ଛତ୍ରପୁର: ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଓ ରାଜ୍ୟ କ୍ରୀଡ଼ା ଯୁବ ସେବା ବିଭାଗର ମିଳିତ ସହଯୋଗରେ ଗତ ୨୩ ଓ ୨୪ ତାରିଖରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୨୬ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାକୁ ୫ଟି ସ୍ବର୍ଣ୍ଣ ପଦକ ମିଳିଛି। ଆଉ ଜିଲ୍ଲାର ସୁବ୍ରତ ପାତ୍ର ଏକାକି ଏହି ୫ଟି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ରାଜ୍ୟସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।
ସେହିପରି ପୂର୍ଣ୍ଣଚନ୍ଦ୍ର ସେଠୀ (ପାରା ଆଥଲେଟ୍, ପୁରୁଷ) ବର୍ଗରେ ଦୁଇଟି ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତିରୁପତି ରେଡ୍ଡୀ, ଗଣେଶ ମହାରଣା, ଅଂଶୁମାନ ଦାସ, ରିତେଶ କୁମାର ସାହୁ, ଦୀପକ ବେହେରା, ଦୀପକ ସ୍ବାଇଁ ଓ ସଞ୍ଜୟ ବେହେରା ଭଲ ପ୍ରଦର୍ଶନ କରିଥିବା କୋଚ୍ ଇ.ଲଳିତ କୁମାର ଓ ବାସୁ ନାୟକ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଆଥଲେଟିକ୍ ସଂଘର ସମ୍ପାଦକ ଅଶୋକ କୁମାର ସାହୁଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ସେପ୍ଟେମ୍ବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଆସାମର ଗୌହାଟି ଠାରେ ହେବାକୁ ଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ସୁବ୍ରତ ଭାଗ ନେବେ ବୋଲି କେ.ମନୋଜ ପ୍ରଧାନ ସୂଚନା ଦେଇଛନ୍ତି। ସୂଚନା ଥାଉ କି, ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଏମ୍.ପି.ସ୍ପୋର୍ଟସ ଏକାଡେମିର ଅଧ୍ୟକ୍ଷ ଓ ଜିଲ୍ଲା ସନ୍ତରଣ ଆୟୋଜକ କେ.ମନୋଜ ପ୍ରଧାନଙ୍କ ନେତୃତ୍ଵରେ ଜିଲ୍ଲାରୁ ଚୟନ ହୋଇଥିବା ଉପରୋକ୍ତ ୯ ଜଣ ପୁରୁଷ ପ୍ରତିଯୋଗୀ ଭାଗ ନେଇଥିଲେ।