ରାଉରକେଲା: ଖତ ଖାଉଛି ୮ କୋଟିର କଳିଙ୍ଗ ବିହାର (୩୩/୧୧ କେଭି)ର ବିଦ୍ୟୁତ୍ ସବ୍ଷ୍ଟେସନ। ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ବର୍ଷେ କି ଦୁଇ ବର୍ଷ ନୁହେଁ ୪ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରୁନି। ପଚାରିଲେ ବିଭାଗୀୟ ଅଧିକାରୀ ମାସେ ଦୁଇ ମାସ ମଧ୍ୟରେ ଚାଲୁ ହୋଇଯିବ ବୋଲି ସଫେଇ ଦେଉଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ସ୍ମାର୍ଟସିଟିର ଏହି ବିଦ୍ୟୁତ୍ ସବ୍ ଷ୍ଟେସନ କେବେ କାର୍ଯ୍ୟକ୍ଷମ ହେବ କାହାରି ପାଖରେ ସଠିକ୍ ଉତ୍ତର ନାହିଁ। ସବ୍ଷ୍ଟେସନ ସ୍ଥାପନ କାମ ନେଇଥିବା ବାହାର ରାଜ୍ୟର ଠିକା ସଂସ୍ଥା ଯେନତେନ ପ୍ରକାରେ କାମ ସାରି ଚାଲିଯାଇଛି। ଉଭୟ ଠିକା ସଂସ୍ଥା ଓ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଭିତିରି ସଲାସୁତୁରାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି।
ଯେଉଁ ସ୍ଥାନରେ ବିଦ୍ୟୁତ୍ ସବ୍ଷ୍ଟେସନ ସ୍ଥାପନ ହୋଇଛି, ତା’ ଏକ ଖାଲୁଆ ସ୍ଥାନ। ଅସରାଏ ବର୍ଷା ହେଲେ ସବ୍ଷ୍ଟେସନ ଭିତରେ ପାଣି ଜମୁଛି। ପ୍ୟାନେଲ୍ ବୋର୍ଡରୁ ଟ୍ରାନ୍ସଫର୍ମର ପର୍ଯ୍ୟନ୍ତ ଖୋଳାଯାଇଥିବା କେବୁଲ ଲାଇନ୍ରେ ପାଣି ପଶୁଥିବାରୁ ବିଜୁଳି ସରବରାହ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଥିସହ ସବ୍ଷ୍ଟେସନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। କାମ କରୁଥିବା ଠିକା ସଂସ୍ଥା ଏଥିପ୍ରତି ଆଦୌ ଧ୍ୟାନ ଦେଇ ନଥିଲେ। ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀ ଠିକାସଂସ୍ଥାକୁ ସେତେବେଳେ ତାଗିଦ ନ କରି କାହିଁକି ଚୁପ୍ ରହିଥିଲେ, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ସବୁଠୁ ଆଶ୍ଚର୍ଯ୍ୟ କଥା, ନିମ୍ନମାନର କାମ କରି ଚାଲିଯାଇଥିବା ଠିକା ସଂସ୍ଥା ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ। ଠିକା ସଂସ୍ଥା ଓ ବିଦ୍ୟୁତ୍ ବିଭାଗର ଖାମଖିଆଲି ନୀତି ଯୋଗୁ ଛେଣ୍ଡ କଲୋନି ତୃତୀୟ ଫେଜ୍ (କଳିଙ୍ଗ ବିହାର, ବିର୍ସା ମୁଣ୍ଡା ହାଉସିଂ କଲୋନି, ଆର୍ଡିଏ କଲୋନି, କୋ ଅପରେଟିଭ କଲୋନି) ସହ ଛେଣ୍ଡ କଲୋନିର ପାଖାପାଖି ୧୦ ହଜାରରୁ ଅଧିକ ବିଜୁଳି ଉପଭୋକ୍ତା ଅନେକ ସମୟରେ ଲୋ-ଭୋଲ୍ଟେଜ୍ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଖରାଦିନେ ଏହି ସମସ୍ୟା ଢ଼େର ଅଧିକ। କେବଳ ଲୋ-ଭୋଲ୍ଟେଜ ନୁହେଁ, ବିଜୁଳି କାଟ୍ ସମସ୍ୟା ରହୁଛି।
ବିଦ୍ୟୁତ୍ ସବ୍ଷ୍ଟେସନ କାର୍ଯ୍ୟକ୍ଷମ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଅଳ୍ପ କିଛି କାମ ବାକି ରହିଛି। ମାସେ ଦୁଇ ମାସ ଭିତରେ କାମ ସରିବା ପରେ ସବ୍ଷ୍ଟେସନକୁ ଚାଲୁ କରି ଦିଆଯିବ। ଉଲ୍ଲେଖଯୋଗ୍ୟ, ଛେଣ୍ଡ କଲୋନି ସମେତ କଳିଙ୍ଗ ବିହାର ପ୍ରାୟ ୧୦ ହଜାରରୁ ଅଧିକ ବିଜୁଳି ଉପଭୋକ୍ତାଙ୍କ ପାଇଁ ଛେଣ୍ଡ କଲୋନି ଚିନ୍ମୟ ବିଦ୍ୟାଳୟ ଛକରେ ୩୩/୧୧ କେଭି ବିଦ୍ୟୁତ୍ ସବ୍ଷ୍ଟେସନ ରହିଛି। ଯେଉଁଠୁ ଉଭୟ ଛେଣ୍ଡ ଓ କଳିଙ୍ଗ ବିହାରବାସିନ୍ଦାଙ୍କ ଘରକୁ ବିଜୁଳି ଯୋଗାଣ ହେଉଛି। ଏତେ ସଂଖ୍ୟକ ଉପଭୋକ୍ତାଙ୍କ ପାଇଁ ଛେଣ୍ଡ କଲୋନିସ୍ଥ ୩୩/୧୧ କେଭି ବିଜୁଳି ସବ୍ଷ୍ଟେସନ ଉପରେ ଅଧିକ ଲୋଡ୍ ପଡିବାରୁ ଦ୍ବିତୀୟ ସବ୍ଷ୍ଟେସନ କଳିଙ୍ଗ ବିହାର ସ୍ଥାପନ କରାଯାଇଛି। କାମ ନେଇଥିଲା ବାହାର ରାଜ୍ୟର ଠିକା ସଂସ୍ଥା। ବିଭାଗୀୟ ଅଧିକାରୀଙ୍କ ଦାଗିଦ୍କୁ ଖାତିର ନ କରି ଠିକା ସଂସ୍ଥା ମନଇଚ୍ଛା କାମ ସାରି ଦେଇ ଚାଲିଯାଇଛି। ଏଥିସହ ବିଦ୍ୟୁତ୍ ସବ୍ଷ୍ଟେସନରୁ ବିଦ୍ୟୁତ୍ ସରବରାହ ପାଇଁ ଖୁଣ୍ଟି ମଧ୍ୟ ପୋତା ସରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସେମିତି ବିଦ୍ୟୁତ୍ ଖୁଣ୍ଟି ଗୁଡ଼ିକ ଛିଡା ହୋଇଛି ବିଜୁଳି ସଂଯୋଗ ହୋଇ ନାହିଁ। ପୁରୁଷ ବିଶ୍ବ ହକି ପୂର୍ବରୁ ସ୍ମାର୍ଟସିଟିର ବିକାଶ ପାଇଁ ବିଭିନ୍ନ ବିଭାଗରୁ କୋଟି କୋଟି ଟଙ୍କା ପାଣି ବୋହିଲା ପରି ଖର୍ଚ୍ଚ ହେଉଛି। ହେଲେ ବନ୍ଦ ପଡିଥିବା ଏହି ୮ କୋଟିର ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।