ପ୍ରଥମ ମାସିକିଆ ରିପୋର୍ଟ ଦେଲେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ମୂଲ୍ୟାୟନକୁ ଅପେକ୍ଷା

ଭୁବନେଶ୍ବର: ପ୍ରତି ମାସ ୭ ତାରିଖ ସୁଦ୍ଧା ପୂର୍ବ ମାସର କାର୍ଯ୍ୟକୁ ନେଇ ରିପୋର୍ଟ ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ୨୦ ଜଣ ଯାକ ମନ୍ତ୍ରୀ। ସମସ୍ତେ ନିଜ ନିଜ ବିଭାଗର ମାସିକିଆ‌ ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ନୂଆ କରି ବିଭାଗର ଦାୟିତ୍ବ ନେଲା ପରେ ମାସକ ଭିତରେ କ’ଣ କାମ କରିଛନ୍ତି ଓ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗ‌େର ଆଗାମୀ ଦିନ ପାଇଁ କି ଯୋଜନା କରିଛନ୍ତି, ତାହା ଏଥିରେ ଉଲ୍ଲେଖ କରିଛନ୍ତି।

ଏ ମାସରେ ୭ ତାରିଖ ରବିବାର ପଡ଼ୁଛି। ତେଣୁ ଆଜି ସବୁ ମନ୍ତ୍ରୀ ରିପୋର୍ଟ ଦାଖଲ କରିଛନ୍ତି। ଦାୟିତ୍ବ ନେବା ପରେ ପ୍ରଥମ ରିପୋର୍ଟ ହୋଇଥିବାରୁ ତାହାକୁ ପ୍ରଭାବଶାଳୀ କରିବା ପାଇଁ ଗତ ତିନି ଚାରି ଦିନ ହେଲା ମନ୍ତ୍ରୀମାନେ ବେଶ୍‌ କସରତ କରିଥିଲେ। ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ତୁହାକୁ ତୁହା ବୈଠକ କରିଥିଲେ। ଦଳୀୟ ଇସ୍ତାହାରକୁ ତନ ତନ କରି ଯାଞ୍ଚ୍ କରି ସେଥିରେ ଥିବା ନିଜ ନିଜ ବିଭାଗର ଦାୟିତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ସେହି ଅନୁଯାୟୀ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ କି କି ପଦକ୍ଷେପ ନିଆଯାଇପାରିବ, ସେ ସମ୍ପର୍କରେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ଗତ ମାସକ ଭିତରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନର ଯୋଜନାକୁ ନେଇ ରିପୋର୍ଟ ପ୍ରସ୍ତୁତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ ବି ସେମାନଙ୍କ ପ୍ରଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ କିପରି ରହିଛି, ତାହା କୌଣସି ମନ୍ତ୍ରୀ ଜାଣିବାର ସୁଯୋଗ ପାଇ ନାହାନ୍ତି। କାରଣ ମୁଖ୍ୟମନ୍ତ୍ରୀ କାହାରିକୁ ବ୍ୟକ୍ତିଗତ ଭାବେ ସେମାନଙ୍କ ପ୍ରଦର୍ଶନ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ରିପୋର୍ଟଗୁଡ଼ିକ ତର୍ଜମା କରି ମୂଲ୍ୟାୟନ କରିବେ। ତାହା ପରେ ଆବଶ୍ୟକ ପଡ଼ିଲେ ମନ୍ତ୍ରୀମାନଙ୍କୁ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ପରାମର୍ଶ ଦେବେ। ଗତ ମେ ୨୯ ତାରିଖ ଦିନ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟ ଶପଥ ଗ୍ରହଣ କରିଥିଲେ। ସେହିଦିନ ସନ୍ଧ୍ୟାରେ ସଚିବାଳୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନ ସମୟରେ ଲୋକଙ୍କୁ ନିର୍ବାଚନୀ ଇସ୍ତାହାର ଜରିଆରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ସରକାରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଠିକ ୩୬୫ ଦିନ ପରେ ଅର୍ଥାତ ଆସନ୍ତା ବର୍ଷ ମେ ୨୯ ତାରିଖ ଦିନ ବିଜେଡି ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଓ ଏହାର ରୂପାୟନ ସମ୍ପର୍କରେ ଲୋକଙ୍କୁ ଅବଗତ କରିବ। ଏଥିପାଇଁ ସମସ୍ତ ସଦସ୍ୟ ଉଦ୍ୟମ କରିବାକୁ ସେ ଆହ୍ବାନ ଦେଇଥିଲେ। ପ୍ରତି ମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟକାରୀ କରିବା ଦିଗରେ କଣ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ତାଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ଜୁନ୍ ୪ ତାରିଖରେ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର