ସଫଳ ଯୁବଚାଷୀ ସୁବ୍ରତ, ବାର୍ଷିକ ରୋଜଗାର ୮ ଲକ୍ଷ

ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ୮ ଏକର ଜମିରେ ସମନ୍ନିତ ଚାଷ କରି ବାର୍ଷିକ ୮ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ଜଳେଶ୍ୱର ବ୍ଲକ୍‌ ଅଧୀନ ମାକଡ଼ିଆ ଗାଁ’ର ସୁବ୍ରତ କୁମାର କୁମାର କୁଇଲା (୩୧)। ଏହା ସହିତ ସେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ସୁବ୍ରତ କିଛି ବର୍ଷ ତଳେ କୋରାପୁଟ ଜିଲ୍ଲା ଅଧୀନ ସୁନାବେଡ଼ା ଓ ଦାମନଯୋଡ଼ି ଅଞ୍ଚଳରେ ଜଣେ ଗାଡ଼ି ଚାଳକ ଭାବେ କାମ କରୁଥିଲେ। ସେଠା‌ରେ ସେ ସମନ୍ନିତ ଚାଷ ଦେଖି ଅନୁପ୍ରାଣିତ ହୋଇଥିଲେ। ଜଣେ ବନ୍ଧୁଙ୍କ ସହ ମିଶି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଓ ରାଇକିଆ ଅଞ୍ଚଳର ପାଖାପାଖି ୨୭ ଏକର ଜମି ଲିଜ୍‌ ସୂତ୍ରରେ ନେବା ସହ ଆରମ୍ଭ କରିଥିଲେ ଫୁଲକୋବି ଓ ବ୍ରୋକୋଲି ଚାଷ। ହେଲେ ପ୍ରତିକୂଳ ପରିସ୍ଥିତି ଯୋଗୁ କ୍ଷତିରେ ପଡ଼ି ୨୦୧୬ ମସିହାରେ ସୁବ୍ରତ ନିଜ ଗାଁ’କୁ ଚାଲିଆସିଥିଲେ। ଗାଁ’କୁ ଆସିବା ପରେ ଖୁଆଡ଼ଠାରେ ୪ ଜଣ ଜମି ମାଲିକଙ୍କଠାରୁ ପାଖାପାଖି ୮ ଏକର ଜମି ଲିଜ୍‌ ସୂତ୍ରରେ ନେଇଥିଲେ। ଧାରଉଧାର କରି ୨୦୧୯ ମସିହାରେ ସେ ୬ ଲକ୍ଷ ଟଙ୍କାର ପୁଞ୍ଜି ଲଗାଇଥିଲେ ଏବଂ ଆରମ୍ଭ କଲେ ସମନ୍ନିତ ଚାଷ। ପାଖାପାଖି ୩ ଏକର ଜମିରେ କଦଳୀ (ତରକାରୀ) ଚାଷ କଲେ।

କଦଳୀ ଓ ପୋଟଳରୁ ସିଂହଭାଗ ଆୟ
୧୫ ଜଣଙ୍କୁ ଦେଇଛନ୍ତି କର୍ମନିଯୁକ୍ତି

ଏହାର କିଛି ମାସ ପରେ ପୁଣି ଆଉ ୩ ଏକର ଜମିରେ ପୋଟଳ ଚାଷ ଆରମ୍ଭ ହେଲା। ବାକି ଜମିରେ କାକୁଡ଼ି, ଭେଣ୍ଡି, କୁନ୍ଦୁରୀ, ପେପ୍‌ସିକମ୍‌, କଖାରୁ, କଞ୍ଚାଲଙ୍କା, ବାଇଗଣ, କଲରା, ନାଡୁକା, ବିମ୍‌ସ, କୋବି, ବାଦାମ ସହ ବିରି ଇତ୍ୟାଦି ଚାଷ କରାଗଲା। ସୁବ୍ରତ କଦଳୀ ଓ ପୋଟଳ ଚାଷରୁ ଅଧିକ ଆୟ କରନ୍ତି। ଜମିରେ ୨ ହଜାର କଦଳୀ ଗଛ ଲାଗିଛି। ଖର୍ଚ୍ଚ ଯାଇ ବାର୍ଷିକ ଲାଭ ୪ରୁ ସାଢ଼େ ୪ ଲକ୍ଷ ଟଙ୍କା ମିଳୁଛି। ପ୍ରତିଦିନ ୧୦ରୁ ଅଧିକ ଗଛରୁ କଦଳୀ କାନ୍ଧି ଅମଳ ହେଉଥିବା ବେଳେ ଅଗଷ୍ଟ ମାସରୁ ଅକ୍ଟୋବର ଯାଏ ପ୍ରତିଦିନ ୩୦ଟି କଦଳୀ କାନ୍ଧି ଅମଳ ହୋଇଥାଏ। ଗୋଟିଏ ଗୋଟିଏ କଦଳୀ କାନ୍ଧିର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ କରି ସାଢ଼େ ୩ ଶହ ଟଙ୍କା ଦରରେ ବିକ୍ରି କରାଯାଏ। କଦଳୀ ଅମଳ ପରେ ଗୋଟିଏ ଗୋଟିଏ ଗଛରୁ ପ୍ରାୟ ୪୦ରୁ ୫୦ ଟଙ୍କାର ମଞ୍ଜା ମଧ୍ୟ ବିକ୍ରି ହୋଇଥାଏ। ଗୋଟିଏ ଗଛରୁ ଗୋଟିଏ ଭଣ୍ଡା ବାହାରୁଥିବା ବେଳେ ପ୍ରତି ଭଣ୍ଡା ୧୦ ଟଙ୍କାରେ ବିକ୍ରି କରାଯାଏ। କଦଳୀ, ମଞ୍ଜା ଓ ଭଣ୍ଡା ସ୍ଥାନୀୟ ‌‌‌‌‌‌‌‌ବଜାର ସହ ଜଳେଶ୍ୱର, ଭୋଗରାଇ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବଜାରକୁ ରତ୍ପାନୀ ହୁଏ। କେବଳ ସେତିକି ନୁହେଁ, କଦଳୀ ଗଛ ମୂଳରୁ ଆପଣାଛାଏଁ ବାହାରୁଥିବା ପ୍ରାୟ ୧୦ ହଜାର ଚାରା ପ୍ରତିବର୍ଷ ବିକ୍ରି ହୋଇଥାଏ।

ପ୍ରତି ଚାରାର ଦର ୧୫ରୁ ୨୦ ଟଙ୍କା ରହିଥାଏ। ଚଳିତବର୍ଷ ଉଦ୍ୟାନ ବିଭାଗ ୧୦ ହଜାର ଚାରା ନେବ ବୋଲି ସୁବ୍ରତଙ୍କ ସହ ଚୁକ୍ତି କରିଛି। ଯାହା ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଗର୍ଭବତୀ ମହିଳାମାନଙ୍କୁ ଯୋଗାଇ ଦିଆଯିବ। ସେହିପରି ପୋଟଳ ମଧ୍ୟ ବର୍ଷକୁ ୮ ମାସ ଉତ୍ପାଦନ ହୋଇଥାଏ। ଯାହା କିଲୋ ପିଛା ୨୦ ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ଯାଏ ଦରରେ ବିକ୍ରି କରାଯାଏ। ବିଶେଷ ସାର ଓ ଔଷଧ ବ୍ୟବହାର ହେଉ ନଥିବାରୁ ସୁବ୍ରତଙ୍କ ଜମିରୁ ଉତ୍ପାଦନ ହେଉଥିବା ପୋଟଳର ବେଶ୍‌ ଚାହିଦା ରହିଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ପଶ୍ଚିମବଙ୍ଗକୁ ଅଧିକ ପୋଟଳ ରତ୍ପାନୀ ହୋଇଥାଏ। ସୁବ୍ରତ ପୋଟଳରୁ ମଧ୍ୟ ବର୍ଷକୁ ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ ଟଙ୍କା ଲାଭ ପାଆନ୍ତି। ଏହା ବ୍ୟତୀତ ସୁବ୍ରତ ଛେଳି, କୁକୁଡ଼ା, ଗାଈ ଓ ଘୋଡ଼ା ପାଳନ ମଧ୍ୟ କରିଛନ୍ତି। ଘୋଡ଼ାରେ ସେ ଦୂର ସ୍ଥାନକୁ ଯାଆଆସ କରିଥା’ନ୍ତି। ଚାଷ କରି ନିଜେ ଲାଭବାନ ହେବା ସହ ୧୫ ଜଣ ଲୋକଙ୍କୁ ନିଜ ଜମିରେ କାମ ଦେଇଛନ୍ତି। ଯେଉଁମାନଙ୍କ ଦରମା ମାସକୁ ୫ ହଜାରରୁ ଆରମ୍ଭ କରି ୧୦ ହଜାର ଟଙ୍କା ଯାଏ ରହିଛି।

ଯୁବବର୍ଗ ଚାକିରି ଲୋଭରେ ଚାଷରୁ ମୁହଁ ଫେରାଇ ନେଉଥିବା ବେଳେ ସୁବ୍ରତ ସେମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ବାବଲମ୍ବୀ ହେବା ପାଇଁ ଦିଗ୍‌ଦର୍ଶନ ଦେଉଛନ୍ତି। ତାଙ୍କର ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର