ଜାତୀୟ କ୍ରୀଡ଼ା ଦିବସ ଆଜି: ପ୍ରତିଭା ଚିହ୍ନିଲେନି ସରକାର, ବିଲରେ ଖଟୁଛନ୍ତି ସଫଳ ତୀରନ୍ଦାଜ ପ୍ରଶିକ୍ଷକ

ଯଶିପୁର, (ବିରଞ୍ଚି ନାରାୟଣ ସାହୁ): ପ୍ରଶିକ୍ଷଣ ଦେଇ ଜାତୀୟସ୍ତରରେ ଶହ ଶହ ଖେଳାଳି ତିଆରି କରିଛନ୍ତି। ଖେଳାଳି ଓ ପ୍ରଶିକ୍ଷକ ଭାବେ ନିଜ ଜୀବନର ୨୫ ବର୍ଷ ବ୍ୟୟ କରିଥିଲେ ବି ସରକାର ତାଙ୍କ କଥା ଭୁଲିଗଲେ। ନା ମିଳିଲା ନିଯୁକ୍ତି, ନା ସହାୟତା। ଏବେ ପରିବାର ଚଳାଇବା ପାଇଁ ବିଲରେ ଖଟୁଛନ୍ତି ଜାତୀୟସ୍ତରର ପ୍ରସିଦ୍ଧ ତୀରନ୍ଦାଜ ନାରାୟଣ ବାନରା (୩୩)।

ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ ପୋଡ଼ାଗଡ଼ ପଞ୍ଚାୟତ କୁଣ୍ଡାଗଡ଼ ଗାଁ’ର ଏକ ଗରିବ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିବା ନାରାୟଣଙ୍କ ପ୍ରତିଭାର ପରିଚୟ ମିଳିଥିଲା ୧୯୯୬ ମସିହାରେ। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ତୀରନ୍ଦାଜରେ ତାଙ୍କର ଅସାଧାରଣ ଦକ୍ଷତା ଦେଖି ଜିଲ୍ଲା ସ୍ପୋର୍ଟସ୍‌ ହଷ୍ଟେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଭୁବନେଶ୍ବର କଳିଙ୍ଗ ଏକ୍ସିଲେନ୍ସ ସ୍ପୋର୍ଟସ୍‌ ହଷ୍ଟେଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ୫ ବର୍ଷ ଧରି ତାଲିମ୍‌ ନେବା ପରେ ଜଣେ ଦକ୍ଷ ତୀରନ୍ଦାଜ ଭାବେ ଉଭା ହୋଇଥିଲେ ନାରାୟଣ। ଉତ୍ତରପ୍ରଦେଶର ମିରଟ, ନୂଆଦିଲ୍ଲୀ, କୋଲକାତା, ଆସାମ, ମଣିପୁର, ଇମ୍ଫାଲ, ହରିଆନା, ଛତିଶଗଡ଼, ଅମରାବତୀ, ଟାଟାନଗରରେ ଆୟୋଜିତ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ସେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ଟାଟାନଗରରେ ବ୍ରୋଞ୍ଜ ପଦକ ହାସଲ କରିବା ସହ ତୀରନ୍ଦାଜ ଖେଳ ଦୁନିଆରେ ନାରାୟଣ ଜଣେ ଚିହ୍ନାମୁହଁ ପାଲଟିଯାଇଥିଲେ। ପରେ ସେ ଏକାଧିକ ପ୍ରତିଯୋଗିତା ଜିତି ବହୁ ମେଡାଲ୍‌ ଓ ପ୍ରଶଂସା ସାଉଁଟିଥିଲେ। ୨୦୦୪ ମସିହା ବେଳକୁ ଜଣେ ପ୍ରଶିକ୍ଷକ ଭାବେ ମଧ୍ୟ ନାରାୟଣ କାମ ଆରମ୍ଭ କଲେ। ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍‌ ବିଂଝୁଆ ହାଇସ୍କୁଲ୍‌ରେ ପ୍ରଶିକ୍ଷଣ ଦେଲେ। ୨୦୦୭ ମସିହାରେ ବଲାଙ୍ଗୀର ଚୁଡ଼ାପଲ୍ଲୀ ହାଇସ୍କୁଲ୍‌ରେ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇ ୨୦୧୯ ମସିହା ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନରେ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ନାରାୟଣଙ୍କଠାରୁ ପ୍ରଶିକ୍ଷଣ ନେଇ ଶତାଧିକ ଖେଳାଳି ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଛନ୍ତି। ନାରାୟଣଙ୍କ ଛାତ୍ରୀ ବଲାଣପୋଷି ସ୍କୁଲ୍‌ର ଫୁଲମଣି ପଳେୟା ଜାତୀୟସ୍ତରରେ ଦୁଇଥର ଚାମ୍ପିଅନ୍‌ ମଧ୍ୟ ହୋଇଛନ୍ତି। ସେହିପରି ପ୍ରତିମା ତୁଙ୍ଗ, ସାଗର ସିଙ୍କୁ, ପ୍ରତିମା ସେଠୀଙ୍କ ସମେତ ୩୬ ଜଣ ଖେଳାଳି ଜାତୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି ଏବଂ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି କରୁଛନ୍ତି।

ହେଲେ ବିଡ଼ମ୍ବନା, ତୀରନ୍ଦାଜ ଖେଳର ବାଦ୍‌ଶାହା ନାରାୟଣଙ୍କୁ ସରକାର ଠକି ଦେଇଛନ୍ତି। କ୍ରୀଡ଼ା ପ୍ରଶିକ୍ଷକ ଭାବେ ସେ ୨ ହଜାରରୁ ଆରମ୍ଭ କରି ୫ ହଜାର ଟଙ୍କା ଯାଏ ଦରମା ପାଉଥିଲେ। କିନ୍ତୁ ତାହା ଚଳିବାକୁ ପର୍ଯ୍ୟାପ୍ତ ନ ଥିଲା। ତେଣୁ ବଲାଙ୍ଗୀରରୁ ପ୍ରଶିକ୍ଷକ ଚାକିରି ଛାଡ଼ି ୨ ବର୍ଷ ହେଲା ନିଜ ଗାଁ କୁଣ୍ଡାଗଡ଼କୁ ଚାଲି ଆସିଛନ୍ତି। ଏଠାରେ ସେ ନିଜ ବିଲରେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଭଙ୍ଗାଦଦରା ଖଣ୍ଡିଆ ଘରେ ଦୁଇ ପୁଅ ଓ ପତ୍ନୀଙ୍କ ସହ ରହୁଥିବା ନାରାୟଣଙ୍କ ଅବସ୍ଥା ଦେଖିବା ପରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ସାହାଯ୍ୟ ପାଇଁ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ତେବେ ପରିସ୍ଥିତି ଆଗରେ ହାର ମାନିନାହାନ୍ତି ନାରାୟଣ। ସରକାର ତୀରନ୍ଦାଜ ସ୍ପୋର୍ଟସ୍‌ ଏକାଡେମି ପ୍ରତିଷ୍ଠା କରିବା ନିହାତି ଦରକାର। କାରଣ ଆମ ଅଞ୍ଚଳରେ ଅନେକ ପ୍ରତିଭା ଲୁଚି ରହିଛନ୍ତି, ଯେଉଁମାନେ କେବଳ ସୁଯୋଗ ଅପେକ୍ଷାରେ ଅଛନ୍ତି। ତୀରନ୍ଦାଜ ଏକାଡେମି ପ୍ରତିଷ୍ଠା ହେଲେ ଏବଂ ସେଠାରେ ନିଯୁକ୍ତି ସହ ଉଚିତ ଦରମା ମିଳିଲେ ସେ ମନପ୍ରାଣ ଦେଇ ଜଣେ ପ୍ରଶିକ୍ଷକର ଭୂମିକା ନିର୍ବାହ କରିବେ ବୋଲି ‘ସମ୍ବାଦ’କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ନାରାୟଣଙ୍କ ପ୍ରତିଭା ଦେଖି ପୂର୍ବତନ କ୍ରୀଡ଼ାମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଏକ ଧନୁଶର ପ୍ରଦାନ କରିଥିଲେ। ଯାହାକୁ ସେ ଏବେ ବି ଯତ୍ନର ସହ ସାଇତି ରଖିଛନ୍ତି।

ସମ୍ବନ୍ଧିତ ଖବର