ରାୟଗଡା(ଗୁଣପୁର): ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଏକ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ୍ ଘଟଣାରେ  ଗୁଣପୁର ପୁଲିସକୁ  ସଫଳତା ମିଳିଛି । ଲୁଟ୍ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୁଣପୁର ପୁଲିସ । ଗିରଫ ଲୁଟେରା ଜଣକ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାକେଲା ପଲ୍ଲୀ ଗ୍ରାମର ଏ . ଅଜନା ରାଓ ବୋଲି ଜଣାପଡିଛି । ଗିରଫ ଲୁଟେରା  ଠାରୁ ପୁଲିସ ୨ ଲକ୍ଷ ଟଙ୍କା ସହ ଏକ ହୋଣ୍ଡା ମୋଟର ସାଇକେଲ ଜବତ କରିଛି ।

Advertisment

ମିଳିଥିବା ସୂଚନା ଅନୁଯାୟୀ , ଚଳିତ ମାସ ୯ ତାରିଖ ଦିନ ଗୁଣପୁର ପୌର ପରିଷଦ ଅନ୍ତର୍ଗତ ମୋତିଲାଲ ନଗର ଅଂଚଳର ରାମାକାନ୍ତ ମହାପାତ୍ର ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଗୁଣପୁର ଥାନାରେ ଅଭିଯୋଗ କରିଥିଲେ । କୌଣସି ଦୁର୍ବୃତ୍ତ ସ୍ଥାନୀୟ ବଡ଼ ବଜାର ନିକଟରେ ତାଙ୍କ ବାଇକର ଡିକି  ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟ୍ କରି ନେଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । 

ଅଭିଯୋଗକୁ ଭିତ୍ତି  କରି ଗୁଣପୁର ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା ।  ଗତ କାଲି ଗୁଣପୁର ପୁଲିସ ଆସିକା ପୁଲିସ ସହାୟତାରେ ଆସିକା ଥାନା  ପାକେଲା ପଲ୍ଲୀରୁ ଜଣେ ଲୁଟେରାକୁ ଗିରଫ କରିଥିଲା । ଗିରଫ  ଲୁଟେରାକୁ ଠାରୁ ପୁଲିସ ଲୁଟ୍‌ରେ ବ୍ୟବହୃତ ଏକ ମୋଟର ସାଇକେଲ ସହ ୨ ଲକ୍ଷ ଜବତ କରିଥିଲେ । 


ଗୁରୁବାର ଗୁଣପୁର ପୁଲିସ ଲୁଟେରାଙ୍କ ଠାରୁ ଜବତ ହୋଇଥିବା ୨ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରିଛି । ଲୁଟ୍ ହୋଇଥିବା ଟଙ୍କା ଫେରି ପାଇଥିବାରୁ ଅଭିଯୋଗକାରୀ ଜଣକ ଗୁଣପୁର ପୁଲିସକୁ ସାଧୁବାଦ ଜଣାଇଛନ୍ତି । ଅପରପକ୍ଷେ ଗୁଣପୁର ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଲୁଟ୍ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି ତାହାର ଖୋଳତାଡ଼ କରୁଛି ।

ଶିବପ୍ରସାଦ ଦୋରା