ଚାନ୍ଦିପୁରରୁ ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁରସ୍ଥିତ ଡିଆରଡିଓ ଦ୍ବାରା ଆଜି ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ(ଭିଏସ୍‌ଏଚ୍‌ଓଆର୍‌ଏଡିଏସ୍‌) କ୍ଷେପଣାସ୍ତ୍ରର ୨ଟି ପରୀକ୍ଷଣ ସଫଳ ହୋଇଛି। ଆଇଟିଆର୍‌ ପରିସରରୁ ଭୂପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ ଲଞ୍ଚର ବା ଉତ୍‌କ୍ଷେପଣ ଯାନରୁ ଏହି କ୍ଷେପଣାସ୍ତ୍ରର ଆକାଶମାର୍ଗ ପରୀକ୍ଷଣ କରାଯାଇଥିଲା।

ଭିଏସ୍‌ଏଚ୍‌ଓଆର୍‌ଏଡିଏସ୍‌ ହେଉଛି ଏକ ପୋର୍ଟେବଲ ବା ମାନବବାହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ(ମ୍ୟାନପ୍ୟାଡ୍‌), ଯାହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ହାଇଦ୍ରାବାଦସ୍ଥିତ ଡିଆରଡିଓର ଗବେଷଣା କେନ୍ଦ୍ର ଇମାରତ (ଆର୍‌ସିଆଇ) ଦ୍ବାରା ବିକଶିତ କରାଯାଇଥିବା ସୂଚନା ଦିଆଯାଇଛି। ଏହି ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ(ଭିଏସ୍‌ଏଚ୍‌ଓଆର୍‌ଏଡିଏସ୍‌)ରେ ରହିଛି କ୍ଷୁଦ୍ର ଆକୃତିର ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ(ଆର୍‌ସିଏସ୍‌) ଏବଂ ସମନ୍ବିତ ଏଭିଓନିକ୍ସ ଭଳି ବହୁ ନୂଆ ଜ୍ଞାନକୌଶଳ। ଏସବୁ ‌ଅତ୍ୟାଧୁନିକ ବ୍ୟବସ୍ଥା ଆଜିର ପରୀକ୍ଷଣ ସମୟରେ ସଫଳତା ପୂର୍ବକ ପ୍ରମାଣିତ ହୋଇଥିଲା। ଏହି କ୍ଷେପଣାସ୍ତ୍ରରେ ଥିବା ଦୁଇଟିକିଆ ସଲିଡ୍‌ ମୋଟର କ୍ଷମତା ଯାହାକି ଆକାଶମାର୍ଗରୁ ଆସୁଥିବା କମ୍‌ ଉଚ୍ଚତା ବିଶିଷ୍ଟ ବିପଦକୁ ଅଳ୍ପ ଦୂରତାରେ ଧ୍ବଂସ କରିବାରେ ସକ୍ଷମ ହୋଇପାରିବ। ସହଜରେ ପରିବହନ କରିବା ଲାଗି ଏହି କ୍ଷେପଣାସ୍ତ୍ର ଓ ଏହାର ଲଞ୍ଚରକୁ ଅଧିକ ବ୍ୟବସ୍ଥିତ କରାଯାଇଛି। ଆଜି କରାଯାଇଥିବା ୨ଟି ଆକାଶମାର୍ଗ ପରୀକ୍ଷଣ ବା ଫ୍ଲାଇଟ୍‌ ଟେଷ୍ଟ ମିସନର ସବୁ ଲକ୍ଷ୍ୟ ହାସଲ କରିଥିଲା।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏହି ପରୀକ୍ଷଣ ପାଇଁ ଡିଆରଡିଓ ଏବଂ ଏହାର ଉଦ୍ୟୋଗ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ନୂଆ କ୍ଷେପଣାସ୍ତ୍ରରେ ଆଧୁନିକ ବ୍ୟବସ୍ଥା ରହିଛି ଯାହା ସେନାବାହିନୀର ପ୍ରଯୁକ୍ତିଗତ ସାମର୍ଥ୍ୟ ଆହୁରି ବୃଦ୍ଧି କରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଭିଏସଏଚଓଆରଏଡିଏସ ଟିମ୍‌କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଭି. ସତୀଶ ରେଡ୍ଡୀ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର