ଭୁବନେଶ୍ବର: ଗୋଟିଏ ପରିବାରରୁ ଜଣେ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କୁହାଯାଉଥିଲା। ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ ପରିବାରରେ ଏକାଧିକ ମହିଳା ଥିଲେ ବି ଯଦି ସେମାନେ ନିର୍ଦେଶାବଳୀ ଅନୁଯାୟୀ ଯୋଗ୍ୟ ଥିବେ ତେବେ ‘ସୁଭଦ୍ରା’ ଯୋଜନାରେ ନିଶ୍ଚିତ ସାମିଲ ହେବେ। ବିଧବା ମହିଳା, ଛାତ୍ରବୃତ୍ତି ପାଉଥିବା ଛାତ୍ରୀମାନେ ବି ଏହି ଯୋଜନାରେ ସାମିଲ୍ ହୋଇପାରିବେ।
ଶ୍ରୀମତୀ ପରିଡ଼ା କହିଛନ୍ତି, ବିରୋଧୀ ସମାଲୋଚନା କରିବା କଥା ବୋଲି ‘ସୁଭଦ୍ରା’ ଯୋଜନାକୁ ସମାଲୋଚନା କରୁଛନ୍ତି। ବିଜେପି ନିର୍ବାଚନବେଳେ ଦେଇଥିବା ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ମାସରେ ପୂରଣ କରିଦେଇଥିବାରୁ ବିରୋଧୀ ସହିପାରୁନାହାନ୍ତି। ସେମାନେ ଜାଣି ରଖିବା ଦରକାର ଯେ ସବୁ ଯୋଜନା କେତେକ ନିର୍ଦ୍ଦିଷ୍ଟ ବର୍ଗର ହିତାଧିକାରୀଙ୍କ ପାଇଁ ଥାଏ। ସେହିପରି ୨୧ରୁ ୬୦ବର୍ଷ ମଧ୍ୟରେ ଥିବା ଆର୍ଥିକ ଅନଗ୍ରସର ମହିଳାଙ୍କ ପାଇଁ ଏହି ଯୋଜନା। ‘ସୁଭଦ୍ରା’ ଯୋଜନା ମହିଳାଙ୍କୁ ସଶକ୍ତୀକରଣ କରିବନି, ଏହା ସଶକ୍ତୀକରଣରେ ସହାୟକ ହେବ। ଆଜି ଗୃହରେ ମହିଳା ଓ ଶିଶୁ ବିକାଶ, ମିସନ୍ ଶକ୍ତି, ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖିବା ଅବସରରେ ଉପମୁଖ୍ୟମନ୍ତ୍ରୀ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି,
ପୂର୍ବ ସରକାର ସମୟରେ ଏକର ଏକର ଜମିରେ ନିର୍ମାଣ ହୋଇଥିବା ପାନ୍ଥନିବାସ ଓ ପର୍ଯ୍ୟଟନ ଭିତ୍ତିଭୂମିକୁ ମାତ୍ର କିଛି ଲକ୍ଷ ଟଙ୍କାରେ ଶାଗ, ମାଛ ଦରରେ ଘରୋଇ ସଂସ୍ଥା ହାତକୁ ଟେକି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ସାରା ରାଜ୍ୟ ବୁଲି ପର୍ଯ୍ୟଟନ ବିଭାଗର ଅନୁଦାନରୁ ବିଭିନ୍ନ ମଠ, ମନ୍ଦିରକୁ ଲକ୍ଷ ଲକ୍ଷ ଟଙ୍କା ବାଣ୍ଟିଛନ୍ତି। କାକଟପୁର ମଙ୍ଗଳାମନ୍ଦିର ନିକଟରେ ୯କୋଟି ଟଙ୍କାରେ ଏକ କୋଠା ନିର୍ମାଣ ହେଉଥିବାବେଳେ ଏଥିପାଇଁ ପର୍ଯ୍ୟଟନ ବିଭାଗ ଅର୍ଥ ଦେଇଛି ବୋଲି ଓବିସିସି କହୁଛି।
ହେଲେ ପର୍ଯ୍ୟଟନ ବିଭାଗ କହୁଛି ଏନେଇ କିଛି କାଗଜପତ୍ର ନାହିଁ। କେବଳ ଏତିକି ନୁହେଁ, ଅଙ୍ଗନବାଡିରେ ନିମ୍ନମାନର ଛତୁଆ ଯୋଗାଣ ହେଉଥିବା ନେଇ ବିଧାୟକମାନେ କହୁଛନ୍ତି। ହେଲେ ନିମ୍ନମାନର ଛତୁଆ କିଏ ଓ କାହିଁକି ଯୋଗାଣ କରୁଛି? ମିସନ୍ ଶକ୍ତିର ମହିଳାମାନଙ୍କୁ ନେଇ ଦୁବାଇ, ସିଙ୍ଗାପୁର ବୁଲାଇଲେ। ହେଲେ ସେମାନେ ଆସି ସେମାନଙ୍କ ଅଞ୍ଚଳରେ ନୂଆ କ’ଣ କରିଛନ୍ତି? ନିର୍ବାଚନ ସମୟରେ ବିଜେଡିକୁ ଭୋଟ୍ ଦେବା ପାଇଁ ମିସନ୍ ଶକ୍ତି କଲ୍ ସେଣ୍ଟରରୁ ଫୋନ୍ କରାଯାଉଥିଲା। ଏସବୁର ତଦନ୍ତ ହେବ। ଏନେଇ ଟାସ୍କଫୋର୍ସ ଗଠନ ହେବ। ଏହି ତିନିଟି ବିଭାଗରେ ଯେତେ ଦୁର୍ନୀତି ହୋଇଛି ସେସବୁର ଟାସ୍କଫୋର୍ସ ତଦନ୍ତ କରିବ। ଯେଉଁ ସରକାରର ନେତାମାନେ ମିସନ୍ ଶକ୍ତିକୁ ବ୍ୟବହାର କରି ଭୋଟ୍ ହାତେଇଥିଲେ ଏବେ କହୁଛନ୍ତି ମିସନ୍ ଶକ୍ତି ଅଚଳ ହୋଇଗଲା।
ଏହା କି ପ୍ରକାରର ଆଭିମୁଖ୍ୟ? ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ‘ଲକ୍ଷପତି ଦିଦି’ କରିବାକୁ ଘୋଷଣା ହୋଇଥିଲେ ହେଁ ଏହି ସମୟରେ ୩୦ ଲକ୍ଷ ‘ଲକ୍ଷପତି ଦିଦି’ କରାଯିବ। ଏହା ସହ ସେ କହିଥିଲେ ଯେ ୨୦୨୩-୨୪ରେ ତତ୍କାଳ ସରକାର ୧୭ଟି ଯୋଜନା ଘୋଷଣା କରିଥିଲେ। ହେଲେ ଏଥିପାଇଁ ବଜେଟ୍ରେ ଟଙ୍କାଟିଏ ବି ବରାଦ ନଥିଲା। ଅତିରିକ୍ତ ବଜେଟ୍ ବେଳକୁ ଏହି ଯୋଜନା ସଂଖ୍ୟା ୧୪ରେ ପହଞ୍ଚିଲା। ପୂର୍ବ ସରକାର କେବଳ ଲୋକଙ୍କୁ ଭୂଆଁ ବୁଲାଇବାକୁ ଯୋଜନା ଘୋଷଣା କରୁଥିଲେ। ହେଲେ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଛି ତାହାକୁ ପୂରଣ କରିବାକୁ ଅର୍ଥ ବରାଦ କରୁଛି। ଏହି ଅବସରରେ ମନ୍ତ୍ରୀ ତିନିଟି ବିଭାଗର ବିଭିନ୍ନ ଯୋଜନା ବାବଦକୁ ହୋଇଥିବା ଅର୍ଥ ବରାଦ ସମ୍ପର୍କରେ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/br1pkIFdhj6I6LCDyYho.jpg)