କଟକ-ବିଦ୍ୟାଧରପୁର : ଫସଲକୁ କୀଟ ଦାଉରୁ ରକ୍ଷା କରିବା ପାଇଁ ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ବୈଜ୍ଞାନିକ ଡକ୍ଟର ଶ୍ୟାମା ରଞ୍ଜନ ମହାପାତ୍ର ଚାରି ପ୍ରକାର ଯନ୍ତା ପ୍ରସ୍ତୁତ କରି ସଫଳତା ହାସଲ କରିଛନ୍ତି। ସିଧାସଳଖ ବିଦ୍ୟୁତ ବ୍ୟବହାର ନ କରି ଏହି ଯନ୍ତା ଗୁଡିକୁ ଜମିରେ ବ୍ୟବହାର କରାଯାଇପାରିବ। ଏହାର ପେଟେଣ୍ଟକୁ ଭାରତ ସରକାର ମଂଜୁର କରିଥିବା ବେଳେ ଯନ୍ତାର ନିର୍ମାଣ ଓ ମାର୍କେଟିଂ ପାଇଁ ମହାରାଷ୍ଟ୍ରର ଏମ୍.ଏନ୍. ଫାଇନ୍ ଟ୍ରାପ୍ ଇଣ୍ଡିଆ ସହିତ ସିଆରଆରଆଇ ଏମ୍ଓୟୁ ସ୍ବାକ୍ଷର କରିଛି।
ଏଥିରେ ରହିଛି ଆଲୋକ ଉତ୍ସରେ ପରିଚାଳିତ ଯନ୍ତା, ଆଲୋକ ଯନ୍ତା, ବ୍ୟାଟେରୀ ଏବଂ ସୌର ଶକ୍ତିରେ ଚାଳିତ ଯନ୍ତା। ଗବେଷଣା ଅନୁଯାୟୀ ହାରାହାରି ଭାବେ କୀଟ ପୋକ ଧାନ ଫସଲକୁ ୨୫ ପ୍ରତିଶତ, ଗହମକୁ ୧୦ ପ୍ରତିଶତ, ଡାଲି ଜାତୀୟ ଫସଲକୁ ୩୦ ପ୍ରତିଶତ, ତେଲ ମଞ୍ଜିକୁ ୩୫ ପ୍ରତିଶତ ଓ କପାକୁ ୫୦ ପ୍ରତିଶତ କ୍ଷତି କରିଥାନ୍ତି। କୀଟ ନିୟନ୍ତ୍ରଣ ପାଇଁ ବିଦ୍ୟୁତ ଚାଳିତ ଆଲୋକ ଯନ୍ତା ବ୍ୟବହାର ସବୁଠି ସମ୍ଭବ ହୋଇ ପାରି ନଥାଏ। ନେବା ଆଣିବାରେ ସମାସ୍ୟା ଥାଏ। ସବୁଠି ଜମିକୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ନଥାଏ। ତେଣୁ ଏହାର ବିକଳ୍ପ ସ୍ବରୂପ ଡକ୍ଟର ମହାପାତ୍ର ବିକଳ୍ପ ଶକ୍ତି ଆଲୋକ ଯନ୍ତା, ସୋଲାର ଲାଇଟ୍ ଟ୍ରାପ ଇକୋ ଫ୍ରେଣ୍ଡଲି ଆଲୋକ ଯନ୍ତା ପ୍ରସ୍ତୁତ କରିଥିବାବେଳେ କ୍ଷେତ ଉଦ୍ୟାନ କୃଷି ବୃକ୍ଷ ଲତା ଫସଲର କୀଟ ମାନଙ୍କ ପାଇଁ ସ୍ବତନ୍ତ୍ର କୀଟ ଯନ୍ତା ବିକଶିତ କରିଛନ୍ତି। ଉଡୁଥିବା କୀଟ ଏହି ଯନ୍ତାରେ ଆପେଆପେ ପଡ଼ି ନଷ୍ଟ ହୋଇଯାନ୍ତି ବୋଲି ଡକ୍ଟର ମହାପାତ୍ର ସୂଚନା ଦେଇଛନ୍ତି।