୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ମାତ୍ରାଧିକ କରୋନା ସମ୍ବେଦନଶୀଳ; ରାଜ୍ୟକୁ ଫେରନ୍ତାମାନେ ଏହି ସତ୍ୟକୁ ହୃଦୟଙ୍ଗମ କରନ୍ତୁ: ସୁବ୍ରତ ବାଗଚୀ

ମୁରବୀଙ୍କ ସୁରକ୍ଷା ପାଇଁ କରୋନାକୁ ଘର ଭିତରକୁ ନିଅନ୍ତୁ ନାହିଁ

ଭୁବନେଶ୍ୱର: କରୋନା ମୁକାବିଲା କ୍ଷେତ୍ରରେ ପରିବାରର ସମସ୍ତ ବୟସ୍କ ବ୍ୟକ୍ତି ବିଶେଷଙ୍କ ଉପରେ ସମସ୍ତଙ୍କୁ ଅଧିକ ଧ୍ୟାନ ଦେବା ସହ ସେମାନଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ । କାରଣ ବୟସ୍କ ବ୍ୟକ୍ତି (୬୦ ବର୍ଷରୁ ଅଧିକ) ବିଶେଷଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି କମ ଥାଏ । ରାଜ୍ୟର ସାଢ଼େ ୪କୋଟି ଜନସଂଖ୍ୟା ମଧ୍ୟରୁ ୧୦ ପ୍ରତିଶତ ଅର୍ଥାତ ୪୫ଲକ୍ଷ ହେଉଛନ୍ତି ୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସର ବୃଦ୍ଧ ଓ ବୃଦ୍ଧା । ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବିଶେଷମାନେ ଅଧିକ ମାତ୍ରାରେ କରୋନା ସମ୍ବେଦନଶୀଳ ବୋଲି ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, ଅନ୍ୟ ଦେଶରୁ ଯାହା ଜାଣିବାକୁ ମିଳିଛି ୪୦ ରୁ ୫୦ ବର୍ଷ ବୟସ ମଧ୍ୟରେ ପ୍ରତି ୧୦୦୦ ଜଣଙ୍କ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହେଉଛି । ସେହିଭଳି ୫୦ରୁ ୬୦ ବର୍ଷ ମଧ୍ୟରେ ପ୍ରତି ୧୦୦୦ ଜଣଙ୍କ ମଧ୍ୟରେ ୧୨.୫ ଜଣଙ୍କ ମୃତ୍ୟୁ ହୋଇଛି । ୬୦ରୁ ଉର୍ଦ୍ଧ ବୟସ ହୋଇଥିଲେ ପ୍ରତି ୧୦୦୦ ଜଣଙ୍କ ମଧ୍ୟରେ ୪୦ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ୭୦ ବର୍ଷରୁ ଅଧିକ ବୟସ୍କ ୧୦୦୦ ଲୋକସଂଖ୍ୟାରେ ୮୬ ଜଣ । କିନ୍ତୁ ୮୦ ବର୍ଷରୁ ଅଧିକ ହୋଇଥିଲେ ପ୍ରତି ୧୦୦୦ ଜଣଙ୍କ ମଧ୍ୟରେ ୧୩୪ ଜଣ ଲୋକଙ୍କ ମୃତ୍ୟୁହେଉଛି ।

ଏହି ପରିପ୍ରେକ୍ଷୀରେ  ବାଗଚୀ କହିଛନ୍ତି, ରାଜ୍ୟରେ ଚିହ୍ନଟ ମୋଟ ପଜିଟିଭ ସଂଖ୍ୟାର ୧୨ ପ୍ରତିଶତ ୬୦ ବର୍ଷରୁ ଅଧିକ । ମୋଟ ପଜିଟିଭ ସଂଖ୍ୟାର ୪୭ ପ୍ରତିଶତ ହେଉଛନ୍ତି ୧୫ ରୁ ୪୦ ବର୍ଷ ବସୟ ବର୍ଗର । ସେହିପରି ୧୪ ବର୍ଷରୁ କମ ବୟସର କରୋନା ପଜିଟିଭ ସଂଖ୍ୟା ୧୧ ପ୍ରତିଶତ । ୪୧ରୁ ୬୦ ବର୍ଷ ବୟସ ଭିତରେ ୩୦ ପ୍ରତିଶତ କରୋନା ପଜିଟିଭ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗ ଫେରନ୍ତାମାନଙ୍କ ଯୋଗୁ ହିଁ ରାଜ୍ୟରେ ବୟସ୍କ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ତଥ୍ୟ ସମ୍ବଳିତ ଚିତ୍ର ଆଧାରରେ କହିଛନ୍ତି ଶ୍ରୀ ବାଗଚୀ।

କୋଭିଡ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗଚୀ କହିଛନ୍ତି, ଶିଶୁମାନଙ୍କ ସୁରକ୍ଷା ନେଇ ମଧ୍ୟ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଯଦିଓ ଶିଶୁମାନଙ୍କ ଚିତ୍ର ବିଶ୍ୱସ୍ତରରେ ଅଲଗା ରହିଛି କିନ୍ତୁ ଭାରତ ଓ ଓଡ଼ିଶା କ୍ଷେତ୍ରରେ ଏହା ଭିନ୍ନ । ସମଗ୍ର ବିଶ୍ୱରେ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ଭାରତରେ ଏକ ତୃତୀୟାଂଶ ଭାରତରେ ଅଛନ୍ତି । ଏଥିରୁ ଓଡ଼ିଶାରେ ସଂଖ୍ୟାଧିକ । ଏ  ପରିସ୍ଥିିତିରେ କ୍ୱାରେଣ୍ଟାଇନ ମାନୁ ନଥିବା ବ୍ୟକ୍ତି ବୟସ୍କ ଓ ଶିଶୁମାନଙ୍କ ପାଇଁ ବିପଦର କାରଣ ପାଲଟୁଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି । ବାହାରୁ ଆସିଥିବା ଲୋକେ ଯଦି ଏମାନଙ୍କ କଥା ଚିନ୍ତା କରିଥାନ୍ତେ ଘରେ ଥିବା ବୃଦ୍ଧ ଓ ଶୁଶୁମାନଙ୍କୁ କରୋନା ସଂକ୍ରମଣ ହୋଇ ନଥାନ୍ତା । କାରଣ ବିଶ୍ୱର ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଶିଶୁମାନଙ୍କ ଠାରେ କମ ସଂକ୍ରମଣ ହୋଇଛି । ଆମ ରାଜ୍ୟରେ ଶିଶୁମାନେ ସଂକ୍ରମଣରୁ କମ ରହିପାରିବେ । ୮୧ ଲକ୍ଷ ପିଲାଙ୍କୁ ରଖି କରୋନା ସତର୍କତାର ସବୁଠାରୁ ବଡ଼ ଆବଶ୍ୟକତା ସାମାଜିକ ଦୂରତାକୁ ପାଳନ କରିବା ସମ୍ଭବ ହେବ ନାହିଁ ବୋଲି ରାଜ୍ୟ ସରକାର ପିଲାମାନଙ୍କୁ ଘରକୁ ପଠାଇ ଦେଇଛନ୍ତି ।  କିନ୍ତୁ ଘର ଲୋକେ ଯଦି ସେମାନଙ୍କ ବିପଦର କାରଣ ପାଲଟନ୍ତୁ ବୋଲି ଚେତାଇ ଦେଇଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧିତ ଖବର