ଦୂରଦର୍ଶନ ସମ୍ବାଦପାଠକ ସୁବୋଧ ନାୟକଙ୍କ ପରଲୋକ

କଟକ : ଦୂରଦର୍ଶନ ତଥା ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ କବି ସୁବୋଧ ନାୟକ ଆଉ ନାହାନ୍ତି। ଆଜି ଭୋର୍ ୪ଟାରେ ତାଙ୍କ ପର‌ଲୋକ ଘଟିଛି। ମୃତ୍ୟୁ ବେଳକୁ ୫୪ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଗୀତାଶ୍ରୀ, ଝିଅଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ଶ୍ରୀ ନାୟକ ୧୯୬୪ ମସିହାରେ ପୁରୀ ଜିଲ୍ଲା କାକଟପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ସୁଦାମ ଚରଣ ନାୟକ ଓ ମାଆଙ୍କ ନାମ ବିଜନବାଳା। ରେଭେନ୍ସା କଲିଜିଏଟ ସ୍କୁଲରୁୂ ମାଟ୍ରିକ୍ ଓ ରେଭେନ୍ସା କଲେଜରୁ ସ୍ନାତକ ଶିକ୍ଷା ପରେ ସ୍ବର୍ଗତ ନାୟକ କଟକରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଜଣେ ଅଭିନେତା, ସମ୍ବାଦପାଠକ, କଣ୍ଠଶିଳ୍ପୀ ଓ କବି ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ଥିଲା। ୧୯୮୯ରେ ଦୂରଦର୍ଶନରେ ସମ୍ବାଦପାଠକ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ସ୍ବର୍ଗତ ନାୟକ ନିଜ ଗମ୍ଭୀର କଣ୍ଠସ୍ବର, ସ୍ପଟ ଉଚ୍ଚାରଣ ଓ ନିଆରା ପଠନଶୈଳୀ ପାଇଁ ଓଡ଼ିଶାର ଘରେ ଘରେ ପରିଚୟ ଥିଲେ। ସେ ଟେଲିଫିଲ୍ମ ଓ ଧାରାବାହିକରେ ଅଭିନୟ କରିବା ସହିତ ଅନେକ କବିତା ମଧ୍ୟ ରଚନା କରିଥିଲେ। ଓଡିଶା ଯୁବ ଲେଖକ ସମ୍ମେଳନ ଉପସଭାପତି, କବିତା ଡଟ କମର ପ୍ରତିଷ୍ଠାତା ସଦସ୍ୟ ଭାବେ କାର୍ଯ୍ୟ କରିବା ସହିତ ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ସେ ଜଡିତ ଥିଲେ। ଅକ୍ଷୟ ମହାନ୍ତିଙ୍କ କଣ୍ଠସ୍ବରକୁୁ ଅବିକଳ ନକଲ କରି ଗୀତ ଗାଇବାରେ ତାଙ୍କର ବେଶ୍ ଦକ୍ଷତା ଥିଲା। ସମ୍ପ୍ରତି କେନ୍ଦ୍ରୀୟ ପ୍ରଶାସନିକ ଅଧିକରଣର ଜଣେ ବରିଷ୍ଠ ଅଧିକାରୀ ଭାବେ ସେ କାର୍ଯ୍ୟ କରୁଥିଲେ। ଆଜି ସଂଧ୍ୟାରେ ସତୀଚଉରା ଶ୍ମଶାନରେ ସ୍ବର୍ଗତ ନାୟକଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଏକମାତ୍ର ପୁଅ ବିଶାଲ ସ୍ବୟମଜିତ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର