ସୁବାସ ଚୌହାନଙ୍କୁ ବିଜେପି ଉପସଭାପତି ପଦବି

ପ୍ରତ୍ୟୁଷା, ପିତାମ୍ବର ବି ହେଲେ ଉପସଭାପତି

ଭୁବନେଶ୍ବର : ବରଗଡ଼ ଲୋକସଭା ଆସନରେ ସୁବାସ ଚୌହାନଙ୍କୁ ବିଜେପି ପ୍ରାର୍ଥୀ ନ କରିବା ପ୍ରତିବାଦରେ ସେଠାରେ ତାଙ୍କ ସମର୍ଥକମାନେ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ଆଜି ସେମାନେ ବିକ୍ଷୋଭ କରିବା ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏପଟେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପିର ରାଜ୍ୟ ଉପସଭାପତି ପଦବି ଦିଆଯାଇଛି। ଏ ନେଇ ଦଳ ପକ୍ଷରୁ ଆଜି ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଶ୍ରୀ ଚୌହାନ କେତେଦୂର ଏହି ପଦବିରେ ସନ୍ତୁଷ୍ଟ ହୋଇ ବରଗଡ଼ରେ ଦଳୀୟ ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ସମର୍ଥନ କରିବେ, ତାହା ଉପରେ ରାଜ‌େନୖତିକ ମହଲରେ ନଜର ରହିଛି। ସେହିପରି ଆଜି ବିଜେପିରେ ଯୋଗ ଦେଇଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଓ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କୁ ମଧ୍ୟ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ନିଯୁକ୍ତି ଦେଇଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର