‘ସନ୍ତର୍ପଣରୁ ବିସ୍ଫୋରଣ’… ହେଉଛି କରୋନାର କାହାଣୀ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ସର୍ବ ଭାରତୀୟ ସ୍ତରରେ ଅଧିକ ରହିଛି। ସେହିପରି ରାଜ୍ୟରେ ଗ୍ରୀନ ଜୋନ ସଂଖ୍ୟା ଅଧିକ ରହିଛି । ଯଦି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ୨୮ ଦିନ ପର୍ଯ୍ୟନ୍ତ କୌଣସି ସଂକ୍ରମିତ ବ୍ୟକ୍ତି ଚିହ୍ନଟ ନ ହୁଅନ୍ତୁ ତାକୁ ଗ୍ରୀନ ଜୋନ ଭାବେ ଧରାଯିବ । ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ଏହ କହିଛନ୍ତି । ସେ କହିଛନ୍ତି, ଯଦି ୧୪ ଦିନ ଯାଏଁ କୌଣସି ଅଞ୍ଚଳରେ ସଂକ୍ରମିତ ଦେଖା ନଯିବେ ସେହି ଅଞ୍ଚଳକୁ ଅରେଞ୍ଜ ଜୋନ କୁହାଯିବ । ସେହିପରି ଯଦି ୧୪ ଦିନରୁ କମ୍‌ ସମୟ ମଧ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥାନ୍ତି, ତେବେ ତାକୁ ରେଡ୍‌ ଜୋନ୍ କୁହାଯିବ।‌

ଶ୍ରୀ ବାଗଚୀ କହିଛନ୍ତି, ରାଜ୍ୟରେ ବିଦେଶ ଫେରନ୍ତାଙ୍କ ପାଇଁ ୫ ପ୍ରତିଶତ କରୋନା ପଜିଟିଭ ସଂକ୍ରମଣ ହୋଇଛି । ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ପାଇଁ ୪୫ ପ୍ରତିଶତ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିଭଳି ରାଜ୍ୟର ୫୦ ପ୍ରତିଶତ କରୋନା ରୋଗୀ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି କରୋନା ଭାଇରସର ସମ୍ମୁଖୀନ ହୋଇଛନ୍ତି ।

ରାଜ୍ୟ କୋଭିଡ ମୁଖ୍ୟ କହିଛନ୍ତି,  ମଧ୍ୟପ୍ରଦେଶରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବାର ମାତ୍ର ୯ ଦିନରେ ୧୦୦ ଜଣ କରୋନା ଭାଇରସ ରୋଗୀ ଚିହ୍ନଟ ହୋଇଥିଲେ । ତା’ ପରବର୍ତ୍ତୀ ୫ ଦିନରେ ୨୦୦ ଜଣ ଓ ମାତ୍ର ୪ ଦିନରେ ୧୦୦୦ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ । କିନ୍ତୁ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବାର ୪୧ ଦିନ ପରେ ୧୦୦ ତମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେରଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ୫୪ ଦିନ ପରେ ୧୦୦ ତମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଏହି ରାଜ୍ୟରେ ପରବର୍ତ୍ତୀ ୫ ଦିନରେ ୨୦୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଥିଲା ।

ଶ୍ରୀ ବାଗଚୀ କହିଛନ୍ତି, ସମଗ୍ର ବିଶ୍ବରେ କୋଭିଡ-୧୯ ସଂକ୍ରମଣ ବ୍ୟାପକ ରୂପ ନେଉଛି । ଆମେରିକାରେ ଖରାପ ସ୍ଥିତି ବିସ୍ଫୋରକ ରହିଛି । ଭାରତରେ ସ୍ଥିତି ନିୟନ୍ତ୍ରଣରେ ଅଛି। କିନ୍ତୁ, ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ ଯେ ‘ସନ୍ତର୍ପଣରୁ ବିସ୍ଫୋରଣ’ କାହାଣୀର ନାମ ହେଉଛି କରୋନା।  କରୋନା ଆମ ରାଜ୍ୟକୁ ସନ୍ତର୍ପଣରେ ଆସି ତା’ ଉପସ୍ଥିତି ଜାହିର କରିସାରିଛି। ଏହି ସତ୍ୟକୁ ଉପଲବ୍ଧି କରି ଏହା ଯେପରି ଆମ ପାଇଁ ବିସ୍ଫୋରଣର କାରଣ ନହେବ ସେଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ । ସେ କହିଛନ୍ତି, କଥାରେ ଅଛି ‘ବା ନିରବୀଲେ ବତାସ ଆସେ’ । ଆମକୁ ଏଥି ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । କୋଭିଡ-୧୯ ଏକ ନୂଆ ପ୍ରକାରର ଭୂତାଣୁ । ଏହା ଏକ ଜୈବିକ ଭୂତାଣୁ ହୋଇଥିବାରୁ ଏହା ଭିନ୍ନ ରୂପରେ ଉଭାହୋଇଛି ।

ସମ୍ବନ୍ଧିତ ଖବର