ଚାରି ବର୍ଷର ଶିଶୁ ଶୁଭଙ୍କର ପାଇଁ ବିପଦ ଟଳିଲା, ୪ ମାସ ପରେ ବାହାରିଲା ଛୁଞ୍ଚି

ଅନୁଗୁଳ : ଚାରି ବର୍ଷର ଶିଶୁ ଶୁଭଙ୍କର ବେହେରା ଓ ତାଙ୍କ ପରିବାର ଲୋକଙ୍କ ପାଇଁ ଆସିଛି ଶୁଭ ଖବର। ଦୀର୍ଘ ୩ ମାସ ୨୬ ଦିନର ଯନ୍ତ୍ରଣାଦାୟକ ଜୀବନ ବିତାଇବା ପରେ ଶୁଭଙ୍କରର ପିଚାରୁ ବାହାରିଛି ଭଂଗା ଛୁଞ୍ଚି। କଟକ ବଡ଼ ଡାକ୍ତରଖାନାର ଆସୋସିଏଟ୍‌ ପ୍ରଫେସର ଡାକ୍ତର ଏସ୍‌.କେ.ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ଅସ୍ତ୍ରୋପଚାର କରି ଶୁଭଙ୍କରର ପିଚାରେ ରହି ଯାଇଥିବା ଭଂଗା ଛୁଞ୍ଚି ବାହାର କରିଛନ୍ତି। ବିଭିନ୍ନ ପରୀକ୍ଷା ପରେ ୨୦ ତାରିଖ ମଧ୍ୟାହ୍ନ ସାଢ଼େ ୧୨ଟାରେ ଶୁଭଙ୍କରକୁ ଅସ୍ତ୍ରୋପଚାର କକ୍ଷକୁ ନିଆଯାଇଥିଲା। ଅପରାହ୍‌ଣ ୩ଟା୧୦ରେ ଅସ୍ତ୍ରୋପଚାର କକ୍ଷରୁ ଶୁଭଙ୍କର ବାହାରିଥିବା ବେଳେ ଏହାର ଦେଢ଼ ଘଣ୍ଟା ପରେ ତା’ର ଚେତା ଫେରିଥିଲା। ତା’ର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଯେଉଁ କଟକ ବଡ଼ ଡାକ୍ତରଖାନା ଦିନେ ଶୁଭଙ୍କରକୁ ଅସ୍ତ୍ରୋପଚାର ନ କରି ନିରାଶ କରିଥିଲା, ଓଡ଼ିଶା ମା‌ନବ ଅଧିକାର ଆୟୋଗଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ପାଇଁ ବେଶ୍‌ ତତ୍ପରତା ଦେଖାଇଥିଲା।

ଗତ ମେ ମାସ ୨୫ ତାରିଖ ଦିନ ଅନୁଗୁଳ ଜିଲ୍ଲା ଗଡ଼ତରାସ ଗାଁର ଶୁଭଙ୍କର ବେହେରା ଘରେ ଖେଳୁଥିବା ବେ‌େଳ ତଳେ ପଡ଼ି ଯାଇଥିଲା। ଫଳରେ ପାଟି ଖଣ୍ଡିଆ ହେବା ସହ ଜିଭରୁ ରକ୍ତ ବାହାରି ଥିଲା। ଚିକିତ୍ସା ପାଇଁ ଶୁଭଙ୍କରଙ୍କୁ ପରିବାର ଲୋକେ ବନ୍ତଳା ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିି‌ଥିଲେ। ଡାକ୍ତର ଶୁଭଙ୍କରଙ୍କୁ ଦେଖିବା ୨ଟି ଇଞ୍ଜେକ୍ସନ ଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଇଞ୍ଜେକ୍‌ସନ ଦେବା ବେଳେ ନର୍ସଙ୍କ ଅସାବଧାନତା ଯୋଗୁଁ ସିରିଞ୍ଜ ହାତରୁ ଖସି ଯାଇଥିଲା। ସିରିଞ୍ଜର ଛୁଞ୍ଚି ବଙ୍କା ହୋଇଯାଇଥିଲା। ତେବେ ନୂଆ ସିରଞ୍ଜରେ ଇଂଜେକ୍‌ସନ ଦେବା ପରିବର୍ତ୍ତେ ଛୁଞ୍ଚିକୁ ସିଧା କରି ପୁଣି ଥରେ ଦେବାରୁ ତାହା ଭାଂଗି ଯାଇ ଶୁଭଙ୍କରଙ୍କ ପିଚାରେ ରହିଯାଇଥିଲା। ଛୁଞ୍ଚି ବାହାର କରିବା ପାଇଁ ଶୁଭଙ୍କରଙ୍କ ପରିବାର ଲୋକେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଅନୁଗୁଳରୁ ପୁଣି କଟକ ଶିଶୁ ଭବନ, କଟକ ବଡ଼ ଡାକ୍ତରଖାନା ଆଉ ସେଠାରୁ ଭୁବନେଶ୍ବର ଏମ୍‌ସକୁ ନେଇଥିଲେ। ଦୁଇ ଦୁଇ ଥର ଏମ୍‌ସକୁ ଦୌଡ଼ିଥିଲେ। ଅସ୍ତ୍ରୋପଚାର କରିବା ପରିବର୍ତ୍ତେ ସେଠାରୁ ତାଙ୍କୁ ମାସେ ପରେ ଆସିବାକୁ ପରାମର୍ଶ ଦିଆଯାଇଥିଲା। ଏଭଳି ସ୍ଥିତିରେ ସେ ବାଧ୍ୟ ହୋଇ ଶୁଭଙ୍କରର ପିତା ନିରାକାର ବେହେରା ଓଏଚ୍‌ଆର୍‌ସିଙ୍କ ଦ୍ବାରସ୍ଥ ହୋଇଥିଲେ। ଓଏଚ୍‌ଆର୍‌ସି ଅନୁଗୁଳ ସିଡିଏମ୍ଓଙ୍କୁ କଟକ ବଡ଼ ‌ମେଡିକାଲରେ ଶିଶୁର ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ପଦକ୍ଷେପ ନେବାକୁ ଆଦେଶ ଦେଇଥିଲେ। ଓଏଚ୍‌ଆର୍‌ସିର ଆଦେଶର କପି ମିଳିବା ପରେ ସିଡିଏମ୍‌ଓ ବେଶ୍‌ ତତ୍ପରତା ଦେଖାଇ ଥିଲେ। ଗତ ୮ ଦିନ ଶୁଭଙ୍କରକ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର