ଶିକ୍ଷକରୁ ସଫଳ ନାଟ୍ୟକାର: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଭାସ୍କର ଚନ୍ଦ୍ର ମହାପାତ୍ର

Advertisment
ଶିକ୍ଷକରୁ ସଫଳ ନାଟ୍ୟକାର: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଭାସ୍କର ଚନ୍ଦ୍ର ମହାପାତ୍ର

ରାଉରକେଲା : କଠିନ ପରିଶ୍ରମ ଆଗରେ ହାର ମାନିଛି ସଫଳତା। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଭାସ୍କର ଚନ୍ଦ୍ର ମହାପାତ୍ର। ଶିକ୍ଷକରୁ ଏବେ ରାଜ୍ୟର ଜଣେ ସଫଳ ନାଟ୍ୟକାର। କେବଳ ନାଟ୍ୟକାର ନୁହଁନ୍ତି, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ସହ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର। ଏଥିସହ ରାଜ୍ୟରୁ ପ୍ରକାଶ ପାଉଥିବା ନାଟ୍ୟ ପତ୍ରିକା ‘ ନାଟ୍ୟଚର୍ଚ୍ଚା’ ପତ୍ରିକାର ସମ୍ପାଦକ। ସଫଳତା ତାଲିକାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ। ଜୀବନବ୍ୟାପୀ ନାଟ୍ୟ ରଚନା ପାଇଁ ସରକାରଙ୍କ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛି।

ବାଲେଶ୍ବରର ମୂଳବାସିନ୍ଦା ଭାସ୍କର ଚନ୍ଦ୍ର ମହାପାତ୍ର ରାଉରକେଲା ବାସନ୍ତୀ କଲୋନିରେ ପରିବାର ସହ ରହୁଛନ୍ତି। ଶ୍ରୀ ମହାପାତ୍ର ଏଯାବତ୍‌ ୧୧୮ଟି ନାଟକ ରଚନା କରି ସାରିଛନ୍ତି। ଯାହା ମଧ୍ୟରେ ରହିଛି ୫୧ଟି ମଞ୍ଚ ନାଟକ, ୫ଟି ଗୀତିନାଟ୍ୟ, ୧୦ଟି ପ୍ରଥପ୍ରାନ୍ତ ନାଟକ, ୯ଟି ନାଟ୍ୟ ରୂପାନ୍ତର, ୩୨ଟି ଶିଶୁ ନାଟକ, ୫ଟି ଗୀତିରୂପକ, ୧୦ଟି ବେତାର ନାଟକ, ୧୬ଟି ଦୂରଦର୍ଶନ ନାଟକ। ମଞ୍ଚ ନାଟକ ମଧ୍ୟରେ ରହିଛି ପଥର, ଅଭିଯାନ, ପକ୍ଷୀ, ଯେ ଧାରା ବହେ ନିରନ୍ତର, ଶେଷଇଚ୍ଛା, ସ୍ତିମିତ ଗୋଧୂଳି, ଭଙ୍ଗା କଣ୍ଢେଇ, ଝଡ଼, ତୁମେ କିଏ, ସମ୍ପକ, ନିଶିଥ ସୂର୍ଯ୍ୟ, ଚଷମା, ଆମ ଗାଁ ସୁନ୍ଦର, ଜଙ୍ଗଲ ଗଣତନ୍ତ୍ର, ପରୀ ପାଇଁ କଥାଟିଏ, ଅକ୍ଷି ତୃତୀୟା, ମୁଁ ବିଜୁ ପଟ୍ଟନାୟକ କହୁଛି, ଡିଜିଟାଲ ଜେଜେମା ଇତ୍ୟାଦି। ଅପ୍ରକାଶିତ ନାଟକ ମଧ୍ୟରେ ରହିଛି ମନରମୂଳେ ଏ ଜଗତ, ଆହୂତି, ଶାନ୍ତି, ଲୋଭ, ମାଟି, ଅମୃତ, ଶବ ହଜିଛି, ଜୀବନ ସଂଗ୍ରାମ, ଭଲ ମଣିଷ, କର୍ମଫଳ, ତଥାପି ଜୀବନ ଆଦି ଅନେକ। ଶିଶୁ ନାଟକ ମଧ୍ୟରେ ରହିଛି ତୁମରି ପାଇଁ, ସୁନେଲି ସପନ, ସମୟ ସୁଅରେ ରେବତୀ, ଆରୁଣି, ମୁଁ ଅଛୁଆଁ ନୁହେଁ, ଖସଡା ବାଟ, ଛେଳି, ସହର ତଳିର ଝିଅ, ଆନନ୍ଦ ଆସିବ ଭଳି ଆହୁରି ଅଧିକ। ଜଣେ ସଫଳ ଅଭିନେତା, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଭାବେ ରାଜ୍ୟ ଓ ରାଜ୍ୟ ବାହାରରୁ ବିଭିନ୍ନ ଅନୁଷ୍ଠାନ ରାଜ୍ୟ ଓ ‌କେନ୍ଦ୍ର ସରକାରଙ୍କ ନିକଟରୁ ଅନେକ ପୁରସ୍କାର ସାଉଣ୍ଟିଛନ୍ତି।

publive-image

୨୦୦୩ରେ ଶ୍ରେଷ୍ଠ ଶିକ୍ଷକ ଭାବେ ରାଜ୍ୟପାଳ ପୁରସ୍କାର ପାଇଥ‌ିଲେ। ୨୦୦୫ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହ ଫକୀରମୋହନ ସାହିତ୍ୟ ସଂସଦ ପକ୍ଷରୁ ‘ ବାଲେଶ୍ବର ସମ୍ମାନ’, ଶ୍ରୀ କଲଚରାଲ ଆସୋସିଏସନ ପକ୍ଷରୁ ‘ ସମ୍ବଲପୁର ସମ୍ମାନ’, ଭୁବନେଶ୍ବର ‘ ପଞ୍ଚଦେବ’ ସମ୍ମାନ, ଉତ୍କଳ ନବ ଯୁବକ ସାଂସ୍କୃତିକ ସଂଘ ପକ୍ଷରୁ ‘ କଟକ ସମ୍ମାନ’, ଆଦର୍ଶ ପାଠାଗାର ପକ୍ଷରୁ ‘ ରାଉରକେଲା ସମ୍ମାନ’, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସାଂସ୍କୃତିକ ସଂସଦ ସମ୍ମାନ, ଇଣ୍ଟରନ୍ୟାସନାଲ ରୋଟାରୀ କ୍ଳବ ସମ୍ମାନ ଏମିତି ଅନେକ। ସେମିତି ଅନେକ ଅନୁଷ୍ଠାନ ଦ୍ବାରା ଶ୍ରୀ ମହାପାତ୍ରଙ୍କ ପ୍ରସିଦ୍ଧ ନାଟକ ମଞ୍ଚସ୍ଥ କରି ବେଶ୍‌ ପ୍ରଶଂସିତ ମଧ୍ୟ ହୋଇଛି। ଏଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର, ଏନ୍‌ସିଇଆର୍‌ଟି ନୂଆଦିଲ୍ଲୀ, ଏସ୍‌ସିଇଆର୍‌ଟି ଭୁବନେଶ୍ବର, ପ୍ରାଙ୍ଗଣ ପାଟନା ବିହାର, ଇଫ୍‌ଟା କଲିକତା, ଭୂମିକା ବଲାଙ୍ଗୀର, ଶତାବ୍ଦୀର କଳାକାର ଭୁବନେଶ୍ବର, ଏହ୍ଲାବାଦ୍‌ ନାଟ୍ୟସଂଘ ଏହ୍ଲାବାଦ୍‌, ଶତାବ୍ଦୀର କଳାକାର ଭୁବନେଶ୍ବର, ମନନ ଭୁବନେଶ୍ବର, କଳାକାର ବାଲେଶ୍ବର, ପଞ୍ଚପଟ୍ଟମଳି ନାଟକ ମହୋତ୍ସବ କୋରାପୁଟ, ଫକୀରମୋହନ ସାହିତ୍ୟ ସଂସଦ ବାଲେଶ୍ବର, ସଂକଳ୍ପ ରାଉରକେଲା ଭଳି ଅନେକ ଅନୁଷ୍ଠାନରେ ଅନେକ ନାଟକ ମଞ୍ଚସ୍ଥ ହୋଇଛି।

ଶ୍ରୀ ମହାପାତ୍ର କେବଳ ମଞ୍ଚ ନାଟକ, ଶିଶୁ ନାଟକ ରଚନାରେ ସୀମିତ ନାହାନ୍ତି ବରଂ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ଶିଶୁ ମେଳା ‘ସୁରଭି’ରେ ଦୀର୍ଘ ୨୦ ବର୍ଷ ନାଟକ ମଞ୍ଚସ୍ଥ କରି ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସଡ଼କ ସୁରକ୍ଷା, ଏଡ୍‌ସ ନିରାକରଣ, ସ୍ବଚ୍ଛତା ଅଭିଯାନ, ସାକ୍ଷରତା ଅଭିଯାନ, ନାରୀ ସୁରକ୍ଷା, ଶିଶୁ ନିର୍ଯ୍ୟାତନା ଦୂରୀକରଣ, ମାଓବାଦୀଙ୍କୁ ସଚେତନ କରିବା, ବୃଦ୍ଧବୃଦ୍ଧାଙ୍କୁ ନ୍ୟାୟ ଦେବା ଆଦି ଉପରେ ତାଙ୍କର ଅନେକ ପଥପ୍ରାନ୍ତ ନାଟକ ସାରା ଓଡ଼ିଶାରେ ଜନ ସଚେତନତା ସୃଷ୍ଟି କରିବାରେ ସଫଳ ହୋଇ ପାରିଛି। ‘ ସମାରୁରେ ଫେରିଆ’ ପଥପ୍ରାନ୍ତ ନାଟକ ଜରିଆରେ ମାଓବାଦୀଙ୍କୁ ସମାଜରେ ମୁଖ୍ୟ ସୋତ୍ରକୁ ଆଣିବାକୁ ଅନେକ ପ୍ରୟାସ କରିଛନ୍ତି। ସାମ୍ପ୍ରତିକ ଘଟଣାବଳୀ ଓ ସମାଜର ନିଚ୍ଛକ ଘଟଣାକୁ ନେଇ ରଚନା ହୋଇଥିବା ଅନେକ ନାଟକ ତାଙ୍କୁ କେବଳ ରାଜ୍ୟ ନୁହେଁ ଦେଶର ଜଣେ ସଫଳ ନାଟ୍ୟକାର ଭାବେ ପରିଚିତ କରିପାରିଛି। ଶ୍ରୀ ମହାପାତ୍ର କୁହନ୍ତି, ପରିଶ୍ରମର ଫଳ ନିଶ୍ଚିତ। ଶିକ୍ଷକତା କରୁଥିବାବେଳେ ନାଟକ ଲେଖିବା ଆରମ୍ଭ କରିଥିଲି। ଶିକ୍ଷକତାରୁ ଅବସରନେବା ପରେ ଅଧିକରୁ ଅଧିକ ମଞ୍ଚ ନାଟକ ଓ ପଥପ୍ରାନ୍ତ ନାଟକ ଲେଖିବାକୁ ସମୟ ମିଳିଛି। ଯେତେ ଦିନ ହାତ ଚାଲୁଥିବ, ସେ ପର୍ଯ୍ୟନ୍ତ ମୋ ଲେଖା ଜାରି ରହିଥିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe