ଭୁବନେଶ୍ବର : ବହୁଚର୍ଚ୍ଚିତ ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ଶେଷରେ ଏକ ଭିନ୍ନ ମୋଡ଼ରେ ପହଞ୍ଚି ଶେଷହୋଇଛି। କେହି ହତ୍ୟା କରିନାହିଁ, ବରଂ ଶୁଭଶ୍ରୀ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି। ସ୍ବାମୀଙ୍କ ସାଙ୍ଗ ସହ ମିଳାମିଶାକୁ ନେଇ ରାଗି ଯାଇଥିବା ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନା ଓରଫ୍‌ ବାବୁନା(୨୫)ଙ୍କୁ ମନାଇବାରେ ବିଫଳ ହେବାପରେ ଶୁଭଶ୍ରୀ ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେଣୁ ଶୁଭଶ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ଦଫା ୩୦୬ରେ ଆଜି ଖାରବେଳନଗର ଥାନା ପୁଲିସ ବାବୁନାକୁ ଗିରଫ କରିଛି। ସେହିଭଳି ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗରେ ବାବୁନା ବିରୋଧରେ ଦଫା ୨୦୧ ଲାଗୁ କରାଯାଇଛି।

Advertisment

ଏନେଇ ଶୁକ୍ରବାର ଦିନ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି ଯେ ଗତ ୨୯ ତାରିଖରୁ ଶୁଭଶ୍ରୀ ଓ ତାଙ୍କ ପୁରୁଷବନ୍ଧୁ ବାବୁନା ମଧ୍ୟରେ ଝଗଡ଼ା ହୋଇଥିଲା। ଶୁଭଶ୍ରୀ ତାଙ୍କ ସ୍ବାମୀ ଅନନ୍ତ ନାରାୟଣ ନାଥଙ୍କ ଜଣେ ସାଙ୍ଗ ସହ ମିଳାମିଶା କରୁଥିବାକୁ ନେଇ ବାବୁନା ରାଗି ଯାଇଥିଲା। ଝଗଡ଼ା ଏମିତି ସ୍ତରକୁ ଚାଲି ଯାଇଥିଲା ଯେ ବାବୁନା ତାଙ୍କୁ ମାଡ଼ ମାରିଥିଲା ଏବଂ ଦୀର୍ଘଦିନର ପ୍ରେମ ସମ୍ପର୍କ କଟାକଟି ଯାଏ କଥା ଯାଇଥିଲା। ତେଣୁ ୩୦ ତାରିଖ ଦିନ ସାରା କେହି କାହାକୁ ଫୋନ୍‌ କରିନଥିଲେ। କିନ୍ତୁ ସନ୍ଧ୍ୟାରେ ଶୁଭଶ୍ରୀ ପୁଅକୁ ଟ୍ୟୁସନ୍‌ରେ ଛାଡ଼ି ଆସିବା ପରେ ବାବୁନାକୁ ବାରମ୍ବାର ଫୋନ୍‌ କରିଥିଲେ। ପ୍ରାୟ ୭/୮ ଥର କଲ୍ କରିବା ପରେ ବାବୁନା ଫୋନ୍‌ ଉଠାଇଥିଲେ ସିନା କିନ୍ତୁ ଆଉ ତାଙ୍କ ସହ ସମ୍ପର୍କ ରଖିବେ ନାହିଁ ବୋଲି ରୋକ୍‌ଠୋକ କହିଥିଲେ। ଏଥିରେ ଭାଙ୍ଗିପଡ଼ି ଶୁଭଶ୍ରୀ ଆତ୍ମହତ୍ୟା କରିଦେବେ ବୋଲି ଚେତାବନୀ ଦେଇଥିଲେ।

publive-image

କିନ୍ତୁ ବାବୁନା କିଛି ନଶୁଣି ଫୋନ୍‌ କାଟି ଦେଇଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ସତକୁ ସତ ସେ ବେକରେ ଓଢ଼ଣି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଆତ୍ମହତ୍ୟା ଚେତାବନୀ ଶୁଣି ବାବୁନା ତୁରନ୍ତ ଶୁଭଶ୍ରୀଙ୍କ ପୁଅର ଟ୍ୟୁସନ୍‌ ଶିକ୍ଷୟିତ୍ରୀଙ୍କୁ ଫୋନ୍‌ କରି ଘରକୁ ଯିବାକୁ କହିଥିଲେ। ଟ୍ୟୁସନ ଶିକ୍ଷୟିତ୍ରୀ ସେଠାରେ ପହଞ୍ଚିବା ବେଳକୁ ଶୁଭଶ୍ରୀ ଫ୍ୟାନ୍‌ରେ ଝୁଲୁଥିବା ଦେଖି ଭୟ କରିଯାଇଥିଲେ ଓ ବାବୁନାକୁ ଫୋନ୍‌ କରି କହିଥିଲେ। ତେବେ ସେ ଭୟରେ କାହାକୁ କିଛି ନ କହି ତାଙ୍କ ଘରକୁ ଫେରି ଆସିଥିଲେ। ଖବର ପାଇ ବାବୁନା ଘଟଣାସ୍ଥଳକୁ ଆସିଥିଲା। କାଳେ ବଞ୍ଚିଥିବା ଭାବି ସେ ଶୁଭଶ୍ରୀଙ୍କୁ ଫ୍ୟାନ୍‌ରୁ ଓହ୍ଲାଇ ଖଟରେ ଶୁଆଇଥିଲା ଓ ମୁହଁରେ ପାଣି ଛାଟିଥିଲା। ମାତ୍ର ସେ ମରିଯାଇଥିବା ନିଶ୍ଚିତ ହେବାପରେ ବାବୁନା ମୁଣ୍ଡ କାମ କରିନଥିଲା।

ହଡ଼ବଡ଼େଇ ସେ ବେକରୁ ଓଢ଼ଣି ଖୋଲି ନେଇ ଚୁପ୍‌ଚାପ ପଳାଇଥିଲା। ଏମିତିକି ସ୍କୁଟି ଧରି ସେ ନୟାଗଡ଼ ଚାଲି ଯାଇଥିଲା। ବାଟରେ ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟରେ ଓଢ଼ଣିକୁ ପକାଇ ଚାଲିଯାଇଥିଲା। ଏହା ଭିତରେ ଖବର ପାଇ ଶୁଭଶ୍ରୀ ସ୍ବାମୀ ଅନନ୍ତ ଘରକୁ ଆସିଥିଲେ ଓ ତୁରନ୍ତ କାର୍‌ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଅନନ୍ତ ଖାରବେଳନଗର ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଆଜି ବରୁଣେଇ ପାହାଡ଼ ନିକଟରୁ ଶୁଭଶ୍ରୀଙ୍କ ଓଢ଼ଣି ଜବତ କରାଯାଇଛି ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି। ‌ତଦନ୍ତ ପ୍ରାୟ ସରିଥିଲେ ବି ଆବଶ୍ୟକ ହେଲେ ବାବୁନାକୁ ରିମାଣ୍ଡରେ ଅଣାଯିବ ବୋଲି ସେ କହିଛନ୍ତି।