ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସରକାରୀ ବାବୁମାନଙ୍କ ଦୁର୍ନୀତି ବଢ଼ିବାରେ ଲାଗିଛି। ଯାହାକି ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନରୁ ସ୍ପଷ୍ଟ । ପ୍ରତିବର୍ଷ ରାଜ୍ୟ ସାରା ପାଳନ ହୁଏ ଦୁର୍ନୀତି ନିବାରଣ ସପ୍ତାହ। କିଛି ବର୍ଷ ହେଲା ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ହେଉଛି। ହେଲେ ନା ଲୋକେ ସଚେତନ ହେଉଛନ୍ତି ନା ସରକାରୀ ବାବୁମାନେ ଦୁର୍ନୀତି କରିବାକୁ ପଛକୁ ହଟୁଛନ୍ତି।
ସୂଚନା ଅନୁଯାୟୀ, ୨୦୧୮ରେ ୧୦, ୨୦୧୯ରେ ୫, ୨୦୨୦ରେ ୪, ୨୦୨୧ରେ ୬, ୨୦୨୨ରେ ୯ ଓ ୨୦୨୩ରେ ଏପର୍ଯ୍ୟନ୍ତ ୭ ଜଣ; ଏହିପରି ଗତ ୫ ବର୍ଷରେ ମୋଟ ୪୧ ଜଣ ସରକାରୀ ବାବୁଙ୍କୁ ଦୁର୍ନୀତି ପାଇଁ ଭିଜିଲାନ୍ସ ବିଭାଗ ଧରିଛି। ଏଥିରେ ଲାଞ୍ଚ ନେଉଥିବା, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ସରକାରୀ ଅର୍ଥ ଆତ୍ମସାତ କରିଥିବା ସରକାରୀ ବାବୁମାନେ ରହିଛନ୍ତି। ଗତ କିଛି ବର୍ଷ ହେଲା ରାଜ୍ୟରେ ୫-ଟି କାର୍ଯ୍ୟକାରୀ ହୋଇଛି। ବିଭିନ୍ନ କାର୍ଯ୍ୟକ୍ରମରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏହା କାର୍ଯ୍ୟକାରୀ ହୋଇଛି। ତେବେ ଏହାର ସଫଳତା ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିନାହିଁ। ଯାହାକି ଗତ ୫ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ସରକାରୀ ବାବୁମାନଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି।
ଜିଲ୍ଲାରେ ପୂର୍ତ୍ତ ବିଭାଗ, ଆର୍ଡି ବିଭାଗ, ଜଳ ଓ ପରିମଳ ବିଭାଗ, ତେଲ ଜଳସେଚନ ଓ ବିଭିନ୍ନ ବ୍ଲକ୍ରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟରେ ପିସି କାରବାର ଅଧିକ ଚାଲିଥିବା ଅଭିଯୋଗ ହେଉଛି। ସରକାରୀ ବାବୁମାନେ ବିଭିନ୍ନ ଆଳରେ ଦୁର୍ନୀତିରେ ଲିପ୍ତ ରହୁଥିବାରୁ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟରେ ସଫଳତା ଯେତିକି ମିଳିବା କଥା ମିଳୁନାହିଁ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/vigilance.jpg)