କୃଷି ଉପକରଣ କିଣା ନାଁରେ ୩.୪୯ କୋଟିର ସବ୍‌ସିଡି ହଡ଼ପ, ବରଗଡ଼ରୁ ଧୂର୍ତ୍ତ ବ୍ୟବସାୟୀ ଗିରଫ

କାଗଜପତ୍ରରେ ହୋଇଛି ମେସିନ କିଣାବିକା

ଭୁବନେଶ୍ବର/ ବରଗଡ଼ : ଚାଷୀଙ୍କ କାଗଜପତ୍ର ଜମା କରି ମେସିନ୍‌ କିଣାହେଲା। ଚାଷୀମାନଙ୍କୁ ମେସିନ୍‌ ଯୋଗାଇ ଦିଆଗଲା ବୋଲି କାଗଜପତ୍ର ପ୍ରସ୍ତୁତ ହେଲା। ନା ମେସିନ କିଣା ହେଲା, ନା ଚାଷୀଙ୍କୁ ଦିଆଗଲା। କିନ୍ତୁ ଏମିତି କାଗଜପତ୍ରରେ କିଣାବିକା କରି ସବ୍‌ସିଡି ବାବଦକୁ ୩କୋଟି ୪୯ ଲକ୍ଷ ହଡ଼ପ କରିନେଲେ। ଏଭଳି କାରବାରରେ ଲିପ୍ତ ବରଗଡ଼ର ଜଣେ ଧୂର୍ତ୍ତ ବ୍ୟବସାୟୀ କମଲଜିତ ସିଂହଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା)। ଗତକାଲି ତାଙ୍କୁ ବରଗଡ଼ ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯିବା ପ‌ରେ ଅଧିକ ପଚରାଉଚରା କରିବା ପାଇଁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଛି।

ଚାଷୀଙ୍କୁ ଚାଷ ପାଇଁ ପ୍ରୋତ୍ସାହିତ କରିବା‌ ଉଦ୍ଦେଶ୍ୟରେ ସରକାର ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ରିହାତି ପ୍ରଦାନ କରୁଛନ୍ତି। ଏହି ରିହାତିକୁ ଚଳୁ କରିବା ପାଇଁ କମଳଜିତ ସିଂହ ଓ ତାଙ୍କ ଭାଇ ହରପାଲ ସିଂହ ଯୋଜନା କରିଥିଲେ। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ପ୍ରଭୃତି ଅଞ୍ଚଳର ୨୭୮ ଚାଷୀଙ୍କୁ ୨୮୧ ଧାନ ରୁଆ ମେସିନ୍‌ ଯୋଗାଇ ଦେବା ପାଇଁ ଚାଷୀଙ୍କ ସହ କଥା ହୋଇଥିଲେ। ଏଥିପାଇଁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରିବା ପରେ ଚାଷୀଙ୍କୁ ମେସିନ୍‌ ଯୋଗାଇବା ପାଇଁ କେରଳର ସରକାରୀ ପଞ୍ଜୀକୃତ ସଂସ୍ଥା ରେଡ୍‌ଲ୍ୟାଣ୍ଡସ୍‌ ଆସ୍‌ଲିନ୍‌ ମୋଟର୍ସ ପ୍ରାଃ ଲିଃ ନାମରେ ଏକ ଜାଲ୍ ସଂସ୍ଥା ତିଆରି କରିଥିଲେ। ଏହି ସଂସ୍ଥା ଜରିଆରେ ସେ ନକଲି ଇଞ୍ଜିନ ନମ୍ବର ଥିବା ୨୮୧ଟି ଚାରା ବୁଣା ମେସିନ୍‌କୁ ସମ୍ବଲପୁର, ବରଗଡ଼ ଏବଂ ସୋନପୁର ଜିଲ୍ଲାର ୨୭୮ ଚା‌ଷୀଙ୍କୁ ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାରଙ୍କ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ପୋର୍ଟାଲରେ ଚାଷୀଙ୍କ ତଥ୍ୟ ଅପ୍‌ଲୋଡ୍‌ କରିଥିଲେ।

କାଗଜପତ୍ରରେ ମେସିନ୍‌ କିଣାଯାଇ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ପ୍ରମାଣ ହୋଇଯିବା ପରେ ଚାଷୀଙ୍କ ଆକାଉଣ୍ଟକୁ ସବ୍‌ସିଡି ଆସିଥିଲା। ତେବେ ୨୭୮ ଚାଷୀଙ୍କ ଆକାଉଣ୍ଟକୁ ୩ କୋଟି ୪୯ ଲକ୍ଷ ଟଙ୍କାର ଏହି ସବ୍‌ସିଡି ଆସିବା ପରେ ଚାଷୀମାନଙ୍କୁ କହି ସମସ୍ତ ଟଙ୍କା ଦୁଇ ଭାଇ ଉଠାଇ ଆଣିଥିଲେ। ଚାଷୀମାନଙ୍କ ମୁହଁ ବନ୍ଦ ରଖିବା ପାଇଁ ଜଣକା ୩ ହଜାରରୁ ୫ ହଜାର ଟଙ୍କା ଦେଇଥିଲେ। ଏ ନେଇ କେରଳର ସମ୍ପୃକ୍ତ ସଂସ୍ଥା ଖବର ପାଇବା ପରେ ଗତ ଏପ୍ରିଲ ମାସରେ କ୍ରାଇମ୍‌ବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲା। ମାମଲାର ତଦନ୍ତ କରି ଇଓଡବ୍ଲୁ କମଲଜିତକୁ ଗିରଫ କରିବା ସହିତ କୋଟିଏ ୭୧ ଲକ୍ଷ ଟଙ୍କାର ଦୁଇଟି ଆକାଉଣ୍ଟକୁ ଅଚଳ ମଧ୍ୟ କରିଛି।

ପୂର୍ବରୁ ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ଅଭିଯୁକ୍ତ କମଲଜିତ ନିଜ ଭାଇ ହରପାଲ ସିଂ ସହ ମିଶି ଏହି କାରନାମା ଚଳାଇଥିବାରୁ ହରପାଲଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଏଥିରେ ବଲାଂଗୀର, ସମ୍ବଲପୁର, ବରଗଡ଼ ଏବଂ ସୋନପୁର ଜିଲ୍ଲାର ୨୭୮ଜଣ ଚା‌ଷୀଙ୍କୁ ମେସିନ୍‌ ଦେଇଥିବା ପୋର୍ଟାଲରେ ଦର୍ଶାଇଥିଲେ। ଏଥିରେ ନକଲି ହିତାଧିକାରୀଙ୍କ ଫଟୋ ବି ସାମିଲ ଥିଲା। ଏହି ଆଧାରରେ ସେମାନେ ହିତାଧିକାରୀଙ୍କୁ ଦେଇଥିବା ମେସିନ୍‌ ବାବଦକୁ ସରକାରଙ୍କ ଠାରୁ ପାଖାପାଖି ୪କୋଟି ଟଙ୍କା ପାଇଥିଲେ। ମାମଲାର ଖୋଳତାଡ଼ ଜାରି ରହିଲେ, ଏହି ରାକେଟ୍‌ର ପର୍ଦ୍ଦାଫାସ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର