କାହିଁକି ଓଡ଼ିଶାରେ କ୍ୟାନ୍ସର ହସ୍ପିଟାଲ ପାଇଁ ଇଚ୍ଛା କଲେ ବାଗଚୀ ଦମ୍ପତି, ପ୍ରେସମିଟରେ କଲେ ଖୁଲାସା

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ । ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ବାଗଚି- ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି । ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି । ଏଥିପାଇଁ ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀ ୩୪୦ କୋଟି ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ କ୍ୟାନ୍ସର ହସ୍ପିଟାଲକୁ ନେଇ ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶା ମା’ ମାଟିକୁ କିଛି ଫେରାଇବାକୁ ଚାହିଁଲୁ, ତେଣୁ ବାଗଚୀ-ଶଙ୍କର କ୍ୟାନ୍ସର ହସ୍ପିଟାଲ ପାଇଁ ୨୩୦ କୋଟି ଟଙ୍କା ଦେବୁ | ସେହିପରି ବାଗଚୀ-ଶଙ୍କର କରୁଣାଶ୍ରୟ ପାଇଁ ୧୧୦ କୋଟି ଟଙ୍କା ଦେବୁ | ଦୁଇଟି ଅନୁଷ୍ଠାନ ଇନଫୋସିଟିରେ ୪୦ ଏକର ଜାଗାରେ ନିର୍ମାଣ ହେବ | କରୁଣାଶ୍ରୟରେ ପାଲିଏଟିଭ କେୟାର ବା କ୍ୟାନ୍ସର ରୋଗୀଙ୍କ ଶେଷ ଚିକିତ୍ସା କରାଯାଇପାରିବ |

କ୍ୟାନ୍ସର ରୋଗୀଙ୍କ ଶେଷ ୧୪ ଦିନ ଖୁବ ଯନ୍ତ୍ରଣାଦାୟକ ହୋଇଥାଏ, ତେଣୁ ଏଠାରେ ସେମାନଙ୍କ ଚିକିତ୍ସା କରାଯିବ | ଭାରତରେ ଏଭଳି ଦୁଇଟି ବ୍ୟବସ୍ଥା କେଉଁଠି ନାହିଁ ଓ ୨୦୨୩ ସୁଦ୍ଧା ଦୁଇଟି ହସ୍ପିଟାଲ ତିଆରି ସରିବ ବୋଲି ବାଗଚୀ ଦମ୍ପତ୍ତି କହିଛନ୍ତି | ରାଜ୍ୟ ସରକାର ସହଯୋଗ କରୁଥିବାରୁ ଆମେ କୃତଜ୍ଞ ବୋଲି ସେମାନେ କହିଥିବାବେଳେ ହସ୍ପିଟାଲ ସହ ଆମର କୌଣସି ବ୍ୟକ୍ତିଗତ/ବ୍ୟବସାୟିକ ସମ୍ପର୍କ ରହିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି |

ସମ୍ବନ୍ଧିତ ଖବର