କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ନାଟମଣ୍ଡପ ସଂରକ୍ଷଣ ପାଇଁ କଣ କାର୍ଯ୍ୟପ୍ରଣାଳୀ ରହିବ ସେ ନେଇ ଚୂଡାନ୍ତ କରିବାକୁ ସବୁ ଅଂଶୀଦାରଙ୍କୁ ନେଇ ଡିସେମ୍ବର ୧୯ରୁ ୨୧ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ବୋଲି ଆମିକସ୍ କ୍ୟୁରି ରିପୋର୍ଟ ଦାଖଲ କରିଛନ୍ତି। ଏହି ବୈଠକ ଡାକିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲା। ନାଟମଣ୍ଡପ ସଂରକ୍ଷଣ ଓ ମରାମତି ପାଇଁ କଣ ସବୁ କରାଯିବ, ଏଥିପାଇଁ କଣ କାର୍ଯ୍ୟପ୍ରଣାଳୀ ଓ ସମୟ ନିର୍ଘଣ୍ଟ ରହିବ ସେ ନେଇ ବୈଠକରେ ଆଲୋଚନା କରାଯାଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏସ୍ଏସ୍ ବକ୍ସ ବିମ୍ ଡିଜାଇନ୍କୁ ମଧ୍ୟ ବୈଠକରେ ଅନୁମୋଦନ କରାଯିବ।
ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ଆମିକସ୍ କ୍ୟୁରି ଡିସେମ୍ବର ୧୭ରେ ଆଲୋଚନା କରିଥଲେ ଓ ସେ ୧୯ରୁ ୨୧ ତାରିଖ ମଧ୍ୟରେ ବୈଠକ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ଯନ୍ତ୍ରୀ, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ତଥା ଓଏସ୍ଡି ଓ ଏଏସ୍ଆଇ ସୁପରିନ୍ଟେଣ୍ଡିଂ ଆର୍କିଓଲେଜିଷ୍ଟଙ୍କ ସହିତ ମଧ୍ୟ ଆମିକସ୍ କ୍ୟୁରି ଆଲୋଚନା କରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏ ପର୍ଯ୍ୟନ୍ତ ନାଟମଣ୍ଡପ ସଂରକ୍ଷଣ ପାଇଁ ହୋଇଥିବା କାର୍ଯ୍ୟ ସଂକ୍ରାନ୍ତରେ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି।
କେନ୍ଦ୍ରୀୟ କଲମ ଅଞ୍ଚଳର ଡେକୋରେଟିଭ୍ କାଠ ଫ୍ରେମ୍ ସିଲିଂ କାଢ଼ି ନିଆଯିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏହି କାଠ ଫ୍ରେମକୁ ଶ୍ରୀଜଗନ୍ନାଥ ମନ୍ଦିର ସଂଗ୍ରହାଳୟରେ ରଖାଯାଇଛି। ଚାରିଦିଗରେ କାନ୍ଥରୁ ବାହାରିଥିବା ପଥରରୁ ପଲସ୍ତରା ଛଡ଼ାଯାଉଛି। ପଲସ୍ତରା ଛଡ଼ା ଯିବା ପରେ ସଂଯୋଗ ସ୍ଥାନକୁ ଉପଯୁକ୍ତ ଭାବେ ସିଲ୍ କରାଯାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଏଏସ୍ଆଇ ତରଫରୁ ମଧ୍ୟ ନାଟମଣ୍ଡପ ମରାମତି କାର୍ଯ୍ୟର ଅଗ୍ରଗତି ନେଇ ଅବଗତ କରାଯାଇଥିଲା। ପରବର୍ତ୍ତୀ ଶୁଣାଣି ପୂର୍ବରୁ ନାଟମଣ୍ଡପ ମରାମତି କାର୍ଯ୍ୟର ଅଗ୍ରଗତି ନେଇ ଆମିକସ୍ କ୍ୟୁରି, ଏଏସ୍ଆଇ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅବଗତ କରିବେ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରି ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୪ରେ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରି ଦାଖଲ କରିଥିବା ରିପୋର୍ଟରେ ଦର୍ଶାଯାଇଥିଲା ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ନଭେମ୍ବର ୧୭ରୁ ଏଏସ୍ଆଇ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ତଥ୍ୟ ଅନୁସାରେ ଏହି କାର୍ଯ୍ୟ ଶେଷ କରିବା ପାଇଁ ଏଏସ୍ଆଇକୁ ଦିନକୁ ୬ ଘଣ୍ଟା କାର୍ଯ୍ୟ ସମୟ ସହିତ ୧୨୦ ଦିନ ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।
ନଭେମ୍ବର ୧୫ରେ ହାଇକୋର୍ଟ ନାଟମଣ୍ଡପ ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଅଂଶୀଦାରଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମରାମତି କାର୍ଯ୍ୟ ୨୦୨୪, ଜାନୁଆରି ୨୦ରୁ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଏଏସ୍ଆଇ ପକ୍ଷରୁ ଶୁଣାଣି ସମୟରେ ଦର୍ଶାଯାଇଥିବା ବେଳେ ଏ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହିତ ନଭେମ୍ବର ୧୬ ଠାରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଏସ୍ଆଇକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ। ପ୍ରତି ୧୫ ଦିନ ଅନ୍ତରରେ ମରାମତି କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ ଆମିକସ କ୍ୟୁରିଙ୍କୁ ହାଇକୋର୍ଟ କହିଥିଲେ। ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପ୍ରସଙ୍ଗ ନେଇ ଅଭିଷେକ ଦାସ ୨୦୧୬ରେ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ଆମିକସ୍ କ୍ୟୁରି ଇଂଜିନିୟର ଏନ.କେ.ମହାନ୍ତି ଓ ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର, ଏଏସଆଇ ପକ୍ଷରୁ ସିନିୟର ପ୍ୟାନେଲ କାଉନସିଲ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।