ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଘାଟିର ୩ ନମ୍ବର ଉତ୍କ୍ଷେପଣ କେନ୍ଦ୍ରରୁ ମଙ୍ଗଳବାର ରାତି ୮ଟା ୩୦ ମିନିଟ୍ ସମୟରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ବ୍ୟାବହାରିକ ପରୀକ୍ଷା ସଫଳ ହୋଇଛି। ପୃଥ୍ବୀ-୨ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ। ରାଡାର୍ ଓ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ ଏବଂ ଓଡ଼ିଶା ଉପକୂଳରେ ଥିବା ଟେଲିମେଟ୍ରି ଷ୍ଟେସନ୍ ସହାୟତାରେ କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା। ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଉତ୍କ୍ଷେପଣ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ରର ୩୫୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍କୁ ଲକ୍ଷ୍ୟଭେଦ ଏବଂ ୫୦୦ରୁ ୧ ଟନ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ପୃଥ୍ବୀ-୨ର ଲମ୍ବ ୯ ମିଟର, ଓସାର ୧୧୦ ସେଣ୍ଟିମିଟର ଏବଂ ଓଜନ ୪.୬ ଟନ୍ ବୋଲି ଜଣାପଡ଼ିଛି। ୨୦୦୩ ମସିହାରୁ ଭାରତୀୟ ସେନାରେ ଏହା ସାମିଲ ହୋଇଛି। ଗତ ଜୁନ୍ ୧୫ ତାରିଖ ଦିନ ମଧ୍ୟ ପୃଥ୍ବୀ-୨ ରାତ୍ରିକାଳୀନ ପରୀକ୍ଷା ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp