ଭଦ୍ରକ : ଭୁବନେଶ୍ବରସ୍ଥିତ ସିଏସ୍‌ଆଇଆର୍-ଆଇଏମ୍‌ଏମ୍‌ଟି ପରିସରରେ ବୁଧବାର ରାଷ୍ଟ୍ରୀୟ ପ୍ରଯୁକ୍ତି ବିଦ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସିଏସ୍‌ଆଇଆର୍-ଆଇଏମ୍‌ଏମ୍‌ଟି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତି‌ଯୋଗିତାରେ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବିଦ୍ୟାର୍ଥୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ଭଦ୍ରକ ଜିଲ୍ଲା ଚାନ୍ଦିମାଳସ୍ଥିତ ଜବ‌ାହର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଶୁଭମ୍ ରାଉତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦେବୀ ପ୍ରସନ୍ନ ଶତପଥୀଙ୍କ ତତ୍ତ୍ବାବଧାନରେ ଅଂଶଗ୍ରହଣ କରି ବରିଷ୍ଠ ବର୍ଗରେ ନିଜର ପ୍ରକଳ୍ପ କ୍ଷୁଦ୍ରତମ ଭାକ୍ୟୁମ୍ କ୍ଲିନର୍ ପାଇଁ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ।

Advertisment

ଏହି କୃତି ପାଇଁ ସେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ‘ମାଇଣ୍ଡ ଟ୍ରି’ର ସହ ପ୍ରତିଷ୍ଠାତା ସୁବ୍ରତ ବାଗ୍‌ଚିଙ୍କଠାରୁ ପୁରସ୍କାର ବାବଦରେ ୪୫୦୦ ଟଙ୍କା ଓ ପ୍ରମାଣପତ୍ର ପାଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଶୁଭମ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।