ଭୁବନେଶ୍ୱର ଶୁଭଶ୍ରୀ ହତ୍ୟାକାଣ୍ଡ ମାମଲା: ସିଡିଆରରୁ ମିଳିଲା ବିସ୍ଫୋରକ ତଥ୍ୟ

ଭୁବନେଶ୍ୱର: ରାଜଧାନୀର ଶାସ୍ତ୍ରୀନଗରରେ ଶୁଭଶ୍ରୀ ହତ୍ୟାକାଣ୍ଡ ମାମଲାରେ ବିସ୍ଫୋରକ ତଥ୍ୟ ହାସଲ କରିଛି ପୁଲିସ। ଶୁଭଶ୍ରୀଙ୍କ ସିଡିଆରରୁ ମିଳିଛି ଏହି ବିସ୍ଫୋରକ ତଥ୍ୟ। ସନ୍ଦେହ ଘେରରେ ଥିବା ଯୁବକଙ୍କୁ ଅଟକ ରଖି ଖାରବେଳନଗର ଥାନାରେ ପଚରା ଉଚରା ଜାରି ରହିଛି। ଥାନାରେ ଅଟକ ଥିବା ବ୍ୟକ୍ତିଙ୍କୁ ଜାଣିଛନ୍ତି ମୃତ ଶୁଭଶ୍ରୀଙ୍କ ସ୍ୱାମୀ। ପୂର୍ବରୁ ଯୁବକଜଣକ ତାଙ୍କ ଘରକୁ ଯିବା ଆସିବା ମଧ୍ୟ କରିଛନ୍ତି।
ଭୁବନେଶ୍ୱର ଡିସିପି, ଏସିପି ଓ ଆଇଆଇସି ମିଶି ଯୁବକଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚରା କରୁଛନ୍ତି। ଶେଷ ୭ଟି କଲକୁ ନେଇ ସନ୍ଦେହ ବଢିଛି। ଶୁଭଶ୍ରୀ ସନ୍ଧ୍ୟା ସାଢେ ୬ଟାରୁ ୬ ଟା ୪୯ ଭିତରେ ୭ ଥର କଲ କରିଥିଲେ। ଶେଷଥର ପାଇଁ ଶୁଭଶ୍ରୀ ଜଣେ ଯୁବକଙ୍କୁ ୨୭ ସେକେଣ୍ଡ ପାଇଁ କଥା ହେଇଥିଲେ। ହତ୍ୟାକାଣ୍ଡ ପୂର୍ଵରୁ କାହିଁକି ବାରମ୍ବାର କଲ କରିଥିଲେ ଶୁଭଶ୍ରୀ? ତାକୁନେଇ ଖୋଳତାଡ଼ କରୁଛି ପୁଲିସ। ଏଣେ ୩୦୨ ଓ ୨୦୧ରେ ମାମଲା ରୁଜୁ କରିଛି ପୁଲିସ। ହତ୍ୟାକାଣ୍ଡ ପରେ, ପ୍ରମାଣ ନଷ୍ଟ କରିଥିବା ନେଇ ତଦନ୍ତ କରୁଛି ପୁଲିସ। ତେଣେ ମୃତଦେହ ବ୍ୟବଛେଦ ପାଇଁ ଏଫଏମଟିର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିଛି ପୁଲିସ।
ଉଲ୍ଲେଖଯୋଗ୍ୟ, ମହିଳା ହିଂସାରେ ଓଡ଼ିଶା ଏକ ନମ୍ବର ବୋଲି ଏନ୍ସିଆର୍ବି ତଥ୍ୟକୁ ନେଇ ଜୋର୍ଦାର ଚର୍ଚ୍ଚା ଚାଲିଥିବା ବେଳେ ଗତକାଲି ସନ୍ଧ୍ୟାରେ ରାଜଧାନୀରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଖାରବେଳନଗର ଥାନା ଶାସ୍ତ୍ରୀନଗରରେ ସନ୍ଧ୍ୟା ବେଳଟାରେ ଜଣେ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଅନନ୍ତ ନାରାୟଣ ନାଥଙ୍କ ସ୍ତ୍ରୀ ଶୁଭଶ୍ରୀ ମହାପାତ୍ର(୨୫)। ଶୁଭଶ୍ରୀ ଘରେ ଏକାକୀ ଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ରଶିରେ ବେକକୁ ଚାପି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ୩ ବର୍ଷର ପୁଅକୁ ଟ୍ୟୁସନ୍ରେ ଛାଡ଼ି ଘରକୁ ଫେରିଥିବା ଶୁଭଶ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପଛରେ ବଡ଼ଧରଣର ରହସ୍ୟ ଛପି ରହିଛି ବୋଲି ସ୍ପଷ୍ଟ ହୋଇଛି।
ଘର ଭିତରେ ଲୁଟ୍ପାଟ୍ର କୌଣସି ଚିହ୍ନବର୍ଣ୍ଣ ନଥିବାରୁ ହତ୍ୟାକାରୀ ସୁଚିନ୍ତିତ ଉପାୟରେ ଶୁଭଶ୍ରୀଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଛି। ଦୁର୍ବୃତ୍ତକୁ ଠାବ କରିବାକୁ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି। ପୁଲିସ ଶୁଭଶ୍ରୀଙ୍କ ସ୍ବାମୀ ଅନନ୍ତଙ୍କ ସହ ତାଙ୍କ ମା’ ସନ୍ଧ୍ୟାରାଣୀ ମହାପାତ୍ର, ବାପା ପ୍ରଫୁଲ୍ଲ ମହାପାତ୍ର, ମାମୁ ଧୀରେନ୍ ମହାପାତ୍ର ଓ ମାଇଁଙ୍କୁ ପଚରାଉଚରା କରିଛି। ଏଥିସହିତ ପୁଲିସ ପରିବାରର ୪ଟି ମୋବାଇଲ୍ ଫୋନ୍ ଜବତ କରି କଲ୍ ରେକର୍ଡ ଯାଞ୍ଚ ଚଳାଇଛି ଓ ସ୍ବାମୀ ଅନନ୍ତଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁକରିଛି।
ସୂଚନାନୁସାରେ ପ୍ରାୟ ୫ ବର୍ଷ ତଳେ ନୟାଗଡ଼ ମାନପୁର ଅଞ୍ଚଳର ଶୁଭଶ୍ରୀ ଜଗତସିଂହପୁର ଅଞ୍ଚଳର ଅନନ୍ତଙ୍କୁ ପ୍ରେମ ବିବାହ କରିଥିଲେ। ଅନନ୍ତ ଇଣ୍ଡିଆନ୍ ଅଏଲ୍ରେ କାମ କରୁଥିଲେ ଓ ୩ବର୍ଷ ହେଲା ଶୁଭଶ୍ରୀଙ୍କ ସହ ଶାସ୍ତ୍ରୀନଗରରେ ଭଡ଼ା ଘରେ ରହୁଥିଲେ। ସୋମବାର ସନ୍ଧ୍ୟାରେ ଅନନ୍ତ ନିଜ ଘର ଜଗତସିଂହପୁର ଯାଇଥିଲେ ଏବଂ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବର ଫେରିଥିଲେ। କିନ୍ତୁ ସେ ଶାସ୍ତ୍ରୀନଗର ନଯାଇ ଫରେଷ୍ଟ ପାର୍କସ୍ଥିତ ଏକ ଗେଷ୍ଟ୍ହାଉସ୍ରେ ଶୌଚ ହେବା ପରେ ବିମାନବନ୍ଦର ଯାଇଥିଲେ। ତାଙ୍କର ଜଣେ ସହକର୍ମୀଙ୍କୁ ରିସିଭ୍ କରିବାକୁ ସେ ବିମାନବନ୍ଦରରେ ଅପେକ୍ଷା କରିଥିଲେ।
ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କ ପୁଅ ଏକ ଭିଡିଓ କଲ୍ କରିଥିଲା। ‘ମା’ ଖଟରୁ ଉଠୁନି କି ଡାକିଲେ ଶୁଣୁନି’ ବୋଲି ପୁଅ ଭିଡିଓ କଲ୍ କରି ଅନନ୍ତଙ୍କୁ ସମସ୍ତ ଦୃଶ୍ୟ ଦେଖାଇଥିଲା। ବିମାନ ପହଞ୍ଚିବା ସମୟ ପାଖେଇ ଆସୁଥିବାରୁ ଅନନ୍ତ ତାଙ୍କ ପଡ଼ୋଶୀ ଓ ଜଣେ ବନ୍ଧୁଙ୍କୁ ଫୋନ୍ କରିଥିଲେ। ପଡ଼ୋଶୀ ଓ ଉକ୍ତ ବନ୍ଧୁ ଶାସ୍ତ୍ରୀନଗରରେ ପହଞ୍ଚି ଶୁଭଶ୍ରୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଦେଖି ଅନନ୍ତଙ୍କୁ ଜଣାଇଥିଲେ। ପତ୍ନୀ ଗୁରୁତର ଥିବାରୁ ଅନନ୍ତ ଘରକୁ ଚାଲିଆସିଥିଲେ ଓ ଶୁଭଶ୍ରୀଙ୍କୁ କାରରେ କ୍ୟାପିଟାଲ ହସ୍ପିଟାଲ୍ ନେଇଯାଇଥିଲେ। କିନ୍ତୁ ସେତେବେଳକୁ ଶୁଭଶ୍ରୀଙ୍କ ପ୍ରାଣବାୟୁ ଉଡ଼ିସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଖାରବେଳନଗର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହ ପଞ୍ଚନାମା କଲା ବେଳେ ପୁଲିସ ତାଙ୍କ ବେକର ଉଭୟ ପାର୍ଶ୍ବରେ ରଶି ଦାଗ ଦେଖିବାକୁ ପାଇଥିଲା। ସେହିଭଳି ମୁହଁରେ କିଛି ଦାଗ ଦେଖିବାକୁ ମିଳିଥିଲା। ହତ୍ୟା ସନ୍ଦେହ କରି ପୁଲିସ ତୁରନ୍ତ ସାଇଣ୍ଟିଫିକ୍ ଟିମ୍ ସହ ଘରକୁ ଯାଇ ଛାନଭିନ୍ କରିଥିଲା ଓ ଘର ଭିତରୁ ଏକ ଛୋଟ ରଶି ଜବତ କରିଥିଲା।

ସମ୍ବନ୍ଧିତ ଖବର