ସିଭିଲ୍‌ ସର୍ଭିସ୍‌ରେ ସଫଳ ଓଡ଼ିଆ ପିଲା

ଗୌରବ ଆଣିଲେ ଗୌରବ, ଅନୁପ
ସୁନ୍ଦରଗଡ଼ର ଗୌରବ ୮୬ତମ ରାଉରକେଲାର ଅନୂପ ୨୬୯ତମ ସ୍ଥାନରେ
ସୁନ୍ଦରଗଡ଼ : ସୋମବାର ଦିନ ସର୍ବଭାରତୀୟ ପ୍ରାଶାସନିକ ସେବା ୨୦୨୧ ବର୍ଷ ପାଇଁ ଅନୁଷ୍ଠିତ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏଥିରେ ସୁନ୍ଦରଗଡ଼ ମିସନ ରୋଡ୍‌ ନିବାସୀ ଗୌରବ ଅଗ୍ରୱାଲ (୨୫) ୮୬ତମ ସ୍ଥାନ ଓ ରାଉରକେଲାର ପ୍ଲାଣ୍ଟ୍‌ସାଇଟ୍‌ ଡିଏଭି ସ୍କୁଲ ଲାଇନ୍‌ର ଅନୁପ ଗର୍ଗ (୨୯) ୨୬୯ତମ ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଗୌରବ ରାଉରକେଲା ସେଣ୍ଟ ପଲ୍‌ ସ୍କୁଲରେ ‌ସେ ପ୍ରାଥମିକ ଶିକ୍ଷା ସମାପ୍ତ କରିବାପରେ ବଲାଙ୍ଗୀରରେ ହାଇସ୍କୁଲ ପାଠ ପଢ଼ିଥିଲେ। ହାଇଦ୍ରାବାଦରେ ଇଣ୍ଟିଗ୍ରେ‌ଟେଡ୍‌ ଲ’ରେ ସ୍ନାତକ ଶିକ୍ଷା ପରେ ଭାରତୀୟ ପ୍ରାଶାସନିକ ସେବା ପାଇଁ ପ୍ରୟାସ ଜାରି ରଖିଥିଲେ। ୨୦୧୯ରେ ପ୍ରଥମ ପ୍ରୟାସରେ ସେ ବିଫଳ ହେଲାପରେ ଭାଙ୍ଗି ପଡ଼ିନଥିଲେ। ଆହୁରି ଅଧିକ ଉତ୍ସାହ, ନିଷ୍ଠାର ସହ ପରିଶ୍ରମ କରି ଦ୍ବିତୀୟ ପ୍ରୟାସରେ ସଫଳ ହୋଇଛନ୍ତି। ଆଶାନୁରୂପ ସ୍ଥାନ ମିଳିଛି ବୋଲି କହୁଥିବା ଗୌରବଙ୍କ ଭାରତୀୟ ବିଦେଶ ସେବା ପ୍ରତି ଆଗ୍ରହ ରହିଛି। କିନ୍ତୁ ତାହା ନମିଳିଲେ ସେ ପ୍ରଶାସନିକ (ଆଇଏଏସ୍‌)କୁ ପସନ୍ଦ କରିବେ ବୋଲି କହିଛନ୍ତି। ତାଙ୍କ ବାପା ବାପା ସଜ୍ଜନ କୁମାର ଅଗ୍ରୱାଲ ଖଡ଼ଗପୁରଠାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଭାବେ ଅବସର ନେଇଛନ୍ତି। ମାଆ କିରଣ ଅଗ୍ରୱାଲ ଜଣେ ଗୃହିଣୀ। ବଡ଼ଭାଇ ସୌରଭ ହାଇଦ୍ରାବାଦଠାରେ ଆମାଜନ୍‌ରେ ଚାକିରି କରୁଛନ୍ତି। ସୁନ୍ଦରଗଡ଼ସ୍ଥିତ ଘରେ ଗୌରବ ବାପା ମା’ ଓ ଜେଜେ ରାମଫୁଲ ଦାସ ଗୁପ୍ତା ଓ ଜେଜେମା ଗୋମତୀ ଦେବୀଙ୍କ ସହ ରହୁଛନ୍ତି।

ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇଥିବା ରାଉରକେଲାର ଅନୁପ ସହରର ଜଗଦାସ୍ଥ ଏମ୍‌ଜିଏମ୍‌ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ିଥିଲେ। ଏହାପରେ ସେ ବେଙ୍ଗାଲୁରୁସ୍ଥ ବିଶପ୍‌ କଟନ୍‌ ବୟଜ୍‌ ସ୍କୁଲରେ ଯୁକ୍ତଦୁଇ ଯାଏଁ ଓ ଦୟାନନ୍ଦ ସାଗର କଲେଜ ଅଫ୍‌ ଇଞ୍ଜିନିଅରିଂରେ ବି.ଟେକ୍‌ କରିଥିଲେ। ପରବର୍ତ୍ତୀ ସମୟରେ ସେ ନୂଆଦିଲ୍ଲୀକୁ ଯାଇ ‌ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଗତ ୪ ଥର କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ତେବେ, ଏଥର ପଞ୍ଚମ ପ୍ରୟାସରେ ସେ ସଫଳତା ହାସଲ ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ଅନୂପଙ୍କ ପରିବାର ପ୍ଲାଣ୍ଟ୍‌ସାଇଟ୍‌ ଡିଏଭି ସ୍କୁଲ ଲାଇନ୍‌ରେ ରହୁଛନ୍ତି। ପରିବାର କହିଲେ ବାପା ସୁଶୀଳ ଗର୍ଗ, ମା’ ମମତା ଗର୍ଗ ଓ ବଡ଼ଭାଇ ରୋହିତ ଗର୍ଗ।

‘ସୁଯୋଗ ମିଳିଲେ ସୋନପୁରର ସାମୂହିକ ବିକାଶ ପ୍ରତି ଧ୍ୟାନ ଦେବି’, ୬୩ ରାଙ୍କରେ କାର୍ତ୍ତିକ ପାଣିଗ୍ରାହୀ
ସୋନପୁର : ସର୍ବଭା‌ରତୀୟ ସିଭିଲ ସର୍ଭିସ ପରୀକ୍ଷା ୨୦୨୧ରେ ସୁବର୍ଣ୍ଣପୁର ଜିଲ୍ଲାର କାର୍ତ୍ତିକ ପାଣିଗ୍ରାହୀ ୬୩ ରୢାଙ୍କରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ଟପର୍‌ ହୋଇଛନ୍ତି।

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଟପର୍‌ ହେବାରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଗଡ଼ଭିତର ମୂଳନିବାସୀ ଶିବଶଙ୍କର ପାଣିଗ୍ରାହୀ ଓ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ। କାର୍ତ୍ତିକଙ୍କ ବାପା ଶିବଶଙ୍କର ଦିଲ୍ଲୀ ଏୟାରପୋର୍ଟର ଡିଜିଏମ୍‌ ଥିବାବେଳେ ମା’ ଗୀତା ଜଣେ ଗୃହିଣୀ। କାର୍ତ୍ତିକ ଜଣେ ମେଧାବୀ ଛାତ୍ର ହୋଇଥିବାବେଳେ ପିଲାଟି ଦିନରୁ ସେ ଆଇଏଏସ୍‌ ହେବାର ଲକ୍ଷ୍ୟ ରଖିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କଲାପରେ ଏବେ ସେହି ବିଶ୍ବବିଦ୍ୟାଳୟରେ ଏମ୍‌ଫିଲ୍‌ କରୁଛନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ ମଧ୍ୟ କାର୍ତ୍ତିକଙ୍କ ଇଚ୍ଛାଧୀନ ବିଷୟ ଇତିହାସ ଥିଲା। ସେ ପାଣିପାଗ ପରିବର୍ତ୍ତନ ଏବଂ ସୂଚନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କାମ କରିବାକୁ ଆଶା ରଖିଛନ୍ତି। ଏହାସହିତ ସୁଯୋଗ ମିଳିଲେ ସୁବର୍ଣ୍ଣପୁର ଜିଲ୍ଲାର ସାମୂହିକ ବିକାଶ ପ୍ରତି ଧ୍ୟାନ ଦେବେ ବୋଲି କାର୍ତ୍ତିକ କହିଛନ୍ତି। ଏହି ସଫଳତା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୂଚନାଯୋଗ୍ୟ ଯେ ସୁବର୍ଣ୍ଣପୁର ଜିଲ୍ଲାରୁ ଆଇଏଏସ୍‌ ହେବାରେ କାର୍ତ୍ତିକ ହିଁ ପ୍ରଥମ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ଜିଲ୍ଲାର ଦୁଇଜଣ ଆଇଏଏସ୍‌ ସ୍ତରକୁ ପ‌ଦୋନ୍ନତି ପାଇଥିଲେ।

ଅନୁଗୁଳ ପାଇଁ ଗର୍ବ ଆଣିଲେ ସୌମ୍ୟରଂଜନ, ଫୋକସ୍ ରହିଲେ ସଫଳତା ନିଶ୍ଚିତ ମିଳିବ
ପାଳଲହଡ଼ା : ଅନୁଗୁଳ ପାଇଁ ଗର୍ବ ଆଣିଛନ୍ତି ସୌମ୍ୟରଞ୍ଜନ ପ୍ରଧାନ। ୟୁପିଏସସି ପରିଚାଳିତ ସିଭିଲ୍‌ ସର୍ଭିସ୍ ପରୀକ୍ଷାରେ ୩୦୬ ତମ ସ୍ଥାନରେ ରହି ସେ କୃତକାର୍ଯ୍ୟ ହୋଇଛନ୍ତି। ପାଳଲହଡ଼ା ମାଲ୍ୟଗିରି କଲେଜର ପ୍ରାଣୀବିଜ୍ଞାନ ଅଧ୍ୟାପକ ସଂଜୀବ କୁମାର ପ୍ରଧାନଙ୍କ ଏହି ସୁପତ୍ର ଏବେ ଓଏଏସ୍ ତାଲିମ ନେଉଛନ୍ତି।

ସୌମ୍ୟରଞ୍ଜନଙ୍କ ନିଜ ଘର ଦେବଗଡ଼ ଜିଲ୍ଲା ଭୁକାବେଡ଼ା ଗାଁରେ। କିନ୍ତୁ ବାପା ସଞ୍ଜୀବ କୁମାର ପ୍ରଧାନ ପାଲଲହଡ଼ାରେ ଅଧ୍ୟାପନା କରୁଥିବାରୁ ତାଙ୍କ ସହ ସେ ଏଠାରେ ହିଁ ବଢ଼ିଛନ୍ତି। ସୌମ୍ୟରଞ୍ଜନଙ୍କ ପିଲାବେଳ କଟିଥିଲା ପାଳଲହଡ଼ାରେ। ସେ ପାଲଲହଡ଼ା ସରସ୍ବତୀ ଶିଶୁ ମନ୍ଦିରରେ ମାଟ୍ରିକ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟାମନ୍ଦିରରେ ଯୁକ୍ତ ୨ ପଢ଼ିଥିଲେ। ରାଉରକେଲା ଏନ୍‌ଆଇଟିରେ ଶିକ୍ଷା ଶେଷ କରିବା ପରେ ସେ ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ। ୨୦୧୯ରେ ଓପିଏସସି ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ ମଧ୍ୟ ସେ ଅଟକି ଯାଇ ନ ଥିଲେ। ବରଂ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ସହ ପରୀକ୍ଷା ଦେଇଥିଲେ। ଆଉ ଏହାର ସଫଳତା ଏବେ ମିଳିଛି।

ପାଳଲହଡ଼ା ପରି ଏକ ଅନୁନ୍ନତ ଅଞ୍ଚଳରେ ରହି ପାଠ ପଢ଼ି ଛାତ୍ର ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିବା ସୌମ୍ୟରଂଜନଙ୍କ ଅଧ୍ୟବସାୟର ପ୍ରମାଣ ଦେଉଛି। ପିଲାଦିନେ ତାଙ୍କ ଜେଜେବାପା ତାଙ୍କୁ ଜଣେ ଆଇଏଏସ ଅଧିକାରୀ ହେବାକୁ ପ୍ରେରଣା ଦେଉଥିଲେ। ପ୍ରଧାନ ଶିକ୍ଷକ ଥିବା ଜେଜେବାପାଙ୍କ କଥା ତାଙ୍କୁ ଉତ୍ସାହିତ କରିଥିଲା। ପରେ ସେ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଥିଲେ ବୋଲି କହିଛନ୍ତି। ଏ ଦିଗରେ ବାପା ଓ ମା’ଙ୍କ ସହ ସାନଭାଇ ତ୍ରିଦେବ ପ୍ରଧାନ ବେଶ ସାହାଯ୍ୟ କରିଥିଲେ। ଅନ୍‌ଲାଇନ୍‌ରେ ସେ ସିଭିଲ୍‌ ସର୍ଭିସ ପାଇଁ କୋଚିଂ ନେଉଥିଲାବେଳେ ଘରେ ରହି ପଢ଼ାପଢ଼ି କରୁଥିଲେ। କୌଣସି ଲକ୍ଷ୍ୟ ଉପରେ ଫୋକସ୍‌ ରହିଲେ ସଫଳତା ଅବଶ୍ୟ ମିଳିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ତୃତୀୟ ଥର କୃତକାର୍ଯ୍ୟ ହେଲେ ସମୀର
ଉଦଳା : ଚଳିତବର୍ଷ ୟୁପିଏସ୍‌ସି ପରୀକ୍ଷାରେ ପୁଣି ସଫଳତା ଅର୍ଜନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ମାଟିର ସୁପୁତ୍ର ସମୀର କୁମାର ଜେନା। ଗତଥର ପରୀକ୍ଷାରେ ୪୪୧ ରାଙ୍କ ପାଇଥିବା ବେଳେଏଥର ସର୍ବଭାରତୀୟସ୍ତର‌ରେ ସେ ୨୭୩ ରୢାଙ୍କ୍‌ ହାସଲ କରିଛନ୍ତି।

ଉଦଳା ଏନ୍‌ଏସି ୱାର୍ଡ ନଂ ୧୧ରେ ସମୀରଙ୍କ ଘର। ବାପା ଶଶଧର ଜେନା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର। ଆରମ୍ଭରୁ ମ‌ଧାବୀ ଛାତ୍ର ଭାବେ ଜଣାଶୁଣା ସମୀର ମାଟ୍ରିକ୍‌ ପରୀକ୍ଷାରେ ସାରା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ବିଜେବି କଲେଜରେ ଯୁକ୍ତ ୨ ପଢ଼ି ରାଜ୍ୟରେ ସପ୍ତମ ସ୍ଥାନ ହାସଲ କରିଥିଲେ। ଏହାପରେ ଖଡ଼ଗପୁର ଆଇଆଇଟିରେ ବିଟେକ୍‌ ସମାପ୍ତ କରିଥିଲେ। ୨୦୧୫ରେ ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷାରେ ୩୬ତମ ରୢାଙ୍କ୍‌ ରଖିଥିଲେ। ୨୦୧୭ରେ ୟୁପିଏସସିରେ ୬୮୪ ରୢାଙ୍କ୍‌ ରଖି ଭାରତୀୟ ରାଜସ୍ୱ ସେବାରେ ଯୋଗଦେଇଥିଲେ। ତେବେ, ତାଲିମରୁ ଛୁଟିନେଇ ପୁଣିଥରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ ଏବଂ ୨୦୧୯ ୟୁପିଏସସି ପରୀକ୍ଷାରେ ୪୪୧ ରୢାଙ୍କ ରଖି ଆଇପିଏସ୍ ପାଇଁ ତାଲିମରେ ଯୋଗଦେଇଥିଲେ। ତେବେ ଆଇଏଏସ୍ ଅଧିକାରୀ ହେବାର ସ୍ୱପ୍ନ ରଖିଥିବା ସମୀର ସେଥିରେ ସନ୍ତୁଷ୍ଟ ହୋଇ ନଥିଲେ। ପୁଣି ଛୁଟି ନେଇ ପ୍ରସ୍ତୁତି ଚଳାଇଥିଲେ ଏବଂ ଚଳିତବର୍ଷ ୟୁପିଏସସି ପରୀକ୍ଷାରେ ୨୭୩ ରୢାଙ୍କ୍‌ ରଖି କୃତକାର୍ଯ୍ୟ ହୋଇଛନ୍ତି।

ସିଭିଲ ସର୍ଭିସ ପରୀକ୍ଷାରେ ଦେବଗଡ଼ର ସୌମ୍ୟରଞ୍ଜନ କୃତକାର୍ଯ୍ୟ, ‘ଜେଜେବାପାଙ୍କ ସ୍ବପ୍ନ ପୂରଣ କରିଛି’
ଦେବଗଡ଼ : ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଭୁକାବେଡା ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ ୩୦୬ ରୢାଙ୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି।

୨୦୨୧ମସିହାରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମଧ୍ୟ ସେ ରାଜ୍ୟର ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ଭୁକାବେଡ଼ା ଗ୍ରାମର ଅଧ୍ୟାପକ ସଞ୍ଜୀବ ପ୍ରଧାନ ଓ କଳ୍ପନା ପ୍ରଧାନଙ୍କ ପୁଅ ସୌମ୍ୟରଞ୍ଜନ ପାଲଲହଡ଼ା ସରସ୍ଵତୀ ଶିଶୁ ମନ୍ଦିରରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟରେ ତ୍ରୟୋଦଶ ସ୍ଥାନ ଅଧିକାର କରିଥିଲେ। ବାପା ସଞ୍ଜୀବ ପ୍ରଧାନ ପାଲଲହଡ଼ା ମାଲ୍ୟଗିରି କଲେଜର ଅଧ୍ୟାପକ ଏବଂ ମା’ ଜଣେ ଗୃହିଣୀ। ରାଉରକେଲା ଏନ୍‌ଆଇଟିରୁ ଉଚ୍ଚ ଶିକ୍ଷା ସମାପ୍ତ ପରେ ସୌମ୍ୟରଞ୍ଜନ ହିରୋ ମୋଟର୍ସରେ ବୈଷୟିକ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। କରୋନା କଟକଣା ସମୟରେ ସେ ଅନଲାଇନରେ ଓପିଏସ୍‌ସି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଏଥିପାଇଁ ଦୈନିକ ସେ ୫ରୁ ୬ ଘଣ୍ଟା ସମୟ ଦେଉଥିଲେ। ତେବେ ଏହି ସ୍ଵପ୍ନ ତାଙ୍କ ଜେଜେବାପାଙ୍କର ଥିଲା। ଆଜି ତାଙ୍କ ସ୍ଵପ୍ନ ପୂରଣ କରିଛନ୍ତି ବୋଲି କହିଛନ୍ତି ସୌମ୍ୟରଞ୍ଜନ। ତାଙ୍କର ଏହି ସଫଳତାରେ ବାପା, ମା, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିଶେଷ ଭୂମିକା ରହିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର