କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସତ୍ୟପାଠ ଦାଖଲ, ସଂଶୋଧିତ ମୋଟର ଯାନ ଆଇନ ମାମଲା

କଟକ: ସଂଶୋଧିତ ମୋଟର ଯାନ ଆଇନରେ କ୍ଷତିପୂରଣ ଦରଖାସ୍ତ ଦାଖଲର ସମୟସୀମା ପ୍ରସଙ୍ଗକୁ ନେଇ ଦାୟର ମାମଲାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ତରଫରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ସଡ଼କ ପରିବହନ ମନ୍ତ୍ରଣାଳୟର ଅନୁସଚିବଙ୍କ ତରଫରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଛି ଯେ ମୋଟର ଯାନ ଆଇନ, ୧୯୮୮ କୁ ୩୦ ବର୍ଷ ପରେ ବ୍ୟାପକ ଭାବେ ସଂଶୋଧନ କରାଯାଇଛି। ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ସଂସଦରେ ପାରିତ ‌ହେବା ପରେ ଏ ନେଇ ୨୦୧୯, ଅଗଷ୍ଟ ୯ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୯, ଜୁନ୍ ୨୪ରେ ମୋଟର ଯାନ (ସଂଶୋଧନ) ବିଲ୍, ୨୦୧୯କୁ କ୍ୟାବିନେଟ ଅନୁମୋଦନ କରିଥିଲା। ୨୦୧୯, ଜୁଲାଇ ୨୩ରେ ଏହି ବିଲ୍ ଲୋକସଭାରେ ପାରିତ ହେବା ପରେ ୨୦୧୯, ଜୁଲାଇ ୩୧ରେ ରାଜ୍ୟସଭାରେ ଏହା ପାରିତ ହୋଇ‌ଥିଲା। ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ପ୍ରଣୟନ ହେବା ପୂର୍ବରୁ ସଂସଦର ଉଭୟ ସଦନରେ ବିସ୍ତୃତ ଭାବେ ଏ ନେଇ ଆଲୋଚନା ହୋଇଥିଲା। ଏଭଳି ସ୍ଥିତିରେ ସଂଶୋଧିତ ମୋଟର ଯାନକୁ ଚାଲେଞ୍ଜ କରି ଦାୟର ଆବେଦନ ଗ୍ରହଣୀୟ ନୁହେଁ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ମେ ୧୦ରେ ହାଇକୋର୍ଟରେ ଆଇନଜୀବୀ ଅନଙ୍ଗ କୁମାର ଓତାଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ଦୁର୍ଘଟଣାର ୬ ମାସ ପରେ ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ସଂପର୍କିତ କୌଣସି ଆବେଦନ ଗ୍ରହଣୀୟ ନୁହେଁ। ୨୦୧୯ର ସଂ‌ଶୋଧିତ ଆଇନ ଆସିବା ପୂର୍ବରୁ ବଳବତ୍ତର ଥିବା ମୋଟର ଯାନ ଆଇନରେ ଏଥି ପାଇଁ କୌଣସି ସମୟସୀମା ନଥିଲା। ମୋଟର ଯାନ ଆଇନ(ସଂଶୋଧନ), ୨୦୧୯ର ଧାରା ୫୩ ଜରିଆରେ ମୂଳ ଆଇନରେ ଧାରା ୧୬୬(୩) ଯୋଡ଼ାଯାଇଥିଲା। ସଂ‌ଶୋଧିତ ଆଇନରେ କ୍ଷତିପୂରଣ ଦରଖାସ୍ତ ଦାଖଲର ସମୟସୀମା ୬ ମାସ ଧାର୍ଯ୍ୟ ପ୍ରସଂଗକୁ ଚାଲେଞ୍ଜ କରି ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିକଟରୁ ୨୦୨୧, ଜାନୁଆରି ୬ରେ ଜବାବ ତଲବ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର