ଝାଡ଼ଖଣ୍ଡ ଚାଇଁବସାରୁ ସୁବ୍ରତ ସ୍ବାଇଁ
କେନ୍ଦୁଝର: ଓଡ଼ିଶା ସରକାରଙ୍କ ‘ସୁଭଦ୍ରା’ ଯୋଜନା ଏବେ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପିର ପ୍ରମୁଖ ଅସ୍ତ୍ର ପାଲଟିଛି। ଓଡ଼ିଶାର ‘ସୁଭଦ୍ରା’ ପରି ଝାଡ଼ଖଣ୍ଡରେ ବିଜେପି ‘ଗୋ ଗୋ ଦିଦି’ ଯୋଜନା ଆରମ୍ଭ କରିବ ବୋଲି ଦଳୀୟ ନେତାମାନେ ନିର୍ବାଚନୀ ସଭାରେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଯୋଜନାରେ ପ୍ରତି ମାସରେ ମହିଳାଙ୍କୁ ୨୧ ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଓଡ଼ିଶାରେ ଧାନ କୁଇଣ୍ଟାଲ ୩୧୦୦ ଟଙ୍କାକୁ ନେଇ ମଧ୍ୟ ଝାଡ଼ଖଣ୍ଡ ନିର୍ବାଚନୀ ସଭାରେ ଜୋରଦାର ଚର୍ଚ୍ଚା ହେଉଛି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ କିଭଳି ମହିଳା, ଚାଷୀ ଲାଭବାନ ହୋଇଛନ୍ତି, ତାହାର ଉଦାହରଣ ଦେଇ ବିଜେପି ନେତାମାନେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି। ଅନ୍ୟପକ୍ଷରେ ଜେଏମ୍ଏମ୍-କଂଗ୍ରେସର ଗଠବନ୍ଧନର ନେତୃବୃନ୍ଦ ‘ସୁଭଦ୍ରା’ ଓ ଧାନର ସହାୟକ ମୂଲ୍ୟକୁ ଜୋରଦାର କାଉଣ୍ଟର କରିଛନ୍ତି। ‘ମୈୟାଁ ସମ୍ମାନ’ ଓ ‘କିଷାନ କଲ୍ୟାଣ’ ଯୋଜନା ସମ୍ପର୍କରେ ପ୍ରଚାର କରୁଛନ୍ତି। ‘ମୈୟାଁ ସମ୍ମାନ’ ଯୋଜନାରେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦିଆଯିବ ବୋଲି ଗଠବନ୍ଧନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଛି।
ଆଜି ଦିନତମାମ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଚାଇଁବସା, ମୋଚିସାହି, ଡୁମୁରିଆ, ଷଢ଼େଇକଳା ଆଦି ସ୍ଥାନରେ ହୋଇଥିବା ସଭାରେ ଓଡ଼ିଶାର ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଓଡ଼ିଶାରେ ମହିଳାମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରୁଛି ଓଡ଼ିଶା ସରକାରଙ୍କ ‘ସୁଭଦ୍ରା’ ଯୋଜନା। ଝାଡ଼ଖଣ୍ଡରେ ଏହି ଯୋଜନା ଆରମ୍ଭ ହେଲେ ମହିଳାଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ବୋଲି କହିଥିଲେ। ଏଥିପାଇଁ ଏଠାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିଥିଲେ। ଝାଡ଼ଖଣ୍ଡର ବରିଷ୍ଠ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଗନ୍ନାଥପୁର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଗୀତା କୋଡ଼ାଙ୍କ ସ୍ବାମୀ ମଧୁ କୋଡ଼ା ମଧ୍ୟ ସେହି ସମାନ କଥାକୁ ଦୋହରାଇଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଜେଏମ୍ଏମ୍ ଗଠବନ୍ଧନ ‘ମୈୟାଁ ସମ୍ମାନ’ ଯୋଜନା ପାଇଁ ପ୍ରତିଶ୍ରୁତି ଦେଇଥିଲା। ୫ ବର୍ଷ ପର୍ଯ୍ୟନ୍ତ ଏହା କରିନଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ମାତ୍ର ୧୦୦୦ ଟଙ୍କା ଲେଖାଏଁ ମହିଳାଙ୍କୁ ଦେଉଛି। ଯାହା ମହିଳାଙ୍କ ପ୍ରତି ଧୋକା। ଅନ୍ୟପକ୍ଷରେ ପଡ଼ୋଶୀ ଓଡ଼ିଶା ସରକାର ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନା କରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଛି ବୋଲି ମଧୁ କୋଡ଼ା କହିଥିଲେ।
ଆଜି ଡୁମୁରିଆଠାରେ ଆୟୋଜିତ ସଭାରେ ସମାନ କଥା ଦୋହରାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଥିଲେ, ଝାଡ଼ଖଣ୍ଡରେ ଏବେ ଧାନ କୁଇଣ୍ଟାଲ ୨୩୦୦ ଟଙ୍କା ଅଛି। ଓଡ଼ିଶାରେ ଧାନ କୁଇଣ୍ଟାଲ ୩୧୦୦ ଟଙ୍କା। ଏଠାରେ ଡବଲ ଇଞ୍ଜିନ ସରକାର ହେଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେବ ବୋଲି କହିଥିଲେ। ବିଧାୟକ ଭାଦବ ହାଁସଦା, ବିଧାୟିକା ସୀମା ନାୟକ, କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଯଜ୍ଞପ୍ରସାଦ ସାହୁ, ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ବିଧାୟକ ଅଖିଳ ଚନ୍ଦ୍ର ନାୟକ ପ୍ରମୁଖ ବିଭିନ୍ନ ନିର୍ବାଚନୀ ସଭାରେ ଯୋଗଦେଇ ‘ସୁଭଦ୍ରା’ ଯୋଜନା ଓ ଧାନର ସହାୟକ ମୂଲ୍ୟକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ସୁନାରାମ ସିଙ୍କୁ କିଷାନ କଲ୍ୟାଣ ଯୋଜନାରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୨୦୦ ଟଙ୍କା ପ୍ରଦାନ କରାଯିବ, ଯାହା ଗଠବନ୍ଧନ ସରକାରର ଗ୍ୟାରେଣ୍ଟି ବୋଲି ନୂଆମୁଣ୍ଡିସ୍ଥିତ ନିର୍ବାଚନୀ ସଭାରେ କହିଛନ୍ତି। ‘ମୈୟାଁ ସମ୍ମାନ’ ଯୋଜନାରେ ଏବେ ହଜାରେ ଟଙ୍କା ଦିଆଯାଉଛି। ଆଗାମୀ ଦିନରେ ରାଜ୍ୟରେ ଗଠବନ୍ଧନ ସରକାର ପୁଣି ଆସିଲେ ମହିଳାଙ୍କୁ ୨୫୦୦ ଟଙ୍କା ଦିଆଯିବ ବୋଲି କହିଛନ୍ତି।