ଏମ୍‌ସ ଅସ୍ଥିଶଲ୍ୟ ବିଭାଗର ସଫଳତା: ରାଜ୍ୟରେ ପ୍ରଥମ ଜଙ୍ଘହାଡ଼ ପ୍ରତିରୋପଣ ଅସ୍ତ୍ରୋପଚାର

ଭିନ୍ନକ୍ଷମ ହେବାରୁ ରକ୍ଷା ପାଇଲେ କର୍କଟ ରୋଗୀ

ଭୁବନେଶ୍ବର : ଏମ୍‌ସରେ ସଫଳତାର ସହିତ କର୍କଟ ରୋଗୀଙ୍କ ଜଙ୍ଘହାଡ଼ ପ୍ରତିରୋପଣ ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇଛି। ଅସ୍ଥିଶଲ୍ୟ ବିଭାଗର ଅତିରିକ୍ତ ପ୍ରଫେସର ସୁଜିତ ତ୍ରିପାଠୀଙ୍କ ନେତୃତ୍ବରେ ଗଠିତ ଟିମ ଏହି ଅସ୍ତ୍ରୋପଚାର କରିଛନ୍ତି। ନିଶ୍ଚେତକ ଡାକ୍ତର ମାଧୁରୀ ପଣ୍ଡାଙ୍କର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସୂଚନା ଅନୁଯାୟୀ, କର୍କଟ ରୋଗୀ(ପିନେଟ ଟ୍ୟୁମର ଆକ୍ରାନ୍ତ) ରଶ୍ମି ରଞ୍ଜନଙ୍କ ୨୦୧୬ ଏବଂ ୨୦୧୮ ମସିହାରେ ଦୁଇ ଅସ୍ତ୍ରୋପଚାର ହୋଇଥିଲା। ତାଙ୍କର କେମୋଥେରାପି ଚିକିତ୍ସା ଚାଲିଥିଲା ଏବଂ ଅବସ୍ଥା ସ୍ଥିର ଥିଲା। କୋଭିଡ୍‌ ପରେ ତାଙ୍କର ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥିଲା। ଏଥିଯୋଗୁଁ ଜଙ୍ଘହାଡ଼ ପ୍ରତିରୋପଣ ପାଇଁ କେମୋଥେରାପି ବିଶେଷଜ୍ଞ ପରାମର୍ଶ ଦେଇଥିଲେ।

ଏମ୍‌ସ ଅସ୍ଥିଶଲ୍ୟ ବିଭାଗକୁ ଆସିଥିବାବେଳେ ରଶ୍ମିରଞ୍ଜନଙ୍କ ଜଙ୍ଘରେ ଫୁଲା ଥିଲା। ହାଡ଼ ଭାଙ୍ଗି ଯାଇଥିଲା। ଏଥିପାଇଁ ମେଟାଲିକ ରଡ୍‌ ଲଗାଯାଇଥିଲା। ଭିନ୍ନକ୍ଷମ ହେବାରୁ ବଞ୍ଚାଇବା ପାଇଁ ଏହି ଅସ୍ତ୍ରୋପଚାର କରାଯାଇଥିଲା। ୪ ଘଣ୍ଟାର ଏହି ଅସ୍ତ୍ରୋପଚାର ବେଳେ ତାଙ୍କ ହିପ ଜଏଣ୍ଟରୁ ନି ଜଏଣ୍ଟ ପର୍ଯ୍ୟନ୍ତ ଜଙ୍ଘକୁ ସମ୍ପୂର୍ଣ୍ଣ କାଟି ଦିଆଯାଇ କୃତ୍ରିମ ଜଙ୍ଘ ହାଡ଼ ପ୍ରତିରୋପଣ କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ରଶ୍ମିରଞ୍ଜନଙ୍କ କେମୋଥେରାପି ଜାରି ରହିବ ବୋଲି ଡାକ୍ତର ସୁଜିତ କହିଛନ୍ତି। ଦେଶରେ ସୀମିତ ସ୍ଥାନରେ ଜଙ୍ଘହାଡ଼ ପ୍ରତିରୋପଣ ଭଳି ଜଟିଳ ଅସ୍ତ୍ରୋପଚାର ହୋଇଥାଏ। ଏଥିଯୋଗୁଁ ଓଡ଼ିଶାର ରୋଗୀମାନଙ୍କୁ ମାନସିକ ଏବଂ ଶାରୀରିକ ଭାବରେ କଷ୍ଟ ସହିବା ସହିତ ଖର୍ଚ୍ଚାନ୍ତ ହେବାକୁ ପଡ଼େ। ଏମ୍‌ସରେ ସ୍ବଳ୍ପ ଖର୍ଚରେ ଏହି ଅସ୍ତ୍ରୋପଚାର ହୋଇଛି।

ସମ୍ବନ୍ଧିତ ଖବର