ଆପଣଙ୍କ ମୋବାଇଲ୍ ହୋଇପାରେ ଭୂତାଣୁ ବାହକ ! ବ୍ୟବହାର ବେଳେ ଏହି ସବୁ ସତର୍କତା ଅବଲମ୍ବନ କରନ୍ତୁ

ଭୁବନେଶ୍ୱର: କରୋନାଭାଇରସ ଏବେ ବିଶ୍ୱର ୧୬୨ଟି  ଦେଶକୁ ବ୍ୟାପି ଯାଇଥିବା ବେଳେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି  ରାଜ୍ୟବାସୀଙ୍କୁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସେ ହାତଧୂଆ ଓ ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ମୋବାଇଲ୍ ଫୋନର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି। ମୋବାଇଲ୍ ଫୋନ୍ କରୋନା ବାହାକ ପାଲଟିବାର ଆଶଙ୍କା ରହିଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ  ବାଗଚୀ କରୋନାଭାଇରସ୍‌ ସଂକ୍ରମଣ ନେଇ କିଭଳି ଭାବେ ସଚେତନତା ଅବଲମ୍ବନ କରିବାକୁ ହେବ ସେ ବିଷୟରେ ଆଲୋଚନା କରିଥିଲେ। ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ସହିତ ଲୋକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅଣଦଖା କରି ଦେଉଛନ୍ତି ବୋଲି କହିଥିଲେ। ଯେଉଁଥିରୁ ଜୀବାଣୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହୁଛି। ତାହା ହେଉଛି ଆମେ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌ ।

devicemax.com

କରୋନା ମୁକାବିଲା ପାଇଁ ମୋବାଇଲ ଫୋନ୍‌ ସଫା ସୁତୁରା ଉପରେ ବି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଜଣେ ବ୍ୟକ୍ତି୨୪ଘଣ୍ଟା ମଧ୍ୟରେ ୨୬୦୦ଥର ଫୋନକୁ ଛୁଇଁ ଥାଏ। ଏଥିସହିତ ଗୋଟିଏ ଦିନରେ ହାରାହାରି ୭୬ଥର ଫୋନ୍‌କୁ କଲ ଆସିଥାଏ। ଆମେ ଘରେ ଥିବ‌ା ବେଳେ ହେଉ ଅଥବା ବାହାରେ ମ‌ୋବାଇଲକୁ ଏଣେତେଣେ ରଖିଥାଉ। ଏତଦ ଦ୍ୱାରା ଜୀବାଣୁ ସଂକ୍ରମଣ ହେବାର ଅନେକ ସମ୍ଭାବନା ରହିଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଦିନକୁ ୪-୫ଥର ଫୋନ୍‌କୁ ସାବୁନ୍‌ ଓ ସାନିଟାଇଜରରେ ପରିସ୍କାର କରନ୍ତୁ।

ଏଣେତେଣେ ଫୋନ୍‌କୁ ରଖନ୍ତୁ ନାହିଁ। ଉଦାହରଣ ସ୍ୱରୂପ, କୌଣସି ବନ୍ଧୁଙ୍କ ଘରକୁ ଗଲେ ହେଉ କିମ୍ବା ବ୍ୟାଙ୍କ, କାର୍ଯ୍ୟାଳୟ, ସରାକାରୀ ଅଫିିସ ଓ ଦୋକାନ ଇତ୍ୟାଦି ସ୍ଥାନକୁ ଗଲେ ଆମେ ଫୋନ୍‌କୁ ଟେବୁଲ/ କାଉଣ୍ଟର ଉପରେ ରଖି ଦେଇ ଥାଉ। ଆଉ ପୁଣି ସେହି ଟେବୁଲ ଉପରରୁ ଫୋନ୍‌କୁ ଉଠାଇ ସିଧାସଳଖ ହାତରେ ଧରି କାନରେ ଦେଇ କଥା ହୋଇଥାଉ। ଯାହାଦ୍ୱାରା ଜୀବାଣୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହୁଛି। ତେବେ ଏପରି କ୍ଷେତ୍ରରେ ମୋବାଇଲକୁ ଖୋଳ ଓ ବ୍ୟାଗ୍‌ରେ ରଖିବାର ଅଭ୍ୟାସ କରନ୍ତୁ।

ସୁରକ୍ଷା ଅବଲମ୍ବନ କଲେ ହିଁ ସଂକ୍ରମଣକୁ ରୋକା ଯାଇ ପାରିବ। ସୁରକ୍ଷା ଅବଲମ୍ବନ ନକଲେ ସ୍ୱାସ୍ଥ୍ୟ ବ୍ୟବସ୍ଥା କୌଣସି ପ୍ରକାର କାମ କରିବ ନାହିଁ, ତାହା ଭାଙ୍ଗିଯିବ। ଏଥିସହିତ ବାହାରୁ ଆସୁଥିଲେ ନିଜ ବିଷୟରେ ତଥ୍ୟ ଦିଅନ୍ତୁ। କାମ ନ ଥିଲେ ଅଯଥାରେ ବାହରେ ଭ୍ରମଣ କରନ୍ତୁ ନାହିଁ ବୋଲି ଓଡ଼ିଶା ରାଜ୍ୟ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

ସମ୍ବନ୍ଧିତ ଖବର