ନିଜାମୁଦ୍ଦିନ ଫେରନ୍ତା ନିର୍ଭୟ ହୋଇ ଲଜ୍ଜା ନ କରି ସରକାରଙ୍କୁ ସହଯୋଗ କରନ୍ତୁ, ନିଜ ପରିବାରକୁ ବଞ୍ଚାନ୍ତୁ : ସୁବ୍ରତ ବାଗଚୀ

ଭୁବନେଶ୍ୱର: ନିଜାମୁଦ୍ଦିନର ତବଲିଗିରେ ଅନୁଷ୍ଠିତ ଧାର୍ମିକ ସମାବେଶରେ ଯୋଗଦେଇ ଓଡ଼ିଶା ଫେରିଥିବା ବ୍ୟକ୍ତିମାନେ ନିର୍ଭୟ ଭାବେ ଲଜ୍ଜା ନ କରି ରାଜ୍ୟ ସରକାରଙ୍କ ୧୦୪ ହେଲ୍ପଲାଇନ ସହ ଯୋଗାଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ନିଜ ବିଷୟରେ ତଥ୍ୟ ଲୁଚାଇଲେ ନିଜର କ୍ଷତି ହେବା ସହ ପରିବାର ଓ ସମାଜର ଅମଙ୍ଗଳ ହେବ । ନିଜାମୁଦ୍ଦିନକୁ ଯାଇଥିବା ବ୍ୟକ୍ତି ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିି ୧୦୪ ସହ ଯୋଗାଯୋଗ କଲେ, ସେମାନଙ୍କୁ ସରକାର ମାଗଣାରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇବେ । ସଂପୃକ୍ତ ବ୍ୟକ୍ତିମାନଙ୍କର ସମସ୍ତ ଚିକିତ୍ସା ଦାୟିତ୍ୱ ନେବେ । ଯେଉଁ ବ୍ୟକ୍ତି ନିଜାମୁଦ୍ଦିନ ଯାଇଥିବେ ଓ ସେହି ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିନା ଭୟରେ ୧୦୪ ହେଲ୍ପଲାଇନକୁ କଲକରନ୍ତୁ । ନିଜାମୁଦ୍ଦିନ ଫେରନ୍ତାଙ୍କ  ମା’ ଓ ଭଉଣୀଙ୍କୁ ନିବେଦନ କରାଯାଉଛି ଯେ, ସେମାନେ ନିଜର, ନିଜର ପରିବାର ଓ ସମାଜ କଲ୍ୟାଣ ପାଇଁ ୧୦୪କୁ କଲ କରନ୍ତୁ ।

ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗଚୀ କହିଛନ୍ତି ନିଜାମୁଦ୍ଦିନର ତବଲିଗିକୁ ସଂପୃକ୍ତ ବ୍ୟକ୍ତିମାନେ କରୋନା ସଂକ୍ରମଣ ଆଣିବାକୁ ଯାଇ ନଥିଲେ । ତେଣୁ ଏହା ଲଜ୍ଜା କିମ୍ବା ଭୟର କୌଣସି କାରଣ ନାହିଁ । ଏହାକୁ ଲୁଚାଇ ରଖିଲେ ନିଜ ପାଇଁ, ପରିବାର ଓ ସମାଜ ପାଇଁ ବିପଦ ହେବ । ଏଭଳି ଏକ ବିପଦ ସମୟରେ ସରକାରଙ୍କୁ ସମସ୍ତେ ସହଯୋଗ କରିବାର ଅଛି ।

ଜଣେ ବ୍ୟକ୍ତି ଯେତେବେଳେ କରୋନା ସଂକ୍ରମଣର ଶିକାର ହୁଏ, ସରକାରୀ କଳ କେମିତି କାମ କରେ ତାହା ସୁବ୍ରତ ବାଗଚୀ ସରଳତାର ସହିତ ସାମ୍ବାଦିକ ସମ୍ମିଳନୀରେ ବୁଝାଇଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାର ସର୍ବ ପ୍ରଥମେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଯାତ୍ରା ଇତିହାସ ଜାଣିବାକୁ ଚାହାନ୍ତି । ସଂପୃକ୍ତ ବ୍ୟକ୍ତି ବ୍ୟକ୍ତି ଯାତ୍ରା ସମୟରେ କେଉଁଠିକୁ ଯାଇଥିଲେ ଏବଂ ସେହି ସ୍ଥାନରେ କାହା କାହା ସହ ସଂସ୍ପର୍ଶରେ ଆସିଥିଲେ ଜାଣନ୍ତି । ଏହା ପରେ ସରକାର ସଂକ୍ରମିତ ବ୍ୟକ୍ତିଙ୍କୁ ଆଣିବା ପାଇଁ ରାତାରାତି କାମ କରିଥାନ୍ତି ।

