ପରିଶ୍ରମ ଓ ଅଧ୍ୟବସାୟ ବଳରେ ସଫଳତା ମିଳିପାରିବ: ରାଜ୍ୟପାଳ

ଉପେନ୍ଦ୍ରନାଥ ସରକାରୀ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ସିମୁଳିଆ: ସିମୁଳିଆ ବ୍ଲକ ଅନ୍ତର୍ଗତ କ୍ଷୀରିକଣାସ୍ଥିତ  ଉପେନ୍ଦ୍ରନାଥ ସରକାରୀ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେବାକୁ ଆସି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସିମୁଳିଆ ଡାକବଙ୍ଗଳାରେ ଦିନ ୧୨ଟା ୪୦ ମିନିଟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ସିମୁଳିଆ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ। ସିମୁଳିଆ ବିଡିଓ, ତହସିଲଦାର, ବାଲେଶ୍ୱର ପିଡିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ପରେ ରାଜ୍ୟପାଳଙ୍କୁ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ବିଦ୍ୟାଳୟକୁ ପାଛୋଟି ନେଇଥିଲେ। ଜ୍ଞାନେନ୍ଦ୍ର ସାଗର ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିବା ପରେ ଜଗନ୍ନାଥଙ୍କ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ପରେ ପରେ ସୁବର୍ଣ୍ଣ ଜୟନ୍ତୀ ସ୍ମୃତି ଫଳକ ରାଜ୍ୟପାଳ ଉଦଘାଟନ କରିଥିଲେ। ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ସୁବର୍ଣ୍ଣଶ୍ରୀ ଉନ୍ମୋଚିତ ହୋଇଥିଲା।

ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ, ପରିଶ୍ରମ ଓ ଅଧ୍ୟବସାୟ ବଳରେ ସଫଳତା ମିଳିପାରିବ ବୋଲି ସେ କହିଥିଲେ। ବରେଣ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶିକ୍ଷାପ୍ରାପ୍ତି ଦ୍ଵାରା ଦେଶ ବିକଶିତ ହେବ ବୋଲି କହିଥିଲେ। ଏଥିରେ ସୁବର୍ଣ୍ଣ ଜୟନ୍ତୀ ସମାରୋହର ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ କାହ୍ନୁଚରଣ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ମାଝୀ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ। ଏ ଅବସରରେ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଆଙ୍କିଥିବା ରାଜ୍ୟପାଳଙ୍କ ପ୍ରତିଛବି ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ତରଫରୁ ରାଜ୍ୟପାଳଙ୍କୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉତ୍ତରୀୟ ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବହୁ ସଂଖ୍ୟାରେ ପୁରାତନ ଛାତ୍ର, ଛାତ୍ରୀ ଶିକ୍ଷକ, ଶିକ୍ଷୟିତ୍ରୀ, ବର୍ତ୍ତମାନର ଓ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ମହାମହିମ ରାଜ୍ୟପାଳ ମାର୍କୋଣା ଡାକ ବଙ୍ଗଳାରେ କିଛି ସମୟ ବିଶ୍ରାମ ନେବା ପରେ ଭୁବନେଶ୍ୱର ଅଭିମୁଖେ ବାହାରି ଯାଇଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ବିଷ୍ଣୁପୁର ସରକାରୀ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ବାହାନଗା: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବିଷ୍ଣୁପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ୟାର୍ଘ୍ୟ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ରାଜ୍ୟପାଳ। ଉଦଘାଟନୀ ସଭାରେ ସଭାପତିତ୍ୱ କରି ଥିଲେ ସୁବର୍ଣ୍ଣ ଜୟନ୍ତୀ ତଥା ପୁରାତନ ଛାତ୍ର ସଂସଦର ସଭାପତି ଭୂପାଳ ପଣ୍ଡା।

ମୁଖ୍ୟବକ୍ତା ଭାବେ କନ୍ଧମାଳ ସାଂସଦ ତଥା କିସ୍ ବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ସମ୍ମାନିତ ଅତିଥି ଭାବେ ବିଧାୟକ ପର୍ଶୁରାମ ଧଡ଼ା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ପରେ ମହାମହିମ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ପ୍ରଥମେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ପ୍ରଣିପାତ କରିବା ସହ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଥିଲୋ ପରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆକାଶରେ ଜହ୍ନ ଚାରିପଟେ ତାରା ଯେମିତି ଘେରି ରହିଲେ ସୁନ୍ଦର ଦେଖା ଯାଇଥାନ୍ତି। ସେହିରି ବିଦ୍ୟାଳୟ ଜହ୍ନ ସଦୃଶ ହେଲେ ଛାତ୍ରଛାତ୍ରୀ ତାରା ସଦୃଶ ବୋଲି କହିଥିଲେ।

ଛାତ୍ରଛାତ୍ରୀଙ୍କୁ ତାଙ୍କର ପରିଶ୍ରମ ଓ ତାଙ୍କର ପଢା ଅଧ୍ୟବ୍ୟବସାୟ ତାଙ୍କୁ ଶୀର୍ଷରେ ପହଞ୍ଚାଇ ପାରିବେ ବୋଲି କହିବା ସହ ପାଠ ପଢ଼ି ଦେଶ ମାତୃକାର ନାମକୁ ଶୀର୍ଷରେ ପହଞ୍ଚାଇବାକୁ ଉପଦେଶ ଦେଇଥିଲୋ ରାଜ୍ୟପାଳ ଅପରାହ୍ନ ୩ଟା ୧୫ ମିନିଟରେ ପହଞ୍ଚି ୪ଟା ୩୦ରେ ପ୍ରସ୍ଥାନ କରିଥିଲେ। ଏହି ଅବସରେ ଜିଲ୍ଲାର ବିଭିନ୍ନ ବିଭାଗରୁ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ବିଡିଓ ଗୌରାଙ୍ଗ ଚରଣ ଘୋଷ, ତହସିଲଦାର ରାଜେନ୍ଦ୍ର ନାରାୟଣ କର ଉପସ୍ଥିତ ଥିଲେ। ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ବର୍ତ୍ତମାନ ଓ ପ୍ରାକ୍ତନ ଛାତ୍ର, ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର