ଗାଳି ଖାଇଲେ ବାଗଚୀ ! ଜାଣନ୍ତୁ କିଏ ଗାଳିଦେଲେ ଓ କାହିଁକି ?

ଭୁବନେଶ୍ୱର: ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ଠାରୁ ଗାଳି ଶୁଣିଛନ୍ତି ସୁବ୍ରତ ବାଗଚୀ ।  ତେବେ କ’ଣ ପାଇଁ ଓ କାହିଁକି  ଗାଳି ଦେଲେ ଶାଳିନୀ ସେ ନେଇ ରାଜ୍ୟ ସରକାରଙ୍କ କୋଭିଡ୍ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି  ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ସେ କହିଛନ୍ତି ,ଆଜି ସକାଳେ ଯେତେବେଳେ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ସହ ତାଙ୍କର ମିଟିଂ ଥିଲା ସେତେବେଳେ ସେ ନିଜେ ପିନ୍ଧିଥିବା ମାସ୍କକୁ ସାମ୍ନା ପଟୁ ଦୁଇ ହାତର ଆଙ୍ଗୁଳିରେ ବାହାର କରିଥିଲେ ।  ସେତିକି ବେଳେ ସଙ୍ଗେ ସଙ୍ଗେ ଶାଳିନୀ ପଣ୍ଡିତ ତାଙ୍କୁ ଏପରି କରିବାକୁ ଆକଟ କରିଥିଲେ। ଏଥିସହ ସୂଚାଇ ଦେଇ କହିଥିଲେ କି ମାସ୍କର ସାମ୍ନାପଟୁ ହାତ ଦେବା ଆଉ ମୁହଁକୁ ଛୁଇଁବା ଏକା କଥା । ତେଣୁ ମାସ୍କ ଓହ୍ଲାଇଲା ବେଳେ କିମ୍ବା ପିନ୍ଧିଲା ବେଳେ ସାମ୍ନାପଟୁ ନୁହେଁ ବରଂ ଏହାର ଦୁଇ ମୁଣ୍ଡରେ ଥିବା ଦୁଇ ସୂତା ଧରି ବ୍ୟବହାର କରିବାକୁ ପଡିବ । ଏହି ଘଟଣା ଅବତାରଣା କହିବା ସହ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ଓ ଓହ୍ଲାଇବାର ପ୍ରକୃତ ଶୈଳୀ ସଂପର୍କରେ ଅବଗତ କରାଇଥିଲେ। ଯଦି ମାସ୍କ ପିନ୍ଧୁଛନ୍ତି କିମ୍ବା ଓହ୍ଲାଉଛନ୍ତି ତେବେ ଏହାର ଦୁଇ ପାର୍ଶ୍ବରେ ଥିବା ଧଡ଼ିରୁ ହିଁ ଧରନ୍ତୁ। ଆଦୌ ସାମ୍ନାପଟୁ ହାତ‌ରେ ଧରନ୍ତୁ ନାହିଁ।

ଏଥିସହ ଶ୍ରୀ ବାଗଚୀ ଜନସାଧାରଣଙ୍କୁ କରୋନାକୁ ନେଇ ବିଭିନ୍ନ ମାଧ୍ୟମରେ ଘୂରି ବୁଲୁଥିବା ୧୨ଟି ଭ୍ରାନ୍ତ ଧାରଣା ସଂପର୍କରେ ଅବଗତ କରାଇଥିଲେ। ନିମ୍ନରେ ସେଗୁଡ଼ିକ ଉପସ୍ଥାପନ କରାଗଲା।

ଜାଣନ୍ତୁ ଭ୍ରାନ୍ତ ଧାରଣା କ’ଣ ଓ ସତ କ’ଣ

-ନାକରେ ଲୁଣ ପାଣି ଦେଲେ କରୋନା ହେବ ନାହିଁ ।
କିନ୍ତୁ ବାଗଚୀ କହୁନ୍ତି, ଏହି ଘରୋଇ ଚିକିତ୍ସା ଦ୍ୱାରା ସାଧାରଣ ଥଣ୍ଡା ଭଲ ହୁଏ, କରୋନା ଭଲ ହେବ ନାହିଁ ।
-କରୋନା ଭୂତାଣୁ ଗରମରେ ମରିଯିବ ।
ବାଗଚୀଙ୍କ କହିବା ଅନୁସାରେ କରୋନା ସଂକ୍ରମଣରେ ଯେତେବେଳେ ଗବେଷଣା ଚାଲିଛି, ଏମିତି କହିହେବ ନାହିଁ ଯେ, କରୋନା କେତେ ଡିଗ୍ରି ତାପମାତ୍ରାରେ ମରିବ ।
-କରୋନା ଯଦି ମତେ ଥରେ ଧରିବ, ସାରା ଜୀବନ ଧରିବ ।
ଏମତି ଭାବିବା ଭୁଲ ବୋଲି କୁହନ୍ତି ଶ୍ରୀ ବାଗଚୀ ।
-ପ୍ରଶ୍ୱାସ ନେଇ ୧୦ ସେକେଣ୍ଡ ରଖପାରିଲେ କରୋନା ହେବ ନାହିଁ ।
କରୋନା ହେଲେ ଜ୍ୱର ହେବ, କାଶ ହେବ ଓ ଶ୍ୱାସକ୍ରିୟାରେ କଷ୍ଟ ହେବ ବୋଲି ଶ୍ରୀ ବାଗଚୀ ପରାମର୍ଶ ଦେଇଛନ୍ତି ।
-ମଦ ପିଇଲେ କରୋନ ହେବ ନାହିଁ ।
କିନ୍ତୁ ମଦ ଓ ନିଶା ପିଇଲେ ଇମ୍ୟୁନିଟି କମିଯିବ ।
-ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ ।
ମାତ୍ର ଏହା ସହିତ କରୋନାର କୌଣସି ସଂପର୍କ ନାହିଁ ।
-ମଶା କାମୁଡିବାରୁ ମଧ୍ୟ କରୋନା ହୋଇପାରେ ।
କାଶ, ଝିଙ୍କ କଣିକା ଦ୍ୱାରା କରୋନା ହୁଏ ।
-ରସୁଣ ଖାଇଲେ କରୋନା ହେବ ନାହିଁ ।
ରସୁଣର ଅନ୍ୟ ଔଷଧୀୟ ଗୁଣ ରହିଛି କିନ୍ତୁ କରେନା ସହ କୌଣସି ସଂପର୍କ ନାହିଁ ।
-ଛୁଆ ଓ ଯୁବକମାନଙ୍କୁ କରୋନା ହେବ ନାହିଁ ।
କିନ୍ତୁ ବାଗଚୀ କହିଛନ୍ତି, ସମସ୍ତ ବୟସର ଲୋକଙ୍କୁ କରୋନା ହୋଇପାରିବ ।
-ଆଣ୍ଟିବାଓଟିକ ଔଷଧ ଖାଇଲେ କରୋନା ହେବ ନାହିଁ ।
ଆଣ୍ଟିବୋଓଟିକରେ ସାମାନ୍ୟ ଜୀବାଣୁ ମରିଯାଏ, ଭୂତାଣୁ ନୁହେଁ ।
-କ୍ଲୋରିନ ପାଣିରେ ପାଟିରେ ପୁରାଇଲେ କରୋନା ହେବ ନାହିଁ ।
ଏହା ଦ୍ୱାରା ଶରୀରକୁ ଆହୁରି କ୍ଷତି ପହଞ୍ଚାଇବ ।
-ପୋଷା କୁକୁର ଓ ବିଲେଇଙ୍କ ଠାରୁ କରୋନା ହୋଇପାରେ ।
ଶ୍ରୀ ବାଗଚୀ କୁହନ୍ତି ସେମିତି ଚିନ୍ତାଧାରା କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର