ଓଡ଼ିଶାରେ ଦୁଇଟି ଜାତୀୟସ୍ତରୀୟ କର୍କଟ ରୋଗ ପ୍ରତିଷ୍ଠାନ ପାଇଁ ସୁବ୍ରତ ଓ ସୁସ୍ମିତା ବାଗ୍‌ଚୀ ଦେବେ ୩୪୦ କୋଟିର ସହାୟତା

ଭୁବନେଶ୍ବର : କରୋନା ଲକ୍‌ଡାଉନ୍‌ ସମୟର ବହୁଚର୍ଚ୍ଚିତ ଚେହେରା ତଥା ‘ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ’ର ଅଧ୍ୟକ୍ଷ ଓ ‘ମାଇଣ୍ଡ୍‌ ଟ୍ରି’ କମ୍ପାନିର ସହପ୍ରତିଷ୍ଠାତା ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ତଥା ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁଲେଖିକା ସୁସ୍ମିତା ବାଗ୍‌ଚୀ ଏବେ ପୁଣି ଚର୍ଚ୍ଚାରେ। ନିଜର ମହାନ ବଦାନ୍ୟତା ଯୋଗୁଁ ତଥା ଓଡ଼ିଶାରେ ଦୁଇଟି ଜାତୀୟସ୍ତରୀୟ କର୍କଟ ରୋଗ ପ୍ରତିଷ୍ଠାନ ପାଇଁ ୩୪୦ କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରି ଏବେ ଏହି ବାଗ୍‌ଚୀ ଦମ୍ପତି ଚାରିଆଡ଼ୁ ପ୍ରଶଂସା ସାଉଁଟୁଛନ୍ତି।

ଓଡ଼ିଶାରେ ପ୍ରତିବର୍ଷ ୫୫ ହଜାରୁ ୬୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଓଡ଼ିଶାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୮୪ ଜଣ ‌ଲୋକ ହେଉଛନ୍ତି କର୍କଟ ଆକ୍ରାନ୍ତ। ରାଜ୍ୟରେ କର୍କଟ ଏହି ଭଳି ଉଦ୍‌ବେଗଜନକ ସ୍ଥିତି‌ରେ ରହିଥିବା ‌ବେଳେ ଉପଯୁକ୍ତ ଚିକିତ୍ସା ଓ ‌ସଚେତନତାର ଅଭାବରୁ ଅନେକ ପ୍ରାଣ ହରାଉଛନ୍ତି।

ଏଥିପାଇଁ ବାଗ୍‌ଚୀ-ଦମ୍ପତି, କର୍କଟ ରୋଗୀଙ୍କ ଚିକିତ୍ସା ଓ କର୍କଟକୁ ନେଇ ଗବେଷଣା ପାଇଁ ପ୍ରତିଷ୍ଠା ହେବାକୁ ଯାଉଥିବା ‘ବାଗ୍‌ଚୀ- ଶ୍ରୀ ଶଙ୍କର କ୍ୟାନ୍‌ସର୍‌ ସେଣ୍ଟର ଆଣ୍ଡ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ ପାଇଁ ୨୧୦ କୋଟି ପ୍ରଦାନ କରିଛନ୍ତି। ସେହିଭଳି କର୍କଟ ରୋଗୀଙ୍କ ଯତ୍ନ ଓ ସେବା ସୁଶ୍ରୁଷ‌ା ପାଇଁ ସ୍ଥାପିତ ହେବାକୁ ଯାଉଥିବା ‘ବାଗ୍‌ଚୀ- କରୁଣାଶ୍ରୟ ପାଲିଏଟିଭ୍‌ କେୟାର ସେଣ୍ଟର’ ପାଇଁ ୧୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ତେବେ ଏଭଳି ବଦାନ୍ୟତା ‌ଦେଖାଇଥିବା ଏହି ଦମ୍ପତିଙ୍କ ବିଷୟରେ ଆସନ୍ତୁ କିଛି ଜାଣିବା।

ସୁସ୍ମିତା ବାଗ୍‌ଚୀ
ସୁସ୍ମିତା ବାଗ୍‌ଚୀ ‌ଜଣେ ପ୍ରତିଷ୍ଠିତ ଓ ଜଣାଶୁଣା ଓଡ଼ିଆ ସାହିତ୍ୟିକା। ଉତ୍କଳ ବିଶ୍ୱବିଦ୍ୟାଳୟ ଓ ପରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସାହିତ୍ୟ ଜଗତରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିମଜ୍ଜିତ କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ସୁସ୍ମିତା ନଅଟି ଉପନ୍ୟାସ, ଆଠଟି କ୍ଷୁଦ୍ରଗଳ୍ପ ଓ ଗୋଟିଏ ଭ୍ରମଣ କାହାଣୀ ସମେତ ୧୮ଟି ପୁସ୍ତକ ରଚନା କରି ସାରିଛନ୍ତି। ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କର ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ସହିତ ଅନ୍ୟାନ୍ୟ ବହୁ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ତାଙ୍କର ପୁସ୍ତକମାନ ଇଂରାଜୀ, ହିନ୍ଦୀ, ତାମିଲ୍, ତେଲୁଗୁ, କନ୍ନଡ଼, ମାଲାୟଲମ୍ ଓ ମରାଠୀ ଭାଷା‌ରେ ଅନୁବାଦିତ ହୋଇ ପାଠକୀୟ ପ୍ରଶଂସା ଲାଭ କରିଛି। ଶ୍ରୀମତୀ ବାଗ୍‌ଚୀ ଇଂରାଜୀରେ ମଧ୍ୟ ଗୋଟିଏ ଉପନ୍ୟାସ ରଚନା କରିଛନ୍ତି। କାଳ୍ପନିକ କାହାଣୀ ପଦ୍ଧତ୍ତିରେ ଲେଖିଲେ ମଧ୍ୟ ତାଙ୍କର ଅଧିକାଂଶ ରଚନା ବିଭିନ୍ନ ସାମାଜିକ ‌ଓ ମାନବ ଜାତିର ସମସ୍ୟା ଭଳି ଗମ୍ଭୀର ବିଷୟବସ୍ତୁ ଉପରେ ପର୍ଯ୍ୟବେଷିତ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ୨୦୧୯ରେ ସୁସ୍ମିତା ବାଗ୍‌ଚୀ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ଭାବରେ ଦାୟିତ୍ୱ ନେଇଥିଲେ। ୫୦ ହଜାରରୁ ଊର୍ଧ୍ବ ସରକାରୀ ବିଦ୍ୟାଳୟର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବିଦ୍ୟାଳୟ ସହ ଯୋଡ଼ୁଥିବା ଏହି ଅଭିଯାନ ଆଜି ଏକ ସଫଳ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି। ଏହି ଅଭିଯାନରେ ୪.୫ ଲକ୍ଷରୁ ଊର୍ଧ୍ବ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୩୦ ହଜାରରୁ ଊର୍ଧ୍ବ ସରକାରୀ ବିଦ୍ୟାଳୟର ବିକାଶ ହୋଇପାରିଛି।

ସୁବ୍ରତ ବାଗ୍‌ଚୀ
ସୁବ୍ରତ ବାଗ୍‌ଚୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ବର୍ତ୍ତମାନ କାର୍ଯ୍ୟରତ। ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣରେ ଯୋଗ ଦେବା ପରେ ସୁବ୍ରତ ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗକୁ ନେବା ସହ ଶ୍ରୀ ବାଗ୍‌ଚୀ ଓଡ଼ିଶାରେ ଉଦ୍ୟୋଗ ଶିଳ୍ପର ବିକାଶ, ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ଶିଳ୍ପ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା, ସରକାରୀସ୍ତରରେ ନେତୃତ୍ବ ବିକାଶ ଓ ବିଭିନ୍ନ କ୍ଷେତ୍ରରେ ଅଭିନବ କାର୍ଯ୍ୟ ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ନିଜର ସମୟ ଓ ସମ୍ବଳ ଉଭୟ ଦେଇଛନ୍ତି। ୨୦୧୯ ମାର୍ଚ୍ଚରେ କରୋନା ମହାମାରୀ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଲଢେଇରେ ଶ୍ରୀ ବାଗ୍‌ଚୀ ମୁଖ୍ୟ ମୁଖପାତ୍ର ଭାବେ ଦାୟିତ୍ବ ତୁଲାଇଥିଲେ।

ଓଡ଼ିଶା ସରକାରଙ୍କ ସହ କାମ କରିବା ପୂର୍ବରୁ ଶ୍ରୀ ବାଗ୍‌ଚୀ ଦୀର୍ଘ ୪ ଦଶନ୍ଧି ଧରି ଭାରତର ଆଇଟି ଶିଳ୍ପ ସହ ଜଡ଼ିତ ଥିଲେ। ଆଇଟି କମ୍ପାନି ‘ମାଇଣ୍ଡ୍‌ ଟ୍ରି’ର ସହ ପ୍ରତିଷ୍ଠାତା ଭାବେ ସୁପରିଚିତ ଶ୍ରୀ ବାଗ୍‌ଚି ମାଇଣ୍ଡ୍‌ ଟ୍ରି’କୁ ଦେଶର ପ୍ରମୁଖ ସଫ୍ଟଓୟାର କମ୍ପାନିରେ ପରିଣତ କରିଛନ୍ତି। ଆଇଆଇଏମ୍ ବେଙ୍ଗାଲୁରୁ, ଇଣ୍ଡିଆନ୍ ଅଏଲ୍, ଆଇଆଇଟି ଭୁବନେଶ୍ବର ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ପୂର୍ବତନ ବୋର୍ଡ ସଦସ୍ୟ ବାଗ୍‌ଚୀ ଏବେ ସଫ୍ଟଓୟାର ଟେକ୍‌ନୋଲୋଜି ପାର୍କସ୍‌ ଅଫ୍ ଇଣ୍ଡିଆ(ଏସ୍ଟିପିଆଇ)ର ବୋର୍ଡ ଅଫ୍ ଗଭନର୍ସରେ ଅଛନ୍ତି।

କେବଳ ଆଇଟି କ୍ଷେତ୍ରରେ ନୁହେଁ, ଜଣେ ଜଣାଶୁଣା ଲେଖକ ଭାବେ ମଧ୍ୟ ତାଙ୍କର ବି‌ଶେଷ ଖ୍ୟାତି ରହିଛି। ତାଙ୍କର ଲେଖା ବହୁ ଜାତୀୟସ୍ତରୀୟ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କର ପୁସ୍ତକମାନ ପ୍ରମୁଖ ଭାରତୀୟ ଭାଷା ସହିତ ଚାଇନିଜ୍ ଓ କୋରିଆନ୍ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି। ସୁସ୍ମିତା ଓ ସୁବ୍ରତ ବାଗ୍‌ଚୀ ଦୃଷ୍ଟିହୀନତାର ପ୍ରତିରୋଧ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର