ରାଉରକେଲା : ପନିପରିବା ଚାଷ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୂଆଗାଁ ବ୍ଲକ ଆମ୍ବ ଚାଷରେ ବି ବେଶ୍ ପ୍ରସିଦ୍ଧି ଲାଭ କରିଛି। ବ୍ଲକର ସୋରଡା, ବାରିଲେପ୍ଟା, ପତ୍ରାପାଲି, ବାଗ୍ଡେଗା, କଦଲକା, ବଡଯୋଜଦା ଆଦି ୮ଟି ସ୍ଥାନରେ ଏକର ଏକର ଜମିରେ ଫଳୁଛି ବିଭିନ୍ନ କିସମର ଆମ୍ବ । ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ଆମ୍ବ ଭଲ ଫଳିଛି। ଏତେ ଆମ୍ବ ହୋଇଛି ଯେ, କେଉଁଠି ଡାଳ ଓହଳି ଯାଇଛି ତ ଅନ୍ୟ କେଉଁଠି ପତ୍ର ଅପେକ୍ଷା ଆମ୍ବ ବେଶି ଦେଖାଯାଉଛି। ଚାଷୀମାନେ ବେଶ୍ ଭଲ ଦି’ ପଇସା ରୋଜଗାର କରୁଛନ୍ତି।

Advertisment

publive-image

ସେମିତି ଜଣେ ସଫଳ ଆମ୍ବଚାଷୀ ହେଲେ ସୋରଡାର ସୁରେନ୍ଦ୍ର କାଣ୍ଡୁଲାନା। ସେନା ଅଧିକାରୀରୁ ବନି ଯାଇଛନ୍ତି ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଆମ୍ବ ଚାଷୀ। ପ୍ରାୟ ୪ ଏକର ଜମିରେ ଲଗାଇଛନ୍ତି ୧୦ କିସମର ମିଠା ଆମ୍ବ। ଯାହା ମଧ୍ୟରେ ରହିଛି ଅମରପାଲି, ଦଶେରି, ନୀଲମ୍, ବାଇଗଣ ପଲେଇ, ମଲିକା, ଲେଙ୍ଗଡା, ତୋଟାପଲେଇ ଇତ୍ୟାଦି। ପ୍ରତ୍ୟେକ ଦିନ ଆମ୍ବ ବଗିଚାର ଯତ୍ନ ନେଉଛନ୍ତି। ନିଜେ ପରିଶ୍ରମ କରିବା ସହ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ରୋଜଗାରର ପନ୍ଥା। ପୋକ ନ ଲାଗିବାକୁ ସେ ବମ୍ବେ, ହାଇଦ୍ରାବାଦ ଆଦି ଅଞ୍ଚଳରୁ ଔଷଧ ମଗାଇ ଆମ୍ବ ଗଚ୍ଛ ସିଞ୍ଚନ କରୁଛନ୍ତି। ପ୍ରତିବର୍ଷ କ୍ବିଣ୍ଟାଲ କ୍ବିଣ୍ଟାଲ ଆମ୍ବ ଉତ୍ପାଦନ କରିନ୍ତି। କିଛି ଆମ୍ବ ସ୍ଥାନୀୟ ମାର୍କେଟ ବିକ୍ରି କରନ୍ତି। ଆଉ କିଛି ବେପାରୀମାନଙ୍କ ଜରିଆରେ ବାହାର ରାଜ୍ୟକୁ ପଠାନ୍ତି।

publive-image

ଆମ୍ବ ପାଚିବାକୁ ସେ କୌଣସି କେମିକାଲ ଔଷଧ ବ୍ୟବହାର କରନ୍ତି ନାହିଁ। ଗଛରୁ ପାଚିଲା ପରେ ଆମ୍ବ ତୋଳିଥାନ୍ତି। ଏଥିପାଇଁ ତାଙ୍କ ଆମ୍ବର ସ୍ଥାନୀୟ ମାର୍କେଟରେ ବେଶ୍ ଚାହିଦା ରହିଛି ବୋଲି କୁହନ୍ତି ସୁରେନ୍ଦ୍ର। ସେ କହନ୍ତି, କେଜି ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି କରନ୍ତି। ଛୋଟ ବେପାରୀମାନେ ଆଗ୍ରହର ସହ ବଗିଚାକୁ ଆସି କ୍ବିଣ୍ଟାଲ କ୍ବିଣ୍ଟାଲ ଆମ୍ବ କିଣି ନେଇଥାନ୍ତି। ବର୍ଷକୁ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥାଏ। କେବଳ ତାଙ୍କ ବଗିଚା ନୁହେଁ ସ୍ଥାନୀୟ ଅଞ୍ଚଳରେ ଯେତିକି ଆମ୍ବ ବଗିଚା ରହିଛି ସବୁଠି ଛୋଟ ଛୋଟ ବେପାରୀଙ୍କ ଭିଡ ଜମିଥାଏ। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବଜାର ଠିକ୍ ଭାବେ ଖୋଲୁ ନଥିବାରୁ କେବଳ ମୁଁ ନୁହେଁ ସ୍ଥାନୀୟ ଅଞ୍ଚଳ ସମସ୍ତ ଆମ୍ବ ଚାଷୀଙ୍କୁ କ୍ଷତି ସହିବାକୁ ପଡିଛି। ଗାଡି ଚାଲୁ ନଥିବାରୁ ବାହାରକୁ ଆମ୍ବ ପଠାଇ ପାରୁ ନାହୁଁ। ଯେଉଁ ଆମ୍ବକୁ ବେପାରୀମାନେ କେଜି ପ୍ରତି ୫୦ରୁ ୬୦ ଟଙ୍କା ଖୁସିରେ ନେଇ ଯାଉଥିଲେ, ସେମାନେ ଏତିକି ଦରରେ ନେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଫଳରେ ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛି। ଶୀତଳ ଭଣ୍ଡାରଟିଏ ଥିଲେ ଲକ୍‌ଡାଉନ୍ ଓ ସଟ୍‌ଡାଉନରେ ଆମ୍ବଚାଷୀମାନେ ତାଙ୍କର ଆମ୍ବର ଉଚିତ୍ ମୂଲ୍ୟ ପାଇପାରନ୍ତେ।

publive-image

ଆହୁରି ମଧ୍ୟ କହିନ୍ତି, ସେ ନୂଆଗାଁ ବ୍ଲକରେ ପ୍ରଥମେ ଆମ୍ବ ଚାଷ ଆରମ୍ଭ କରିଥିଲେ। ପରେ ପରେ ତାଙ୍କୁ ଦେଖି ଅନ୍ୟମାନେ ଆମ୍ବ ଚାଷ କରିବା ଆରମ୍ଭ କରିଛନ୍ତି। ସୋରଡାର ସୁରେନ୍ଦ୍ର କାଣ୍ଡୁଲାନା ସେନା ବିଭାଗରେ କାର୍ଯ୍ୟ କରୁଥିଲେ। ୧୯୯୭ ମସିହାରେ ଚାକିରିରୁ ଅବସର ନେବା ପରେ ଘରକୁ ଫେରିଥିଲେ। ବିଭିନ୍ନ ଘରୋଇ ସଂସ୍ଥାରେ ଚାକିରି ଖୋଜିଥିଲେ। ମାତ୍ର ତାଙ୍କ ଯୋଗ୍ୟତା ଅନୁଯାୟୀ କାମ ମିଳି ନଥିଲା। ଶେଷରେ ଆମ୍ବ ଚାଷ କରିବାକୁ ମନ ବଳାଇଥିଲେ। ୨୦୦୨ରେ ପ୍ରଥମେ ଗୋଟିଏ ଏକର ଜମିରେ ଆମ୍ବ ଗଛ ଲଗାଇଥିଲେ। ପରେ ପରେ ଚାଷ ପ୍ରତି ଆଗ୍ରହ ବଢ଼ିବାରୁ ୪ ଏକର ଜମିରେ ବିଭିନ୍ନ କିସମର ଆମ୍ବ ଗଛ ଲଗାଇବା ଆରମ୍ଭ କରିଥିଲେ। ତିନି ବର୍ଷ ପରେ ଅର୍ଥାତ୍ ୨୦୦୫ରୁ ଗଛରେ ଆମ୍ବ ଫଳିବା ଆରମ୍ଭ ହୋଇଥଲା। ଆଜିକୁ ୧୬ ବର୍ଷ ଧରି ଆମ୍ବ ବିକିବା ଆରମ୍ଭ କରିଛନ୍ତି। ଚାକିରିରୁ ଅବସର ପରେ ସଫଳ ଚାଷୀ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁରେନ୍ଦ୍ର।