ଭୁବନେଶ୍ବର: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ନିଜେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଆସି ଜନତା ମଇଦାନରୁ ଏହି ଯୋଜନାକୁ ଆରମ୍ଭ କରିବେ। ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ଯୋଜନାର ପ୍ରଥମ କିସ୍ତି ଅର୍ଥ ଯିବ। ଏଥି ପାଇଁ ସରକାରୀ ସ୍ତରରେ ବଡ଼ ଧରଣର ପ୍ରସ୍ତୁତି ଚାଲିଛି। ଆଜି ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ଲେଖାଏ ପଠାଯାଇଛି। ସାରା ରାଜ୍ୟରେ ସୁଭଦ୍ରା ସଚେତନତା ପଦଯାତ୍ରା ବି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜନତା ମଇଦାନ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି।

Advertisment

ଭୁବନେଶ୍ବରରେ ୟୁନିଟ-୩ ଗିରିଦୁର୍ଗା ମନ୍ଦିର ନିକଟରୁ ରମାଦେବୀ ବିଶ୍ୱବିଦ୍ୟାଳୟ ଛକ ପର୍ଯ୍ୟନ୍ତ  ‘ସୁଭଦ୍ରା ସଚେତନତା ପଦଯାତ୍ରା’ କରାଯାଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ ଭି ସିଂହଦେଓଙ୍କ ସାମିଲ ହୋଇଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢୁଛି। ଏବେ ସୁଦ୍ଧା ‘ସୁଭଦ୍ରା’ ଯୋଜନା ପାଇଁ ୬୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଆବେଦନ କରିସାରିଲେଣି। ପଞ୍ଜୀକରଣ ପାଇଁ ବଢୁଥିବା ଗହଳିକୁ ଦେଖି ସ୍ପଷ୍ଟ ଅନୁମେୟ ହେଉଛି ଯେ ଓଡ଼ିଶାରେ ମହିଳାମାନେ ‘ସୁଭଦ୍ରା’କୁ ଆପଣେଇଛନ୍ତି। ଏହାକୁ ଏକ ସଫଳ ଯୋଜନା କରିବା ପାଇଁ ରାଜ୍ୟ ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛନ୍ତି। ଗାଁଗୁଡ଼ିକରେ ୭୪,୦୦୦ ଜାଗାରେ ଅଙ୍ଗନବାଡ଼ି ଭଉଣୀମାନେ ଏହି ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଅଭିଯାନ ସୁରୁଖୁରରେ ଚଳାଉଛନ୍ତି। ମିସନ ଶକ୍ତି ମହିଳା, ପଞ୍ଚାୟତ ସ୍ତରୀୟ, ବ୍ଲକ୍‌ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଫେଡେରେସନର ସମସ୍ତ ମା’ଭଉଣୀମାନେ ‘ସୁଭଦ୍ରା’ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାର ଉଦ୍ୟମ କରୁଛନ୍ତି। ସେପ୍ଟେମ୍ବର ୧୫ ତାରିଖ ଯାଏଁ ଯେଉଁମାନେ ଆବେଦନ କରିଥିବେ, ସେମାନଙ୍କ ପାଖକୁ ୧୭ ତାରିଖରେ ବ୍ୟାଙ୍କରୁ ପ୍ରଥମ କିସ୍ତି ଯିବ। ୧୭ ସୁଦ୍ଧା ୧ କୋଟି ମହିଳା ପଞ୍ଜିକୃତ ହେବାର ଲକ୍ଷ୍ୟ ରହିଛି। ଓଡ଼ିଶାର ରାଜସ୍ୱ ଗ୍ରାମଗୁଡ଼ିକରେ ୧୦ ହଜାର ‘ସୁଭଦ୍ରା ସଚେତନତା ପଦଯାତ୍ରା’ ଆୟୋଜନ କରାଯାଇଛି। 

ଆରମ୍ଭ ହେଲା ସଚେତନତା ପଦଯାତ୍ରା
ମୋଦୀଙ୍କ ଜନ୍ମ ଦିନରେ ଆରମ୍ଭ ହେବ ଯୋଜନା

ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସାମିଲ୍‌ ହୋଇଥିଲେ। ପଦଯାତ୍ରା ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରେ ପହଞ୍ଚିବା ପରେ ସ୍ୱାଧୀନତା ସଂଗ୍ରାମୀ, ରାଜ୍ୟରେ ନାରୀ ସଶକ୍ତୀକରଣର ବାର୍ତ୍ତାବହ ମା’ ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଉପମୁଖ୍ୟମନ୍ତ୍ରୀ। ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି, ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ମିସନ ଶକ୍ତି କମିସନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ବିଏମସି କମିସନର ରାଜେଶ ପ୍ରଭାକର ପାଟିଲ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।