ଯାଜପୁର/ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଗ୍ରାମନନ୍ଦିପୁର ଓ ବିରୁହାଁ ପଞ୍ଚାୟତ ମହାଦୁର୍ନୀତି ପେଡ଼ି ପୁଣି ଖୋଲିଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ନିଜର ତଦନ୍ତ ରିପୋର୍ଟ ଦାଖଲ କରିଛି। ଏହି ମାମଲାରେ ୨ଜଣ ତତ୍କାଳୀନ ବିଡିଓଙ୍କ ସମେତ ୧୦ଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ କୈଫିୟତ ତଲବ କରାଯାଇଛି। ଦୁଇ ପୂର୍ବତନ ବିଡିଓ ହେଲେ ନାରାୟଣ ଚନ୍ଦ୍ର ନାୟକ ଓ ଦେବରାଜ ସେଠୀ। କୈଫିୟତ ତଲବର ସମ୍ମୁଖୀନ ହୋଇଥିବା ଅନ୍ୟମାନେ ହେଲେ, ବିରୁହାଁର ପୂର୍ବତନ ସରପଞ୍ଚ ଭାନୁମତି ମଲ୍ଲିକ ଓ ଗ୍ରାମନନ୍ଦିପୁର ପୂର୍ବତନ ସରପଞ୍ଚ ନବକିଶୋର ମଲ୍ଲିକ, ଆକାଉ୍ଣ୍ଟାଣ୍ଟ୍ ବେଣୁଧର ନାୟକ, ଜେଇ ମାନସ ରଞ୍ଜନ ପଣ୍ତା, ପିଇଓ ଅକ୍ଷୟ କୁମାର ବଳ ଓ ରଞ୍ଜନ କୁମାର ବେହେରା, ଜିପିଟିଏ ପ୍ରଦୋଶ ରଞ୍ଜନ ଦାସ ଓ ଅମିୟ କୁମାର ରାଉତ। ଆସନ୍ତା ମାସ ୯ତାରିଖରେ ମାମଲାର ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି।
ଦଶରଥପୁର ବ୍ଲକ୍ ଗ୍ରାମନନ୍ଦିପୁର ଓ ବିରୁହାଁ ପଞ୍ଚାୟତରେ ମନରେଗାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଳ ସିଂହ ଏହାର ତଦନ୍ତ ପାଇଁ ଗ୍ରାମନନ୍ଦିପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଦିନ ସ୍ଥିର ହୋଇଥିଲା। ମାତ୍ର, ଏହାପୂର୍ବରୁ ୨୦୨୧ ଏପ୍ରିଲ ୪ ତାରିଖରେ ୨ପଞ୍ଚାୟତର କାଗଜପତ୍ର ଥିବା ଗ୍ରାମନନ୍ଦିପୁର ପଞ୍ଚାୟତ କାର୍ଯ୍ୟାଳୟରେ ନିଆଁ ଲଗାଇଥିଲେ ଦୁର୍ବୃତ୍ତ। ଦୁର୍ନୀତି ଲୁଚାଇବାକୁ କାର୍ଯ୍ୟାଳୟରେ ନିଆଁ ଲଗାଯାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା। ଫଳରେ, ବିଜୟ କେତନ ମହାପାତ୍ର ଓ ପ୍ରତାପ କୁମାର ନାୟକ ଏ ନେଇ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ଲୋକାୟୁକ୍ତ କେସ୍ ନମ୍ବର ୭୦୩/୨୦୨୧ରେ ମାମଲା ରୁଜୁ କରି ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୧୭ତାରିଖରେ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଏହାକୁ ଆଧାର କରି ଲୋକାୟୁକ୍ତ ୨ଜଣ ତତ୍କାଳୀନ ବିଡିଓ,୨ଜଣ ସରପଞ୍ଚ ସମେତ ମୋଟ ୧୦ଜଣଙ୍କ ଠାରୁ କୈଫିୟତ ତଲବ କରିଛନ୍ତି। ଗ୍ରାମନନ୍ଦିପୁର ପଞ୍ଚାୟତର ୨୦ ଟି ପ୍ରକଳ୍ପ ଓ ବିରୁହାଁ ପଞ୍ଚାୟତର ୧୮ଟି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡ଼ିଛି।
ଏହି ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ପତ୍ରସଂଖ୍ୟା ୧୧୭୫/ ୨୮/୯/୨୨ରେ ଅବଗତ କରାଯିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରାଯାଇଛି।