ଜୟପୁର: ଦୀର୍ଘ ଦିନ ହେବ ଚାଷ ନ ହୋଇ ପଡ଼ିଆ ପଡ଼ିଥିବା ଡଙ୍ଗରଜମିକୁ ସବୁଜିମାରେ ପରିଣତ କରିଛନ୍ତି ଜୟପୁର ବାଲିପଟାସାହିର ସୁବୋଧ ପାତ୍ର। ୨୦୧୪ ମସିହାରେ ଜୟପୁର ସହର ଠାରୁ ୪କିଲୋ ମିଟର ଦୂରରେ ଥିବା ମକାପୁଟ–ହାତୀବାରି ଗାଁ ନିକଟରେ ପଡ଼ିଆ ପଡ଼ିଥିବା ସାଢ଼େ ୫ ଏକର ୪୮ସେଣ୍ଟ ଡଙ୍ଗର ଜମିକୁ ସବୁଜିମାରେ ପରିଣତ କରିଛନ୍ତି। ଡଙ୍ଗର ଜମି କିଣିବା ପରେ ସେ ନିଜ ଜମିରେ ଦିନ ରାତି ବର୍ଷା, ଖରା, ଶୀତରେ ଖଟି ୧୦ଜଣଙ୍କୁ ରୋଜଗାର ଦେଇଛନ୍ତି।

Advertisment

ଜୟପୁର ବ୍ଲକର ଉମୁରୀ ପଂଚାୟତର ମକାପୁଟ–ହାତୀବାରି ଗାଁ ନିକଟରେ ପଡ଼ିଆ ପଡ଼ିଥିବା ସାଢ଼େ ୫ଏକର ୪୮ସେଣ୍ଟ ଜମିକୁ ୨୦୧୪ ମସିହାରେ ସଜାଡିବା ଆରମ୍ଭ କରିଥିଲେ ସୁବୋଧ। ସେବେ ଠାରୁ ପ୍ରୟାସ କରି ପର୍ଯ୍ୟାୟ କ୍ରମେ ଜମିର ସଂପୂର୍ଣ୍ଣ ରୁପରେଖକୁ ପରିବର୍ତ୍ତନ କରିଛନ୍ତି ସୁବୋଧ। ପ୍ରଥମେ ସେ ଜମିକୁ ସମତୁଲ କରି ଗଭୀର ନଳକୂଅ ଖନନ କରାଇଥିଲେ। ଏହା ପରେ ଏହି ଜମିର ଚାରି ପାର୍ଶ୍ବରେ ନିଳଗିରି, ଆକାଶିଆ, ଅଷ୍ଟ୍ରେଲିଅନ୍ ଟିକ୍ ଗଛ ୧୦ରୁ ୨୦ଫୁଟ ବର୍ଗ ମଧ୍ୟରେ ଲଗାଇଥିଲେ। ଏହପରେ ଖାଲିଥିବା ସ୍ଥାନରେ ବିଲେଇ କଣ୍ଟା, କାବୁଲି କଣ୍ଟା ଗଛ ସହ ମୁର୍ଗା ଗଛ ଲଗାଇ ସବୁଜ ପାଚେରୀ ତିଆରି କରିଥିଲେ। ଚାଷ ନ ହୋଇ ପଥର ଭଳି ହୋଇ ପଡ଼ିଆ ପଡ଼ିଥିବା ଜମିର ମାଟଇକୁ କାଟି କିଆରି ଭାବେ ସଜାଡ଼ିଥିଲେ। ଅଧ ଏକର ଜମିରେ ପ୍ରଥମେ ୧୧୦ଟି ଆମ୍ବଗଛ ଲଗାଇଥିଲେ।

ପର୍ଯ୍ୟାୟକ୍ରମେ ଉତ୍ତରପୂର୍ବରେ ବାଉଁଶ ଲଗାଇଥିଲେ। ଏହାର ଦୁଇ ବର୍ଷ ପରେ ୩୦ଟି ନଡିଆ ଗଛ, ଦେଶୀ ଅଁଳା, ସପେଟା, ମସଲା ଜାତୀୟ ତେଜପତ୍ର, ଅଲେଇଚ, ଗୋଲମରିଚ ଆଦି ଗଛ ଲଗାଇଛନ୍ତି। ବର୍ଷ ତମାମ ପାଣି ସଂରକ୍ଷଣ କରି ରଖିବା ଏବଂ ମାଛ ଚାଷ କରିବାପାଇଁ ଏହାରି ପରିସରରେ ସେ ପୋଖରୀଟିଏ ଖନନ୍ କରିଥିଲେ। ରାଜ୍ୟ ସରକାର ବିଭିନ୍ନ କୃଷି ଯୋଜନା କରି ସହଯୋଗର ହାତବଢ଼ାଉଥିବା ଦେଖି ସେ ଚିରା ଚରିତ ଚାଷ ସହ ବିଭିନ୍ନ ଉଦ୍ୟାନ, ପନିପରିବା, ଫଳ ଆଦିର ଚାଷ କରିବାକୁ ମନବଳାଇଥିଲେ। ସଂପ୍ରତି ସେ ଜମିରେ ଧାନ, ସହ ଅଦା, କଦଳୀ, ପନିପରିବାରେ ଫୁଲକୋବି, ପତ୍ରକୋବି, ଟମାଟ, ଶାଗ ସହ ଅନ୍ୟାନ୍ୟ ପରିବା ଚାଷ କରି ଆସୁଛନ୍ତି।

କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ସହଯୋଗ ମିଳିବାରୁ ପଡ଼ିଆ ପଡ଼ିଥିବା ଜମି ଆଜି ତାଙ୍କୁ ସୁନାଫଳାଇ ଦେଉଥିବା ବେଳେ ସେ ୧୦ଜଣଙ୍କୁ ବର୍ଷ ତମାମ ରୋଜଗାରକ୍ଷମ ସିଧାସଳଖ କରାଇବା ସହ ଶତାଧିକ ବ୍ୟବସାୟୀ ତାଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରି ଲାଭ ପାଇ ପାରୁଛନ୍ତି ତାହା ତାଙ୍କୁ ଆତ୍ମସନ୍ତୋଷ ଦେଉଛି ବୋଲି କହିଛନ୍ତି ସୁବୋଧ। କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏହାର ଲାଭ ନେଇ ଚାଷୀ ମାନେ ଆଗେଇବାକୁ ପଡ଼ିବ। ନିଜର ପ୍ରୟାସ ଓ ଜାଣିବା ଇଛା ଶକ୍ତି ରହିଲେ ନିଶ୍ଚିତ ରୁପେ ଜିଣିପାରିବା ବୋଲି କହିଛନ୍ତି ସୁବୋଧ। ଏହା ବାଦେ ସେ କୁନ୍ଦ୍ରା ବ୍ଲକର ବାଗଦେରୀଠାରେ ବି ଏଭଳି କୃଷି ବଗିଚାଟିଏ କରିବା ସହ ୨୦ଏକର ଜମିରେ ମକା ଚାଷ କରି ଆସୁଥିବା କହିଛନ୍ତି।  ମକା ଚାଷ ସେ ୨୦୦୦ମସିହାରେ ଆରମ୍ଭ କରିଥିବା ବେଳେ ଦୀର୍ଘ ୨୪ବର୍ଷ ହେବ ଜାରି ରଖିଥିବା କହିଛନ୍ତି ସୁବୋଧ। ଚାଷ ସହ ବିଭିନ୍ନ ବିହନ ସହ ସାର, କୀଟନାଶକ ଔଷଧ ବିକ୍ରିର ଦୋକାନ କରିଛନ୍ତି ସୁବୋଧ। ଚାଷକୁ ସଠିକ ପଦ୍ଧତି ଓ ଠିକଣା ସମୟରେ ଯୋଜନାବଦ୍ଧ ଭାବେ କରି ପାରିଲେ ସଫଳତା ମିଳିବ ବୋଲି କହିଛନ୍ତି ସୁବୋଧ।