ଉପନ ସାହୁ
ବ୍ରଜରାଜନଗର: ଚାଷ ଜମିକୁ ଜଳଯୋଗାଣ ପାଇଁ ଦୀର୍ଘ ୬୫ ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ କଦମଡିହି ପଞ୍ଚାୟତ ଅନ୍ତର୍ଗତ ଡୁଡୁଗା ଗ୍ରାମବାସୀ ସଂଘର୍ଷ କରିଥିଲେ। ଜଙ୍ଗଲ ପାହାଡ଼ ଦେଇ ଚାଷଜମିକୁ ପାଣି ଆଣିବା ଲାଗି ଗାଁ ଲୋକେ ୧୯୬୦ ମସିହାରେ ପ୍ରୟାସ ଆରମ୍ଭ କରିଥିଲେ। ନିରନ୍ତର ପରିଶ୍ରମ କରି କୁଇଲେର ନାଳକୁ ବାନ୍ଧି ପାଣି ଗଚ୍ଛିତ ରଖିବା ସହ ସେଠାରୁ ଏକ ନାଳ ତିଆରି କରିଥିଲେ। ଏବେ ଗାଁର ଚାଷଜମିକୁ ପାଣି ପହଞ୍ଚିବା ସମ୍ଭବ ହୋଇଛି। ଏବେ ଉକ୍ତ ଅଞ୍ଚଳରେ ୫୦୦ ଏକର ଜମି ମରୁଡ଼ିମୁକ୍ତ ହେବା ସହ ଧାନଠୁ ଆରମ୍ଭ କରି ବାଇଗଣ, ଟମାଟୋ, ଲଙ୍କା, ପୋଟଳ ଭଳି ବିଭିନ୍ନ ପନିପରିବା ଚାଷ ହେଉଛି। ଦିନେ ମରୁଡ଼ିର ସମ୍ମୁଖୀନ ହେଉଥିବା ଡୁଡୁଗା ଗ୍ରାମ ଏବେ ଶସ୍ୟଶ୍ୟାମଳ ପାଲଟିଛି।
କୁଇଲେର ନାଳକୁ ବାନ୍ଧି ଚାଷଜମିକୁ ପହଞ୍ଚାଇଲେ ପାଣି
୫୦୦ ଏକର ଜମି ଏବେ ମରୁଡ଼ିମୁକ୍ତ, ଗାଁ ଶସ୍ୟଶ୍ୟାମଳ
ହୀରାକୁଦ ନଦୀବନ୍ଧ ଯୋଜନାରେ ବହୁ ଗାଁ ଜଳମଗ୍ନ ହେବା ପରେ ୧୯୫୭ ମସିହାରେ ସେଠାରୁ କିଛି ଲୋକ ଆସି ଡୁଡୁଗାରେ ବସତି ସ୍ଥାପନ କରିଥିଲେ। କୃଷି ପାଇଁ ଜମି ଥିଲା, ହେଲେ ପାଣି ଅଭାବ ଯୋଗୁଁ ଚାଷବାସ କରିବା କଷ୍ଟସାଧ୍ୟ ଥିଲା। ମରୁଡ଼ିରୁ ଫସଲକୁ ରକ୍ଷା କରିବା ସହ ଡୁଡୁଗା ଗାଁର ସମସ୍ତ ଚାଷଜମିକୁ ଜଳଯୋଗାଣ ପାଇଁ ୧୯୬୦ରେ ଗ୍ରାମବାସୀ ଆରମ୍ଭ କରିଥିଲେ ଝାଳବୁହା ପରିଶ୍ରମ। ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ ଦେଇ ସୁନ୍ଦରଗଡ଼ ଜିଲ୍ଲା କଟୁଯୋର ଗାଁରୁ ବହି ଆସିଥିବା କୁଇଲେର ନାଳ ଗାଁଠାରୁ ଥିଲା ୨ କିଲୋମିଟର ଦୂରରେ। ଏହି ନାଳରୁ ଗାଁ ପୋଖରୀକୁ ପାଣିନେଇ ସେଠାରୁ ଚାଷ ଜମିକୁ ଜଳସେଚନ କରିବା ଲାଗି ସ୍ୱପ୍ନ ଦେଖିଥିଲେ ଡୁଡୁଗା ଗ୍ରାମବାସୀ। ପ୍ରାକୃତିକ ଜଳ ଉତ୍ସ କୁଇଲେର ନାଳର ପାଣିକୁ ଖର୍ଲାଘାଟଠାରେ ଲୋକେ ମାଟି, ପଥର, ବାଲିବସ୍ତା ଆଦି ଦେଇ ଅଟକାଇଛନ୍ତି। ଏହାପରେ ଦୀର୍ଘ ୨ କିଲୋମିଟର ଘଞ୍ଚ ଜଙ୍ଗଲ ଓ ପାହାଡ଼ ମଧ୍ୟ ଦେଇ ନାଳ ତିଆରି କରି ଗାଁ ପୋଖରୀକୁ ପାଣି ଆଣିଛନ୍ତି। ପୋଖରୀରୁ ଗାଁର ସମସ୍ତ ଚାଷଜମିକୁ ଜଳସେଚନ ହେବା ସହ ଖର୍ଲାଘାଟଠାରେ ଅଟକ ରଖିଥିବା ପାଣି ଜଙ୍ଗଲୀ ଜୀବଜନ୍ତୁଙ୍କ ଶୋଷ ମଧ୍ୟ ମେଣ୍ଟାଉଛି। ଜଙ୍ଗଲ ପାହାଡ଼ ମଝିରେ କ୍ଷୁଦ୍ର ନାଳ ବା କେନାଲ୍ ତିଆରି କରିବା ଗ୍ରାମବାସୀଙ୍କ ପାଇଁ ବଡ଼ ଆହ୍ବାନ ଥିଲା। ୧୯୬୦ରେ ଛେଣି, ହାତୁଡ଼ି, ସାହାଯ୍ୟରେ ପାହାଡ଼ ଖୋଳିବା ଆରମ୍ଭ ହୋଇଥିଲା। ୨୦୨୨ରୁ ବନ ବିଭାଗ, ଗ୍ରାମ ବିକାଶ, ଜିଲ୍ଲା ପରିଷଦ ପାଣ୍ଠିରୁ ସହାୟତା ମିଳିବା ପରେ ଗାଁକୁ ପାଣି ପହଞ୍ଚିବା ସମ୍ଭବ ହୋଇଛି। ହେଲେ ଏଠାରେ ଏକ ଚେକ୍ଡ୍ୟାମ୍ ନିର୍ମାଣର ଆବଶ୍ୟକତା ଥିବା ସ୍ଥାନୀୟ ଲୋକେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/dadgadgazcv-2025-11-02-02-23-55.jpg)