତାବ କ୍ୟାବିନେଟ୍ରେ ପାରିତ ହୋଇଛି। ଯୋଗାଣ ନିଗମ ଦ୍ବାରା ପାଞ୍ଚ ବର୍ଷ ପାଇଁ ନିଆଯିବାକୁ ଥିବା ନୂଆ ଋଣ ନିମନ୍ତେ ୧୭,୫୦୦ କୋଟି ଟଙ୍କାର ସରକାରୀ ଗ୍ୟାରେଣ୍ଟି ପ୍ରଦାନ କରାଯିବ। ନିଗମକୁ ଗ୍ୟାରେଣ୍ଟି କମିସନ୍ ଦେୟ ୪୩୭.୫ କୋଟି ଟଙ୍କା ଛାଡ଼ କରାଯିବ।
ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ପରିଚାଳନା ଦାୟିତ୍ବ ରାଜସ୍ବ ବିଭାଗରୁ ଇସ୍ପାତ ଓ ଖଣି ବିଭାଗକୁ ପୂର୍ବରୁ ହସ୍ତାନ୍ତର କରାଯାଇଥିଲା। ଏହି ହସ୍ତାନ୍ତର ପ୍ରକ୍ରିୟାରେ ଆଉ କିଛି ସଂଶୋଧନ କରାଯାଇଛି। ରାଜସ୍ବ ବିଭାଗରୁ ସଇରାତ ବ୍ୟତୀତ ଲଘୁ ଖଣିଜ ପଦାର୍ଥର ପରିଚାଳନା ଓ ପ୍ରଶାସନ ମଧ୍ୟ ଖଣି ବିଭାଗକୁ ସ୍ଥାନାନ୍ତରଣ କରାଯିବ। ଖଣିଜ ପଦାର୍ଥ ବ୍ଲକଗୁଡ଼ିକର ନିଲାମ କରାଯିବ। ଖଣି ବିଭାଗ ଅଧୀନରେ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଏବଂ ଲଘୁ ଖଣିଜ ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରାଯିବ। ଏହି ପ୍ରସ୍ତାବରେ ଆଜି କ୍ୟାବିନେଟ୍ ମୋହର ବାଜିଛି।
ଯୋଜନା ଓ ସଂଯୋଜନ ବିଭାଗ ଅଧୀନସ୍ଥ ‘ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ସେବା ବର୍ଗ’ ଏବଂ ‘ଓଡ଼ିଶା ଅଧସ୍ତନ ଅର୍ଥନୀତି ଓ ପରିସଂଖ୍ୟାନ ସେବା ବର୍ଗ’ର ପୁନର୍ଗଠନ ପ୍ରସ୍ତାବ କ୍ୟାବିନେଟ୍ରେ ପାରିତ ହୋଇଛି। ୧୯୯୩ ମସିହାରେ ପ୍ରଣୟନ କରାଯାଇଥିବା ‘ମାନବମଳ ସଫେଇ କର୍ମଚାରୀ ନିଯୁକ୍ତି ଏବଂ ପାଇଖାନାର ନୂତନ ନିର୍ମାଣ(ନିଷେଧ) ଅଧିନିୟମ’କୁ ପ୍ରତ୍ୟାହାର କରିନିଆଯିବା ପ୍ରସ୍ତାବ କ୍ୟାବିନେଟ୍ର ଅନୁମୋଦନ ପାଇଛି। ଏହି ଅଧିନିୟମର ମୌଳିକ ଉଦ୍ଦେଶ୍ୟଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ୨୦୧୩ ମସିହାରେ ‘ମାନବମଳ ସଫେଇ କର୍ମଚାରୀ ନିଯୁକ୍ତି ନିଷେଧ ଓ ସେମାନଙ୍କ ପୁନର୍ବାସ ଅଧିନୟମ,୨୦୧୩’ ପ୍ରଣୟନ ହୋଇଥିବାରୁ ୧୯୯୩ ଅଧିନିୟମର ଆବଶ୍ୟକତା ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଛାତ ଉପର ସୌର ପ୍ରକଳ୍ପ ପାଇଁ ସବ୍ସିଡି ବଢ଼ିଲା, ବୟସ୍କ, ଭିନ୍ନକ୍ଷମ ଭତ୍ତା ୩୫ଶହକୁ ବଢ଼ିଲା
ଭୁବନେଶ୍ବର: ରାଜ୍ୟ ସରକାର ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୮୦ବର୍ଷ କମ୍ବା ତଦୁର୍ଦ୍ଧ ବୟସ୍କ ଓ ୮୦ଭାଗରୁ ଅଧିକ ଭିନ୍ନକ୍ଷମତା ଥିବା ହିତାଧିକାରୀ ଏଣିକି ୩୫ଶହ ଟଙ୍କା ପାଇବେ। ଜାନୁଆରି ୨୦୨୫ରୁ ଏହା ଲାଗୁ ହେବ। ପୂର୍ବରୁ ସରକାର ଏହି ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲା ବେଳେ ଆଜି ସେଥିରେ କ୍ୟାବିନେଟ୍ ମୋହର ବାଜିଛି।