ପ୍ରଥମେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହସ୍ପିଟାଲ ଅଣାଯାଇଥାଏ । ନମୁନା ଯଦି ପଜିଟିଭ ବାହାରିଲା, ତାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଣିବା ପାଇଁ ପୁଣି ଯୋଗାଯୋଗା କରୁ ବୋଲି ଶ୍ରୀ ବାଗଚୀ କହିଛନ୍ତି । ସରକାର ଏହି ପଦ୍ଧତିରେ କରୋନା ସଂକ୍ରମିତ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇଥାଏ । କିନ୍ତୁ ଏମତି କ୍ରମାଗତ ଭାବେ କାମ କରିବା ଶାସନ କଳ ପାଇଁ ବଡ଼ ବୋଝ ହେବ । ତେଣୁ ସରକାରଙ୍କୁ ସମସ୍ତେ ସହଯୋଗ କଲେ କରୋନା ସହିତ ମୁକାବିଲା କରିବା ସହଜ ହେବ ।

କୋଭିଡ ମୁଖ୍ୟ ଶ୍ରୀ ବାଗଚୀ କହିଛନ୍ତି, ଏ ପର୍ଯ୍ୟନ୍ତ ରାଜ୍ୟରେ ୨୦ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଧରନ୍ତୁ ଯଦି ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୫୦ ଜଣ ଆସିଛନ୍ତି । ହାରାହାରି ୧୦୦୦ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବାର ଆଶଙ୍କା ଅଛି । କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଆଣିବା ପାଇଁ ଗୋଟିଏ ଟିମରେ ମୋଟ ୧୦ ଜଣ ପ୍ରଶାସନିକ ଅଧିକାରୀ, ପୁଲିସ କର୍ମଚାରୀ ଓ ହସ୍ପିଟାଲ କର୍ମଚାରୀ ରହିବେ । ତେଣୁ ୨୦ଟି ଟିମ ଟ୍ରାକିଂ ପାଇଁ ୨୦୦ ଜଣ ରହିବେ । ରାତି ସାରା ୧୦୦୦ ଲୋକଙ୍କୁ ନେଇ ଆସିବା ପାଇଁ ୨୦୦୦ ଗାଡ଼ି ଦରକାର । କାରଣ ଜଣେ ବ୍ୟକ୍ତିଙ୍କୁ ଆଣିବା ପାଇଁ ୨ଟି ଗାଡ଼ି ଦରକାର । ଦଶ ପ୍ରତିଶତ ପଜିଟିଭ ବାହାରିଲେ ୧୦୦ ଜଣ ପଜିଟିଭ ବାହାରିବେ । ଯଦି ଏହି ଭଳି ଭାବରେ ରୋଗୀ ସଂଖ୍ୟା ବଢ଼େ ତାହେଲେ ୧୦୦ ଜଣ କରୋନା ରୋଗୀଙ୍କ ଠାରୁ ୧୦ ପ୍ରତିଶତ ରୋଗୀ ୫୦୦ରେ ପହଞ୍ଚିବ । ପୁଣି ଏହି ସଂଖ୍ୟା ୫୦୦୦ରେ ପହଞ୍ଚିବ । ଏବଂ ୫୦୦୦ କରୋନା ରୋଗୀଙ୍କୁ ହସ୍ପିଟାଲ ଆଣିବା ପାଇଁ ସରକାରଙ୍କ ଉପରେ .ବୋଝ ପଡ଼ିଯିବ । ତେଣୁ ଯେଉଁ ବ୍ୟକ୍ତି ନିଜକୁ ସନ୍ଦିଗ୍ଧ ମନେକରୁଛନ୍ତି, ସରକାରଙ୍କ ୧୦୪କୁ ଯୋଗାଯୋଗ କଲେ କରୋନା ମୁକାବିଲା ସହଜ ହେବ ।

ଶ୍ରୀ ବାଗଚୀ କହିଛନ୍ତି ଯେ, ଲୋକେ ଯେକୌଣସ ଅପପ୍ରଚାର କରନ୍ତୁ ନାହିଁ । ସନ୍ଦେହ ଜନକ ଟୁଇଟ କରିବା, ହ୍ୱାଟସପ କରିବା, ସୋସିଆଲ ମିଡିଆରେ ଅପବ୍ୟବହାର କରିବା ଏକ ଭୁଲ କାମ । ସମୁଦ୍ରର ଢେଉରେ ବେଳାଭୂମି ଉପରେ ଥିବା ଚିହ୍ନ ଲିଭିଯାଇଥାଏ । କିନ୍ତୁ ସୋସିଆଲ ମିଡିଆକୁ ଅପବ୍ୟବହାର କରୁଥିବା ଲୋକଙ୍କୁ ଧରିବା ଆମ ପାଇଁ ବଡ଼ କାମ ନୁହେଁ । ତେଣୁ ଆପଣ କେବେ ବି ଏଭଳି କାମ କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର